ଇନ୍‌ଡୋର ଷ୍ଟାଡିୟମ୍‌କୁ ପୋଖରୀପୁଟବାସୀଙ୍କ ବିରୋଧ

ଖେଳପଡ଼ିଆ ପାଇଁ କୌଣସି ସମସ୍ୟା ହେବ ନାହିଁ : ମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୧୩/୮(ଇମିସ): ପୋଖରୀପୁଟ ଗ୍ରାମରେ ହେବାକୁ ଥିବା ଇନ୍‌ଡୋର୍ ଷ୍ଟାଡିୟମ୍‌କୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ବିହାରୀ ଲାଲ୍‌ ଖେଳ ପଡ଼ିଆରେ ପ୍ରସ୍ତାବିତ ଇନ୍‌ଡୋର ଷ୍ଟାଡିୟମ୍‌କୁ କିଛି ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁ ପିଲାଙ୍କ ଖେଳକୁଦ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂରକ୍ଷିତ ଥିବା ଏହି ଖେଳପଡ଼ିଆରେ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣ ହେଲେ ଗ୍ରାମବାସୀମାନେ ବିରାଟ କ୍ଷତିର ସମ୍ମୁଖୀନ ହେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ପ୍ରସ୍ତାବିତ ଷ୍ଟାଡିୟମ୍‌ ପାଇଁ ଖେଳପଡ଼ିଆ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ପୋଖରୀପୁଟ ଗ୍ରାମର କେତେକ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ପୂର୍ବ ପୁରୁଷମାନେ ଏହି ପଡ଼ିଆକୁ ସଂରକ୍ଷଣ କରିଥିଲେ ଓ ଏବେ ଗ୍ରାମବାସୀମାନେ ରକ୍ଷଣାବେକ୍ଷଣ କରୁଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ଏହି ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ଏଥିସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଉତ୍ସବ ମଧ୍ୟ ଏଠାରେ ହୋଇଥାଏ। ପୂର୍ବରୁ ବିଡିଏ ଏଠାରେ ଏକ ପ୍ରୋଜେକ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଗ୍ରାମବାସୀଙ୍କ ବିରୋଧ କରିଥିଲେ। ତେଣୁ ବିଡିଏ କର୍ତ୍ତୃପକ୍ଷ ଏହାକୁ ଖେଳ ପଡ଼ିଆ ହିସାବରେ ଛାଡ଼ି ଦେଇଥି‌ଲେ। କିନ୍ତୁ ଏବେ ଷ୍ଟାଡିୟମ୍‌ ପାଇଁ ଗ୍ରାମବାସୀଙ୍କର ମତ ନିଆଯାଇନାହିଁ। ତେଣୁ ସରକାର ଅନ୍ୟ ସ୍ଥାନରେ ଷ୍ଟାଡିୟମ୍‌ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଏନେଇ ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ କହନ୍ତି ଯେ ଷ୍ଟାଡିୟମ୍‌ ପାଇଁ ଖେଳ ପଡ଼ିଆର ଶତକଡ଼ା ୧୦ଭାଗ ଜମି ବ୍ୟବହାର ହେବ। ବାକି ଅଂଶରେ ଖେଳପଡ଼ିଆ ରହିବ। ସେହିଭଳି ମନ୍ତ୍ରୀ ଶ୍ରୀ ପଣ୍ଡା କୁହନ୍ତି ଯେ ଷ୍ଟାଡିୟମ୍‌ ପାଇଁ ୭୦ମିଟର ଲମ୍ବ ୭୦ ମିଟର ଓସାରରେ ଜମି ଆବଶ୍ୟକ। ଏହି ଖେଳପଡ଼ିଆରେ ୫ ଏକର ୬ ଶହ ଡିସିମିଲି ଜମି ରହିଛି। ଏଣୁ ଖେଳପଡ଼ିଆ ପାଇଁ କୌଣସି ସମସ୍ୟା ନାହିଁ। ୯ କୋଟି ୫୫ଲକ୍ଷ ଟଙ୍କା ବ୍ୟୟ‌ରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମ୍‌ ଦ୍ବାରା ଆଗାମୀ ସମୟରେ ଆମ ପିଲାମାନେ ହିଁ ବିଭିନ୍ନ କ୍ରୀଡ଼ାରେ ସଫଳ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର