ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀକୁ ଅପରାଧୀ ମୁକ୍ତ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଅବଶ୍ୟ ପୁଲିସ ଇତିମଧ୍ୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ଓ କୁଖ୍ୟାତଙ୍କୁ ତଡ଼ିପାର କରୁଛି; ହେଲେ ପୂର୍ବରୁ ପୂଜା ସମୟରେ ଘଟିଥିବା ଗୋଷ୍ଠୀ ବିବାଦ ପୁଲିସ ମନରୁ ଲିଭିନି। ତେଣୁ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାଲାଗି ପୁଲିସ ଯୋଜନା କରିଛି। ଏଥିପାଇଁ ଆଜିଠାରୁ ପୁଲିସ ଫ୍ଲାଗ୍‌ମାର୍ଚ୍ଚ ଆରମ୍ଭ କରିଛି। ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀସାଗର ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି। ଦୁଇ ପ୍ଲାଟୁନ୍‌ ପୁଲିସବଳ ସହ ଡିସିପି ପିନାକ ମିଶ୍ର ଏବଂ ଜୋନ୍‌ ଏସିପି, ଥାନା ଆଇଆଇସି ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ଥିବା ବସ୍ତି ଓ ସମ୍ବେଦନଶୀଳ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିଛନ୍ତି। ଖାଲି ଏତିକି ନୁହେଁ, ଡିସିପି ପୂଜା କମିଟିଗୁଡ଼ିକୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି। ଆଗକୁ ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ ଜରିଆରେ ସଚେତନ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି।

Advertisment

ଟ୍ରାଫିକ୍‌ କଟକଣା
ପୂଜା ସମୟରେ ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ୨୪ ସେକ୍ସନ ଫୋର୍ସ ଓ ବିଭିନ୍ନ ଥାନା ଅଞ୍ଚଳରେ ୫୦ ସେକ୍ସନ ଫୋର୍ସ ନିୟୋଜିତ ରହିବେ। ଏହି ସମୟ ମଧ୍ୟରେ ଭାରୀଯାନ ଚଳାଚଳରେ ପ୍ରତିବନ୍ଧକ ରହିବ। ୯ରୁ ୧୩ ତାରିଖ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା କରାଯାଇଛି। ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ଜାଗମରା ଛକ ଓ ଗଣ୍ଡମୁଣ୍ଡା ଛକ ସଂଲଗ୍ନ ରାସ୍ତା), ଫାୟାର୍‌ ଟ୍ରେନିଂ ସ୍କୁଲ ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ପାଇକନଗର, ଶିରିପୁର ଛକ ଓ ଗଙ୍ଗନଗର ଛକ ସଂଲଗ୍ନ ରାସ୍ତା), ସିଆର୍‌ପି ଛକ ଠାରୁ ପାୱାରହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ଷ୍ଟୁଆର୍ଟ ସ୍କୁଲ ଓ ୟୁନିଟ୍- ୮ ଡିଏଭି ସ୍କୁଲ ସଂଲଗ୍ନ ରାସ୍ତା), ଜୟଦେବବିହାର ଛକଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ବେହେରାସାହି ଛକ ଓ ଶାସ୍ତ୍ରୀନଗର ଛକ ସଂଲଗ୍ନ ରାସ୍ତା), ଜୟଦେବବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ ଛକ ସଂଲଗ୍ନ ରାସ୍ତା), ଆଚାର୍ଯ୍ୟବିହାର ଛକଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ ଓ ଏଜିଛକ ସଂଲଗ୍ନ ରାସ୍ତା), ଆଚାର୍ଯ୍ୟବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତା), ବାଣୀବିହାର ଛକଠାରୁ ଶିଶୁଭବନ ଛକ, ସତ୍ୟନଗର, ରାମ ମନ୍ଦିର, ମାଷ୍ଟରକ୍ୟାଣ୍ଟନ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ରୁପାଲି, ରାଜମହଲ ଛକ ସଂଲଗ୍ନ ରାସ୍ତା), ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା), ଜାତୀୟ ରାଜପଥ-୧୬ ବରମୁଣ୍ଡାଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ୍‌ରେ ଏହି କଟକଣା ରହିବ। 

