ହୋଟେଲ ସୌନ୍ଦର୍ଯ୍ୟୀକରଣ ପାଇଁ ଗରିବଙ୍କୁ ବଳି : ଆଇଗିଣିଆ ଛକ ରଣକ୍ଷେତ୍ର

ପୁଲିସ-ବସ୍ତିବାସିନ୍ଦା ମୁହାଁମୁହିଁ

ଦୋକାନ, ଘର ଉପରେ ବୁଲିଲା ବିଡିଏ ବୁଲ୍‌ଡୋଜର
ଜଳନ୍ତା ଟାୟାର ଫିଙ୍ଗିଲେ
୫ ପୁଲିସ, ୩ ଦୋକାନୀ ଆହତ, ଅଳ୍ପକେ ବର୍ତ୍ତିଲେ ସାମ୍ବାଦିକ
ଏନ୍‌ଏଚ୍‌ ଅବରୋଧ, ଜଣେ ଗିରଫ
ଅଧାରେ ରହିଲା ଉଚ୍ଛେଦ

ଖଣ୍ଡଗିରି : ଆଇଗିଣିଆ ନିକଟ ଏକ ହୋଟେଲ ସୌନ୍ଦର୍ଯ୍ୟୀକରଣ ପାଇଁ ଗରିବ ଉଠାଦୋକାନୀଙ୍କୁ ବଳି ପକାଇ ଦିଆଯାଇଛି। ଖଣ୍ଡଗିରି ଆଇଗିଣିଆ ଛକରୁ ଏମ୍‌ସ ଛକ ପର୍ଯ୍ୟନ୍ତ ୫୧ଟି ଦୋକାନ ଓ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ଦେଇଛି ବିଡିଏ। ବିନା ମହଲତରେ ଦୋକାନ ଭାଙ୍ଗିବାକୁ ନେଇ ପୁଲିସ-ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ଆଜି ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହ କିଛି ସମୟ ପାଇଁ ଆଇଗିଣିଆ ଛକ ରଣକ୍ଷେତ୍ର ପାଲଟିଥିଲା। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।

ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଅପରାହ୍ଣ ପ୍ରାୟ ୨ଟା ୧୦ରୁ ୨ଟା ୫୦ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏମିତିକି ଆମ୍ବୁଲାନ୍‌ସ ମଧ୍ୟ ଅଟକି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ପୁଲିସ କର୍ମଚାରୀ ଆସିଥିଲେ ମଧ୍ୟ ସେମାନଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। କିଛି ବ୍ୟକ୍ତି ପୁଲିସ କର୍ମଚାରୀଙ୍କ ଉପରକୁ ଜଳନ୍ତା ଟାୟାର ଫିଙ୍ଗିବାରୁ ୨ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ଅଘଟଣରୁ ‘ସମ୍ବାଦ’ ଫଟୋ ସାମ୍ବାଦିକ ବିଭୂତି ସାହୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଅନ୍ୟପକ୍ଷରେ ପୁଲିସର ଲାଠି ମାଡ଼ରେ ଗଦାଧର ସାହୁ, ସନ୍ତୋଷ ସାହୁଙ୍କ ସମେତ ଆଉ କିଛି ସ୍ଥାନୀୟ ବ୍ୟକ୍ତି ଆହତ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଲାଠିଚାର୍ଜକୁ ଖଣ୍ଡଗିରି ଥାନା ପୁଲିସ ଅସ୍ବୀକାର କରିଛି। ତେବେ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ଗଦାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ବିରୋଧ ଯୋଗୁଁ ଆଜି ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଅଧାରୁ ବନ୍ଦ କରିବାକୁ ପଡ଼ିଛି। ତେବେ ଖୁବ୍‌ ଶୀଘ୍ର ଏମ୍‌ସ ଛକ ପର୍ଯ୍ୟନ୍ତ ଜବରଦଖଲରେ ଥିବା ବାକି ସମସ୍ତ ଅଞ୍ଚଳକୁ ମୁକ୍ତ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଛି ଏକ ହୋଟେଲ। ଏହାର ଚତୁଃପାର୍ଶ୍ବରେ ସରକାରୀ ଜମି ଉପରେ ଥିବା ଘର ଓ ଦୋକାନ ପର୍ଯ୍ୟଟକଙ୍କ ମଧ୍ୟରେ ନକାରାତ୍ମକ ଛବି ସୃଷ୍ଟି କରିବ। ତେଣୁ ଗତ କିଛି ମାସ ହେଲା ହେଲା ସରକାରୀ ଜମି ଉପରେ ଥିବା ଦୋକାନ ଓ ଘରଗୁଡ଼ିକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଡିଏ ଓ ବିଏମ୍‌ସି। ପୂର୍ବରୁ ବିଏମ୍‌ସି ପକ୍ଷରୁ ଏହାକୁ ନେଇ ସର୍ଭେ କରାଯାଇଥିଲା। ବିଡିଏର ପ୍ରବର୍ତ୍ତନ ଅଧିକାରୀ ପ୍ରମୋଦ ପାତ୍ର, ଇନ୍‌ସପେକ୍ଟର ରମେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଟିମ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ୧୩ଟି କ୍ୟାବିନ୍‌, ୫ଟି ଦୋକାନ, ୬ଟି ଗ୍ୟାରେଜ୍‌, ୭ଟି ଆଜ୍‌ବେଷ୍ଟସ ଘର ଭାଙ୍ଗିଥିଲେ। ଆଜି ପୁଣି ପୂର୍ବାହ୍ଣ ସାଢ଼େ ୧୧ଟାରୁ ବିଡିଏ ବୁଲ୍‌‌ଡୋଜର୍‌ ଚଢ଼ାଇ ଗୋଟିଏ ପରେ ଗୋଟିଏ ଘର ଓ ଦୋକାନ ଭାଙ୍ଗିଥିଲା। ୧୨ଟି ଆଜ୍‌ବେଷ୍ଟସ୍‌ ଘର, ୮ଟି ଗ୍ୟାରେଜ୍‌, ଗୋଟିଏ ଗାଡ଼ି ଓ୍ବାସ୍‌ ପଏଣ୍ଟ, ୭ଟି କ୍ୟାବିନ୍‌ ଭାଙ୍ଗି ଦେଇଥିଲେ। ମହଲତ ଦେବା ପାଇଁ ସ୍ଥାନୀୟ ଅଧିବାସୀ ଅନୁରୋଧ କରିଥିଲେ ମଧ୍ୟ ଉଚ୍ଛେଦ ସ୍କ୍ବାଡ୍‌ ଅଧିକାରୀମାନେ କିଛି ଶୁଣିନଥିଲେ।

ଅନ୍ୟପକ୍ଷରେ ବିଡିଏ ସୂଚନା ଦେଇଛି ଯେ ଜବରଦଖଲ ଉଚ୍ଛେଦ ସମୟରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ଏଭଳି ଉତ୍ତେଜନା ନ ଥିଲା। ଏପରିକି କିଛି ବ୍ୟକ୍ତି ନିଜେ ନିଜେ ଦୋକାନ ଭାଙ୍ଗିବେ ବୋଲି ଅନୁରୋଧ କରିବାରୁ ସେମାନଙ୍କୁ ସମୟ ଦିଆଯାଇଥିଲା। ତେବେ ଅପରାହ୍ଣ ସାଢ଼େ ୧ଟାରେ ଉଚ୍ଛେଦ ଟିମ୍‌ ଖାଇବାକୁ ଯାଇଥିବା ବେଳେ ଅଚାନକ କିଛି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ବଡ଼ବଡ଼ିଆଙ୍କ ପାଇଁ ଗରିବ ଲୋକଙ୍କୁ ବଳି ପକାଇ ଦିଆଯାଉଛି ବୋଲି ଅଭିଯୋଗ କରି ସ୍ଥାନୀୟ ସୁବାସନଗର ବସ୍ତିବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବାରୁ ଉତ୍ତେଜନା ବଢ଼ିଥିଲା। ସେମାନେ ଉଠାଦୋକାନୀଙ୍କ ସହ ସ୍ବର ମିଶାଇ ଏମ୍‌ସ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରି ଜାତୀୟ ରାଜପଥରୁ ସେମାନଙ୍କୁ ହଟାଇଥିଲା।

ସମ୍ବନ୍ଧିତ ଖବର