ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଭୟ ସମସ୍ତଙ୍କୁ ଘାରିଛି। ହେଲେ ବରିଷ୍ଠ ନାଗରିକମାନେ ବିପଦ ଜୋନ୍‌ରେ ଅଛନ୍ତି। ଏଣୁ ସେମାନେ କିଭଳି ସୁରକ୍ଷିତ ରହିବେ ସେ ନେଇ ଯୋଜନା ହୋଇଛି। ବାହାରକୁ ନ ବାହାରିବା ହିଁ ସୁରକ୍ଷିତ ରହିବାର ମୂଳମନ୍ତ୍ର ହୋଇଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ହୋମ୍‌ ଡେଲିଭରି ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ନିଜ କର୍ତ୍ତବ୍ୟରୁ ଆଉ ପାଦେ ଆଗକୁ ଯାଇ ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି କମିସନର। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଆଲୋଚନାରେ ଅତିରିକ୍ତ କମିସନର ସଞ୍ଜୟ ସିଂହ, ଅତିରିକ୍ତ କମିସନର(ଭୁବନେଶ୍ବର) ଅନୁପ କୁମାର ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଡିସିପି (ସୁରକ୍ଷା) ନିର୍ମଳ ଶତପଥୀଙ୍କ ସମେତ ସମସ୍ତ ଏସିପି ଓ ନୋଡାଲ ଅଫିସର ରହିଥିଲେ।

Advertisment

ପୂର୍ବରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ସେଲ୍‌ ରହିଛି। ବିଭିନ୍ନ ସମୟରେ ସେମାନଙ୍କ ସହ ଆଲୋଚନା ହୁଏ। ସମସ୍ୟା ବୁଝିବା ପାଇଁ ଏକ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ ମଧ୍ୟ ରହିଛି। ଏବେ ଏହି ଗ୍ରୁପ୍‌ ଜରିଆରେ ସେମାନେ ସେମାନଙ୍କର ଆବଶ୍ୟକ ଜିନିଷ ପାଇଁ ଅର୍ଡର ଉପସ୍ଥାପନ କରୁଛନ୍ତି। ପୁଲିସ ଅଧିକାରୀମାନେ ଅର୍ଡର ମୁତାବକ ଜିନିଷ ସେମାନଙ୍କ ପାଖରେ ପହଞ୍ଚାଉଛନ୍ତି। ଏହା ସହିତ ବୁଲା ଗୋରୁଙ୍କ ସହ କୁକୁରମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇଛି କମିସନରେଟ୍‌ ପୁଲିସ। ଆଜି ସହରର ବିଭିନ୍ନ ଜାଗାରେ ଖାଦ୍ୟ ବଣ୍ଟା ଯିବା ସହ ପାଣି ମଧ୍ୟ ରଖା ଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ଏସିପି ମୁଖ୍ୟ ରାସ୍ତା ସହ ଗଳିକନ୍ଦି ବୁଲି ଏଭଳି ଖାଦ୍ୟ ବାଣ୍ଟିଥିଲେ।