ରିଙ୍କି ହତ୍ୟା ପଛର କାରଣ ଖୋଜୁଛି ପୁଲିସ: ଏକତରଫା ପ୍ରେମ ନା ପରକୀୟା ପ୍ରୀତି?

୧୦ ବର୍ଷ ତଳେ ହୋଇଥିଲା ଉଭୟଙ୍କ ପରିଚୟ, ଯାଜପୁରରୁ ଆରମ୍ଭ ଭୁବନେଶ୍ବରରେ ଶେଷ

ଭୁବନେଶ୍ବର : ସୋମବାର ମଧ୍ୟାହ୍ନରେ ରାଜଧାନୀର ଭୀମଟାଙ୍ଗି ଅଞ୍ଚଳରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର କାରଣ କ’ଣ? କାହିଁକି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କିଙ୍କୁ ଏମିତି ନୃଶଂସ ଭାବେ ହତ୍ୟା କଲାପରେ ଅଭିଯୁକ୍ତ ଜଗନାଥ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କଲା? କାହିଁକି ରିଙ୍କିଙ୍କ ୩ ବର୍ଷର କୁନିପୁଅକୁ ବି ଶେଷ କରିଦେବାକୁ ଚା‌ହୁଥିଲା ଜଗନ୍ନାଥ? ସେମାନଙ୍କ ଭିତରେ କ’ଣ ସଂପର୍କ ଥିଲା? ଆଉ ଏବେ ଏମିତି କ’ଣ ଘଟିଗଲା ଯେ ଜଗନ୍ନାଥ ଉଭୟ ମା’ପୁଅଙ୍କୁ ଦୁନିଆରୁ ହଟାଇଦେବାକୁ ପୂରା ଯୋଜନା କରି ଆସିଥିଲା?

ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ଏହି ହତ୍ୟାକାଣ୍ଡ ଆଜି ରାଜଧାନୀ ସମେତ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ସାଧାରଣରେ ବି ଉତ୍କଣ୍ଠା ପ୍ରକାଶ ପାଇଛି। ହତ୍ୟା ପଛରେ ଏକତରଫା ପ୍ରେମ ନା ପରକୀୟା ପ୍ରୀତି, ତାକୁ ନେଇ ଖୋଳତାଡ଼ କରୁଛି ପୁଲିସ। ପୁଲିସ ଜଗନ୍ନାଥଙ୍କ ନିଜ ଗାଁ ଏବଂ ସେ ରହୁଥିବା ଘର ଓ ଆଖପାଖ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରୁଛି। ତଦନ୍ତ ଜାରି ରହିଥିବା ବେଳେ ଏ ସଂପର୍କରେ ଅନେକ ତଥ୍ୟ ମିଳି ସାରିଥିବା କୁହାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଗନ୍ନାଥର ନିଜ ଘର ଯାଜପୁର ଧର୍ମଶାଳା ଥାନା ଗୁଣ୍ଡିଲୋ, ନମକରା ଅଞ୍ଚଳରେ। ଗତ କିଛି ବର୍ଷ ହେଲା ସେ ପରିବାର ସହ ବଡ଼ମଙ୍ଗଳପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା। ରିଙ୍କିଙ୍କ ଘର ଧର୍ମଶାଳା ବନ୍ଧଡିହ ଅଞ୍ଚଳରେ। ସେମାନଙ୍କ ଭିତରେ ପ୍ରାୟ ୧୦ ବର୍ଷ ତଳୁ ଚିହ୍ନା ପରିଚୟ ହୋଇ ସମ୍ପର୍କ ଆଗକୁ ବଢ଼ିଥିଲା। ତେବେ ଜଗନ୍ନାଥ ରିଙ୍କିଙ୍କୁ ବିବାହ କରିବାକୁ ଚାହୁଥିଲେ ହେଁ ୨୦୧୫ରେ ରାକେଶଙ୍କ ସହ ରିଙ୍କିଙ୍କ ବିବାହ ହୋଇ ଯାଇଥିଲା। ଏତିକିରେ ସେମାନଙ୍କ ସଂପର୍କ ଶିଥିଳ ପଡ଼ି ନ ଥିଲା। ରିଙ୍କିଙ୍କ ବିବାହ ପରେ ମଧ୍ୟ ଜଗନ୍ନାଥ ତାଙ୍କ ସହ ଯୋଗାଯୋଗରେ ଥିଲା। ଏପରିକି ସେ କେତେଥର ରିଙ୍କିଙ୍କ ଭୀମଟାଙ୍ଗି ଘରକୁ ମଧ୍ୟ ଆସିଥିବା ଜଣାପଡ଼ିଛି। ପ୍ରାୟ ତିନି ମାସ ତଳେ ଜଗନ୍ନାଥ ତାଙ୍କ ଘରକୁ ଆସିଥିବା ସମୟରେ ରିଙ୍କି ବିରୋଧ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟ‌ରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। କିଛିଦିନ ହେଲା ରିଙ୍କି ଜଗନ୍ନାଥଙ୍କ ଫୋନ୍‌ ଉଠାଉ ନ ଥିଲେ କି ତାଙ୍କ ସହ କଥାବାର୍ତ୍ତା ହେଉ ନ ଥିଲେ। ଅନେକ ଥର ଜଗନ୍ନାଥ ହ୍ବାଟସଆପ୍ କଲ୍ କରି ନିରାଶ ହୋଇଥିଲେ। ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ। କାହିଁକି ରିଙ୍କି ତାଙ୍କ ସହ ଯୋଗାଯୋଗ ରଖୁ ନାହାନ୍ତି, ତାକୁ ନେଇ ଜଗନ୍ନାଥଙ୍କ ମନ ଭିତରେ ଅସନ୍ତୋଷର ନିଆଁ ଜଳୁଥିଲା। ଶେଷରେ ରିଙ୍କିଙ୍କୁ ହତ୍ୟା କରିବାକୁ ଜଗନ୍ନାଥ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଯାଇଥିଲା। ରିଙ୍କି ସହ ତାଙ୍କ ତିନି ବର୍ଷର ପୁଅକୁ ମଧ୍ୟ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା। କେବଳ ସେତିକି ନୁହେଁ; ମ‌ା’ପୁଅଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଜଗନ୍ନାଥ ଲେଖି ଆଣିଥିବା ଏକ ହାତଲେଖା ଚିଠି ବା ସୁଇସାଇଡ୍ ନୋଟ୍‌ରେ ‘ତତେ ମାରିଦେବି, ମୁଁ ମରିଯିବି’ ବୋଲି ଲେଖିବା ସହ ଏସବୁ କଥା ଉଲ୍ଲେଖ କରିଥିବା ସୂଚନା ମିଳିଛି। ତେବେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବାରୁ ମୃତ୍ୟୁର କାରଣ ନେଇ ବିଧିବଦ୍ଧ ଭାବେ କିଛି ସୂଚନା ଦେଇନାହିଁ।