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଆବଶ୍ୟକ ପଡିଲେ ଖୋର୍ଦ୍ଧାପଟୁ ଭୁବନେଶ୍ବର ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀଯାନଗୁଡ଼ିକୁ ଭୁବନେଶ୍ବର ଭିତରକୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକ ପିତାପଲ୍ଲୀ ଛକଠାରୁ ବାମପଟ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତାଦେଇ ବାଲିକୁଦାଠାରେ ଜାତୀୟ ରାଜପଥ-୧୬ରେ ମିଶିବେ। ରାବଣପୋଡ଼ି ସମୟରେ କଟକ ପଟୁ ଆସିଥିବା ସମସ୍ତ ଗାଡ଼ି ଜୟଦେବବିହାର ଠାରୁ ବାମପାର୍ଶ୍ୱ ରାସ୍ତାଦେଇ ବେହେରାସାହି, ଶାସ୍ତ୍ରୀନଗର, ପାୱାର ହାଉସ ଓ ୟୁନିଟ- ୮ ଡିଏଭି ସ୍କୁଲ ଛକଦେଇ ସିଆରପି ଛକରେ ମିଶିବେ। ଉପରୋକ୍ତ ଦିନମାନଙ୍କରେ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ବରକୁ ଆସୁଥିବା କିମ୍ବା ଭୁବନେଶ୍ୱର ଦେଇ ଯିବାକୁ ଚାହୁଥିବା ବସ୍‌ଗୁଡିକ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ। ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସ୍‌ଗୁଡ଼ିକ ଲିଙ୍ଗିପୁର ଛକଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ସୁରକମ୍ପାନି, ଗଙ୍ଗନଗର ଓ ଫାୟାର୍‌ ଟ୍ରେନିଂ ସ୍କୁଲ ଛକଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯାଇପାରିବେ। ସେହିପରି ବରମୁଣ୍ଡାପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଥିବା ବସ୍‌ଗୁଡ଼ିକ ଉପରଲିଖିତ ରାସ୍ତାଦେଇ ଲିଙ୍ଗିପୁର ଛକଠାରେ ଜାତୀୟ ରାଜପଥରେ ମିଶିବେ। ପୁରୀ ପଟୁ କଟକ ଆଡକୁ ଯିବାକୁଥିବା ବସ୍‌ଗୁଡିକ କଳ୍ପନା, ଲକ୍ଷ୍ମୀସାଗର, ରସୁଲଗଡ ରାସ୍ତାରେ ନଯାଇ, ଲିଙ୍ଗିପୁର ଛକଠାରୁ ବାଇପାସ୍‌ ରୋଡ୍‌ରେ ଆସି ହାଇଟେକ୍ ମେଡିକାଲ ଛକଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ। କଟକ ପଟୁ ପୁରୀ ଆଡକୁ ଯିବାକୁ ଚାହୁଥିବା ବସ୍‌ଗୁଡ଼ିକ ଉପରଲିଖିତ ରାସ୍ତାଦେଇ ଲିଙ୍ଗିପୁର ଛକଠାରେ ଜାତୀୟ ରାଜପଥରେ ମିଶିବେ।

ଭସାଣରେ କଟକଣା
୧୪ ତାରିଖ ଅପରାହ୍ନ ୩ଟାରୁ ରାତି ଗୋଟାଏ କିମ୍ବା ଦୁର୍ଗାପୂଜା ଭସାଣଯାତ୍ରା ଶେଷହେବା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ସହିଦନଗରରେ ଭସାଣଯାତ୍ରା ଚାଲୁଥିବା ସମୟରେ କୌଣସି ଯାନବାହନ ବାଣୀବିହାର ପଟୁ ରୂପାଲିଛକ ଆଡକୁ ଯାଇପାରିବେ ନାହିଁ। ସେହି ଗାଡ଼ିଗୁଡ଼ିକ ବାଣୀବିହାରଠାରୁ ସିଧା ଆଚାର୍ଯ୍ୟବିହାର ଦେଇ ଯାଇପାରିବେ। ଭସାଣଯାତ୍ରା ଚାଲୁଥିବା ସମୟରେ ଜନପଥ ରାସ୍ତାରେ କୌଣସି ଯାନବାହନ ଚଳାଚଳ କରିପାରିବେ ନାହିଁ। ତେବେ ସେଗୁଡ଼ିକ ସଚିବାଳୟ ମାର୍ଗ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇପାରିବେ। ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି, ନୟାପଲ୍ଲୀରେ ଭସାଣଯାତ୍ରା ଚାଲୁଥିବା ସମୟରେ ସିