ଜୁଆଖେଳରୁ ପୁଲିସକୁ ଆକ୍ରମଣ ମାମଲା: ନିର୍ଦ୍ଦୋଷଙ୍କୁ ଗିରଫ କରୁଛି ପୁଲିସ

ପୁଲିସ କମିସନରଙ୍କୁ ଗୁହାରି

ବାଲିପାଟଣା : ସ୍ଥାନୀୟ ରାଜସ କୃଷ୍ଣପୁର ଯାତ୍ରା ପଡ଼ିଆରେ ପୁଲିସକୁ ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ବହୁ ନିର୍ଦ୍ଦୋଷ ଲୋକଙ୍କୁ ବାନ୍ଧୁଛି। ପ୍ରକୃତ ଅଭିଯୁକ୍ତମାନେ ପୁଲିସ ଆଖିରେ ଧୂଳିଦେଇ ବୁଲୁଥିବା ବେଳେ ପୁଲିସ ରାତିଅଧିଆ ଚଢ଼ଉ କରି ଗାଁ ଭିତରୁ ନିରୀହ ଲୋକଙ୍କୁ ଉଠାଇନେଉଛି। ତେଣୁ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ ନକରିବାକୁ ଦାବି କରି ‌ସୋମବାର ଦିନ ସ୍ଥାନୀୟ ଲୋକେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସାକ୍ଷାତ କରି ଗୁହାରି କରିଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ କିଛି ମୁରବି ଶ୍ରେଣୀୟ ଲୋକ ସିପି ଶ୍ରୀ ପ୍ରିୟଦର୍ଶୀଙ୍କୁ ଭୁବନେଶ୍ବର କାର୍ଯ୍ୟାଳୟରେ ଭେଟିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ ଗାଁରେ ଚଢ଼ଉ କରି ନିରୀହ ଲୋକଙ୍କୁ ବାନ୍ଧୁଛି। ଫଳରେ ଗାଁରେ ଲୋକେ ରହିପାରୁନାହାନ୍ତି। ଏବେ ଧାନବୁଣା ସମୟ ହୋଇଥିବାରୁ ପୁଲିସ ଚଢ଼ଉ ଯୋଗୁଁ ଏହା ବାଧାପ୍ରାପ୍ତ ହେଉଛି। ସେହିଭଳି ଯେଉଁମାନେ ଘଟଣାଦିନ ଯାତ୍ରା ପଡ଼ିଆକୁ ଯାଇନଥିଲେ, ପୁଲିସ ସେମାନଙ୍କୁ ବି ଗିରଫ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନନେଉ ବୋଲି ସେମାନେ ସିପିଙ୍କୁ ଅନୁରୋଧ କରିଛନ୍ତି। ପୁଲିସ କମିସନର ଏଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରାଜସ କୃଷ୍ଣପୁର ଯାତ୍ରାପଡ଼ିଆରେ ଜୁଆ ଖେଳ ଚାଲିଥିବା ବେଳେ ପୁଲିସ ଚଢ଼ଉ ହୋଇଥିଲା। ସେତେବେଳେ ଜୁଆଖେଳକୁ ସମର୍ଥନ କରି ମେଳଣ ପଡ଼ିଆରେ ଉପସ୍ଥିତ ଲୋକେ ମିଳିତ ଭାବେ ପୁଲିସକୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର