ଭୁବନେଶ୍ବର: ଦିନକର ବିରତି ପରେ ପୁଣିଥରେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ଥିବା ସାଧାରଣ ପ୍ରଶାସନ ବିଭାଗ ଜମିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଆଜି ଏକାଧିକ କୋଠାଘରକୁ ଭାଙ୍ଗି ମାଟିରେ ମିଶାଯାଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜେସିବି, ପୋକ୍ଲିନ୍ ଲଗାଇ ଏହି ଉଚ୍ଛେଦ କରାଯାଇଛି। ଆଜି ପାଣ୍ଡରାରେ ଥିବା ଗୋପବନ୍ଧୁ ଜରାନିବାସର ତିନିମହଲା କୋଠାକୁ ଭାଙ୍ଗି ମାଟିରେ ମିଶାଯାଇଛି।
ବିଡିଏର ଅଧିକାରୀ ଓ ଏନ୍ଫୋର୍ସମେଣ୍ଟ ଟିମ୍ ଆଜି ସକାଳୁ ଉଚ୍ଛେଦ ଆରମ୍ଭ କରିଥିଲେ। ପ୍ରଥମେ ଜରାନିବାସ ଉଚ୍ଛେଦ ହୋଇଥିଲା। ଆଜି ସଂଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଉଚ୍ଛେଦ ସମ୍ଭବ ହୋଇନି। ଆସନ୍ତାକାଲି ପୁଣି ଉଚ୍ଛେଦ ଆରମ୍ଭ ହେବ। ଅପରପକ୍ଷେ ଜରାନିବାସ ପାଖରେ ଥିବା ୫ରୁ ଅଧିକ କୋଠାଘରକୁ ବି ଆଜି ଭଙ୍ଗାଯାଇଛି। କୋଠାଘର ଭିତରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବିଲ୍ଡରଙ୍କ ଘର ବି ରହିଛି। କିଛି ଟିଣ ଆଜବେଷ୍ଟସ୍ ଘର ମଧ୍ୟ ଉଚ୍ଛେଦ କରାଯାଇଛି। ପାଖରେ ଆହୁରି ବହୁତ କୋଠାଘର ଭାଙ୍ଗିବାକୁ ରହିଛି, ଯେଉଁଠି ଆଇନଜୀବୀ, ବ୍ୟବସାୟୀମାନେ ଘର କରିଛନ୍ତି। ପର୍ଯ୍ୟାୟକ୍ରମେ ସବୁ ଘର ଉଚ୍ଛେଦ କରାଯିବ ବୋଲି ଦାୟିତ୍ବରେ ଥିବା ବିଡିଏ ଅଧିକାରୀ କହିଛନ୍ତି।
ଗୋପବନ୍ଧୁ ଜରାନିବାସର ପରିଚାଳକ ନିଲୁ ଖୁଣ୍ଟିଆ କହିଛନ୍ତି, ସେବା ଉଦ୍ଦେଶ୍ୟରେ ଏହି ଘର କରିଥିଲୁ। ଯେଉଁଠି ୨୦ଜଣ ଅସହାୟ, ନିଃସହାୟ ବୃଦ୍ଧବୃଦ୍ଧା ରହୁଥିଲେ। ସମସ୍ତଙ୍କୁ ଜଗନ୍ନାଥନଗର ଓ ଆଖପାଖ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ୨୦ଜଣଙ୍କୁ ଗୋଟିଏ ଜାଗାରେ ରଖିବା ସମ୍ଭବପର ନ ଥିବାରୁ ଭିନ୍ନ ଭିନ୍ନ ଜାଗାରେ ରଖାଯାଇଛି। ସୂଚନାଯୋଗ୍ୟ, ଆଜି ସୁଦ୍ଧା ୨୨ଟି କଂକ୍ରିଟ୍ ଘର, ଏକାଧିକ ଟିଣ ଘର ଉଚ୍ଛେଦ କରାଯାଇଛି। ୪୦ ଡେସିମାଲ୍ ଜାଗା ଖାଲି କରାଯାଇଛି।
କିଏ ବିକିଥିଲା ଜାଗା?
ପାଣ୍ଡରା ଛକରେ ସାଧାରଣ ପ୍ରଶାସନ ଜମିରେ ଠିଆ ହୋଇଥିବା ଏହି ବହୁତଳ କୋଠା କୌଣସି ରାଜନଅରଠାରୁ କମ୍ ନ ଥିଲା। ଦାମୀ ମାର୍ବଲ ସାଙ୍ଗକୁ ସିଲିଂ, ଟାଇଲ୍, ଦାମୀ ଲାଇଟ୍ରେ ଘର ସାଜସଜା କରାଯାଇଥିଲା। ସବୁକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ସୂଚନା ମୁତାବକ, ପାଣ୍ଡରା ମୌଜାରେ ସାଧାରଣ ପ୍ରଶାସନ ବିଭାଗର ପ୍ରାୟ ୨.୬୦ ଏକର ଜମି ରହିଛି। ଯାହାକୁ ନୋଟାରି ସତ୍ୟପାଠ ଜରିଆରେ ବିକ୍ରି କରାଯାଇଛି। ଜାଗା କିଣିଥିବା ଜଣେ ବ୍ୟକ୍ତି କହିଛନ୍ତି, ସେ ୧୨ ଫୁଟ ଲମ୍ବ ଓ ୮ ଫୁଟ ଓସାରରେ ଏକ ଜାଗା ୮ ବର୍ଷ ତଳେ ୫୦ହଜାର ଟଙ୍କାରେ କିଣିଥିଲେ। ସେ ନୋଟାରି ସତ୍ୟପାଠ କାଗଜପତ୍ରରେ ଜାଗା କିଣିଥିଲେ। ଜଣେ ବିଲ୍ଡର ବି କିଛି ଜାଗା ୨ ବର୍ଷ ତଳେ ପ୍ରାୟ ୧୨ ଲକ୍ଷ ଟଙ୍କାରେ କିଣିଥିଲେ। ସେ ଏଠାରେ ନିଜର କାର୍ଯ୍ୟାଳୟ ଖୋଲିଥିଲେ। ସେହିଭଳି ଜଣେ ଅବସରପ୍ରାପ୍ତ କର୍ମଚାରୀ ପ୍ରାୟ ୨ଲକ୍ଷ ଟଙ୍କାରେ ନୋଟାରି ସତ୍ୟପାଠ ଜରିଆରେ ଏହି ଜାଗା କିଣିଥିଲେ। କିଛି ବ୍ୟକ୍ତି ଏଠାରେ ବାୟୋଫ୍ଲକ୍ ମାଛ ଚାଷ ବି କରୁଥିଲେ। ଏଠି ପ୍ରଶ୍ନ ଉଠୁଛି, ଏହି ଜମି କିଏ ବିକିଥିଲା?
ବିଏମ୍ସି ଦେଇଥିଲା ଘରର ସ୍ବତନ୍ତ୍ର ନମ୍ବର
ପାଣ୍ଡରାରେ ଉଚ୍ଛେଦ ଘର ସବୁକୁ ସ୍ବତନ୍ତ୍ର ଘର ନମ୍ବର ଦେଇଥିଲା ଭୁବନେଶ୍ବର ମହାନଗର ନିଗମ। ମହାନଗର ନିଗମ ପକ୍ଷରୁ ପାଣି ସଂଯୋଗ, ଟିପିସିଓଡିଏଲ୍ ପକ୍ଷରୁ ବିଜୁଳି ସଂଯୋଗ ଦିଆଯାଇଥିଲା। ରନ୍ଧନ ଗ୍ୟାସ୍ ପାଇପ୍ ସଂଯୋଗ ବି ଦିଆଯାଇଥିଲା। ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ନିଜ ଜାଗାରେ ଘର କରି ପାଣି, ବିଜୁଳି ଆଦି ସଂଯୋଗ ନେବାକୁ ନାକେଦମ ହେବାକୁ ପଡ଼ୁଛି, ସେଠି ସରକାରୀ ଜାଗାରେ ଏହି ବେଆଇନ୍ ଘରକୁ କିଏ ଓ କେଉଁ ପରିସ୍ଥିତିରେ ଏହି ସୁବିଧା ଯୋଗାଇ ଦେଲା? ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
ନାକେଦମ୍ ଉଚ୍ଛେଦକାରୀ ଟିମ୍
ସାଧାରଣ ପ୍ରଶାସନ ବିଭାଗର ଏହି ଜମିରେ ବହୁଦିନରୁ ଜଣେ ଆଇନଜୀବୀ ଘର କରି ରହୁଛନ୍ତି। ଯେହେତୁ ଏହା ଜବରଦଖଲ ଜମି ଓ ନିର୍ମାଣ ଘର ବେଆଇନ୍, ବିଡିଏ ତରଫରୁ ତାଙ୍କୁ ନୋଟିସ୍ କରାଯାଇଥିଲା। ବିଡିଏର ଅଧିକାରୀ କହିଛନ୍ତି, ନୋଟିସ୍ ବେଳେ ଘରେ କେହି ଅସୁସ୍ଥ ମହିଳା ନଥିଲେ। କିନ୍ତୁ ଘର ଭାଙ୍ଗିବା ବେଳକୁ ଆଜି ଜଣେ ମହିଳା ସ୍ବାସ୍ଥ୍ୟାବସ୍ଥା ଖରାପ ଦର୍ଶାଇ ଘରୁ ବାହାରିନଥିଲେ। ପଚାରିବାରୁ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଓ ସେ ଡାକ୍ତରଖାନାରୁ ଫେରିଥିବା କହିଥିଲେ। ଯେତେ ବୁଝାଇଲେ ବି ସ୍ବାମୀ ଆସିଲେ, ସେ ଘରୁ ବାହାରିବେ ବୋଲି ଜିଦ୍ ଧରିଥିଲେ। ଶେଷରେ ଆମ୍ବୁଲାନ୍ସ ଡକାଯିବାରୁ ସଂପୃକ୍ତ ମହିଳା ଆମ୍ବୁଲାନ୍ସରେ ଯିବାକୁ ମନା କରିଥିଲେ ଓ ଘର ପାଖରେ ଭଡ଼ା ଉଦ୍ଦେଶ୍ୟରେ କରିଥିବା ନିଜର ଆଉ ଏକ ଘରକୁ ଯାଇଥିଲେ। ଏଥିପାଇଁ ବିଡିଏ ଅଧିକାରୀ ଓ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।