ଭୁବନେଶ୍ବର: ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା ନିର୍ମାଣକୁ ନେଇ ଆଜି ପୁଣିଥରେ ପ୍ରଶାସନ ଓ ସାଲିଆସାହି ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁଁ ୨୦୦ ଫୁଟିଆ ଏହି ରାସ୍ତା ଦୀର୍ଘ ଦିନ ଧରି ସଂପୂର୍ଣ୍ଣ ହୋଇପାରୁ ନଥିବା ବେଳେ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆଜି ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା। ଏହି କ୍ରମରେ ଆଜି ବିଏମ୍ସିର ଏକ ଟିମ୍ ସାଲିଆସାହିସ୍ଥିତ ଶ୍ମଶାନ ପଡ଼ିଆକୁ ସଫେଇ କରିବାକୁ ଯାଇଥିଲା। ବସ୍ତିବାସିନ୍ଦାଙ୍କ ବିରୋଧ ଆଶଙ୍କାରେ ବିଏମ୍ସିର ଏହି ଟିମ୍ ସହ ୧୦ପ୍ଲାଟୁନ୍ ପୁଲିସ୍ ଫୋର୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା। କିନ୍ତୁ ଏତେସଂଖ୍ୟକ ପୁଲିସ୍ ଓ ଜେସିବି ଦେଖି ବସ୍ତିବାସିନ୍ଦାଙ୍କ ମନରେ ସନ୍ଦେହ ହୋଇଥିଲା। ପ୍ରଶାସନ ସେମାନଙ୍କ ଘର ଭାଙ୍ଗିବାକୁ ଆସିଛି ବୋଲି ଭାବି ସେମାନେ ଏକତ୍ରିତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହିଳା, ପୁରୁଷଙ୍କୁ ମିଶାଇ ପାଖାପାଖି ୩ଶହ ବସ୍ତିବାସିନ୍ଦା ପ୍ରତିବାଦ କରିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେ ବସ୍ତିବାସିନ୍ଦାଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ପୁଲିସ୍ ଉପସ୍ଥିତିରେ ଶ୍ମଶାନ ପଡ଼ିଆକୁ ସଫେଇ କରାଯାଇଥିଲା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିସିପି ଶ୍ରୀ ସିଂ କହିଥିଲେ ଯେ ଆଜି ପଡ଼ିଆରେ ଅନେକଗୁଡ଼ିଏ ଛୋଟମୋଟ ଗଛ ସଫା କରିବା ସହ ଖାଲ ଢିପଗୁଡ଼ିକୁ ସମାନ କରାଯାଇଛି। ଆଜିର ଏ ସଫେଇ କାର୍ଯ୍ୟ ନେଇ ବସ୍ତିବାସିନ୍ଦା ଆଗୁଆ ଅବଗତ ନଥିଲେ। ତେଣୁ ସେମାନେ ପ୍ରଥମେ ପ୍ରତିବାଦ କରିଥିଲେ। ତେବେ ତାଙ୍କୁ ବୁଝାସୁଝା କରିବା ପରେ ସେମାନେ ସହଯୋଗ କରିଥିଲେ।
ସେହିପରି ଜୋନାଲ ଡେପୁଟି କମିସନର୍ ପୂରନ୍ଦର ନନ୍ଦ କହିଛନ୍ତି ଯେ ୨ଶହ ଫୁଟିଆ ରାସ୍ତା ନିର୍ମାଣ ପାଇଁ ଆଜି କିଛି ଜାଗାକୁ ସଫା କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଆସିଲେ, ଉଚ୍ଛେଦ କରିବୁ। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଶୀଘ୍ର ଏହି ବିକଳ୍ପ ରାସ୍ତା ନିର୍ମାଣ ଅବଶ୍ୟମ୍ଭାବୀ ହୋଇପଡ଼ିଛି। ତେଣୁ ଏହି ରାସ୍ତାରେ ବାଧକ ସାଜୁଥିବା ସବୁ ଜବରଦଖଲକୁ ଉଚ୍ଛେଦ କରାଯିବ।
ସୂଚନାଯୋଗ୍ୟ, ଏହି ୨୦୦ ଫୁଟିଆ ରାସ୍ତାକୁ ବସ୍ତି ମଧ୍ୟ ଦେଇ ନେବା ପରିବର୍ତ୍ତେ ସରକାରୀ ମହିଳା ପଲିଟେକ୍ନିକ୍ କଲେଜ ନିକଟ ବୁଲାଣିଠାରୁ ଏକାମ୍ରକାନନ ଗେଟ୍ ନିକଟ ସିଆର୍ପି ରାସ୍ତାକୁ ସଂଯୋଗ କରିବାକୁ ବସ୍ତିବାସିନ୍ଦା ଦାବି କରିଆସୁଛନ୍ତି। ଏହାଦ୍ବାରା ବସ୍ତିରେ ରହୁଥିବା ଗରିବ, ଶ୍ରମିକଙ୍କ କୌଣସି କ୍ଷତି ହେବ ନାହିଁ ବୋଲି ସେମାନେ ବାରମ୍ବାର ଦାବି କରିଆସୁଛନ୍ତି। ଏଥିପାଇଁ ସେମାନେ ଏହି ରାସ୍ତା ନିର୍ମାଣକୁ ବିରୋଧ କରିଆସୁଛନ୍ତି।