ରିଙ୍କିଙ୍କ ମୁଣ୍ଡରେ ସିନ୍ଦୂର ଲଗାଇଲା କିଏ?
ହତ୍ୟାକାଣ୍ଡସ୍ଥଳରେ ରିଙ୍କିଙ୍କ ମୃତଦେହ ନିକଟରେ ଏକ ସିନ୍ଦୂର ଫରୁଆ ପଡ଼ିଥିବା ବେଳେ ରିଙ୍କିଙ୍କ ମୁଣ୍ଡରେ ସିନ୍ଦୂର ଲଗା ଯାଇଥିବା ଦେଖିବାକୁ ମିଳିଛି। ରିଙ୍କି ବିବାହିତା ହୋଇଥିଲେ ହେଁ, ତାଙ୍କ ମୁଣ୍ଡରେ ଅସ୍ବାଭାବିକ ଭାବେ ଅଧିକ ସିନ୍ଦୂର ବୋଳି ହୋଇଥିବାରୁ ହତ୍ୟା ପୂର୍ବରୁ ବା ହତ୍ୟା କରିବା ପରେ ଜଗନ୍ନାଥ ହିଁ ଜୋର ଜବରଦସ୍ତ ଏହି ସିନ୍ଦୂର ଲଗାଇଥିବା ସନ୍ଦେହ କରାଯାଉଛି। ପୁଲିସ ଜଗନ୍ନାଥଙ୍କୁ ଜେରା କଲେ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଜଗନ୍ନାଥ ଏକ ପଲିଥିନ ଭିତରେ କୋଲଡ୍ରିଙ୍କ୍‌ସ, ଆଳୁ ଚିପ୍ସ, ଚକୋଲେଟ୍ ସହ ନୂଆ ଛୁରି ପୂରାଇ ଆଣିଥିବା ପୁଲିସ ଅନୁମାନ କରୁଛି। ତେବେ ସିନ୍ଦୂର ଫରୁଆ ସେ ସାଙ୍ଗରେ ଧରି ଆସିଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ନିକଟରେ ଏକ ନୂଆ ଲୁଗା ଜରି ପଡ଼ିଥିବାରୁ ତା‌ହା ମଧ୍ୟ ସେ ସାଙ୍ଗରେ ଆଣିଥିବା ପୁସିସ ସନ୍ଦେହ କରୁଛି।

‘ସୁନାର ସଂସାର ଭାସିଗଲା, ହତ୍ୟାକାରୀକୁ ଫାଶୀ ଦିଆଯାଉ’

ଆମ ସୁନାର ସଂସାର ଭାସିଗଲା। ଅଭିଯୁକ୍ତ ଏତେ ନୃଶଂସ ଭାବେ ହତ୍ୟା କରିଛି ଯେ ତାହା ବର୍ଣ୍ଣନା କରି ହେବନି। ପୁଅଠାରୁ ଖବର ପାଇ ମୁଁ ପହଞ୍ଚିଥିଲି। କିନ୍ତୁ ସେତେବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। କମିସନରେଟ ପୁଲିସ ଉପରେ ମୋର ଯଥେଷ୍ଟ ଭରସା ଅଛି। ହତ୍ୟାକାରୀକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ ରିଙ୍କିଙ୍କ ଶ୍ବଶୁର।

କୋଭିଡ୍ କଟକଣାକୁ ସମସ୍ତେ ଭୁଲିଗଲେ
ହତ୍ୟା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ସୁଅ ଛୁଟିଥିଲା। କିଛି ସମୟ ଭିତରେ ପୁଲିସ, ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ପୁଲିସ ସେମାନଙ୍କୁ ଯେତେ ମନାକଲେ ବି କେହି ଘଟଣାସ୍ଥଳ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। କରୋନା କଟକଣାକୁ ସତେ ଯେମିତି ସମସ୍ତେ ଭୁଲି ଯାଇଥିଲେ।

୩ ବର୍ଷର ପୁଅକୁ ଭଗବାନ ବଞ୍ଚାଇଦେଲେ
ରିଙ୍କି ଓ ତାଙ୍କ ତିନି ବର୍ଷର ପୁଅକୁ ହତ୍ୟା କରିବାକୁ ଯୋଜନା କରିଥିଲା ଜଗନ୍ନାଥ। କଥାରେ ଅଛି ରଖେ ହରି ତ ମାରେ କିଏ। ସୌଭାଗ୍ୟବଶତଃ ଭଗବାନଙ୍କ ଦୟାରୁ ହିଁ ହତ୍ୟାକାରୀ କବଳରୁ ବର୍ତ୍ତି ଯାଇଛି ରିଙ୍କିଙ୍କ ପୁଅ। ରିଙ୍କି ଘର କାମ କଲାବେଳେ ପୁଅ ଦୁଷ୍ଟାମୀ କରୁଥିବାରୁ ଅନେକ ସମୟରେ ପୁଅକୁ ମାଲିକଙ୍କ ଘରେ ଛାଡ଼ି ଦିଅନ୍ତି। ପୁଅ ମଧ୍ୟ ସେଠାରେ କିଛି ସମୟ ଖେଳାଖେଳି କରେ। ଆଜି ମଧ୍ୟ ରାକେଶ ଅଫିସ ଯିବା ପରେ ରିଙ୍କି ପୁଅକୁ ନେଇ ଘର ମାଲିକଙ୍କ ଘରେ ଛାଡ଼ି ଦେଇଥିଲେ। ଯାହା ଫଳରେ ଅଳ୍ପକେ ରକ୍ଷା ପାଇ ଯାଇଥିଲା ତିନି ବର୍ଷର ଶିଶୁପୁତ୍ର। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା- ପୁଅକୁ ଭଗବାନ ବଞ୍ଚାଇଦେଲେ।

ଗୋଡ଼ାଇ ଗୋଡ଼ାଇ ଛୁରି ଭୁସିଥିଲା
ରିଙ୍କିଙ୍କ ଘର ଭିତରର ଦୃଶ୍ୟ ଦେଖିଲେ ହତ୍ୟା କେତେ ବୀଭତ୍ସ ଥିଲା ତାହା ଯେକେହି ଅନୁମାନ କରିପାରିବ । ଯାହା ଜଣାପଡ଼ୁଛି, ଅଭିଯୁକ୍ତ ଜଗନ୍ନାଥ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ରିଙ୍କିଙ୍କୁ ଛୁରିରେ ଆକ୍ରମଣ କରି ଚାଲିଥିଲା। ଏପରିକି ଗୋଟିଏ ଘରେ ରିଙ୍କିଙ୍କ ଗଳା କାଟି ଦେବା ପରେ ଅନ୍ୟ ଘରକୁ ଘୋଷାଡ଼ି ଘୋଷାଡ଼ି ଆଣିଥିବା ସନ୍ଦେହ କରାଯାଉଛି। କାରଣ ଦୁଇଟି ଯାକ ଘର ରକ୍ତରଞ୍ଜିତ ହୋଇ ପଡ଼ିଛି। ଖାଲି ସେତିକି ନୁହେଁ; ରିଙ୍କିଙ୍କ ପୁଅର ଖେଳନା ସବୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଛି। ଘରର ବିଭିନ୍ନ ସାମଗ୍ରୀ, କୋଲଡ୍ରିଙ୍କସ୍ ବୋତଲ, ଚିପ୍ସ ଜରି, ମୋବାଇଲ ଫୋନ୍, ରକ୍ତ ଲଗା ଛୁରି, ମନିପର୍ସ, ଟଙ୍କା ସବୁ ଛିନଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

ସ୍ବାମୀଙ୍କୁ ବାୟବାୟ କହି ବିଦାୟ ଦେଇଥିଲେ
ସବୁ ଦିନ ଭଳି ସୋମବାର ମଧ୍ୟ ସକାଳ ପ୍ରାୟ ୯ଟାରେ ସ୍ବାମୀ ରାକେଶ ଅଫିସ ଯିବା ସମୟରେ ବାୟବାୟ କହି ବିଦାୟ ଦେଇଥିଲେ ରିଙ୍କି। କିନ୍ତୁ ଏହା ଯେ ଶେଷ ବିଦାୟ ହେବ ତାହା କେହି କେବେ କଳ୍ପନା କରି ନ ଥିବେ। ଜଣେ ପଡ଼ୋଶୀଙ୍କ କହିବା ଅନୁସାରେ, ସବୁ ଦିନ ଭଳି ଆଜି ମଧ୍ୟ ରିଙ୍କି ପୁଅକୁ ଧରି ସ୍ବାମୀଙ୍କୁ ବାୟ କରିଥିଲେ। କିନ୍ତୁ ବିଧାର ବିଧାନ ଥିଲା ଅଲଗା। ରିଙ୍କି ଆରପାରିକୁ ଚାଲିଗଲେ, ଆଉ ତିନି ବର୍ଷର ପୁଅ ମା ଛେଉଣ୍ଡ ହୋଇଗଲା।

ସମ୍ବନ୍ଧିତ ଖବର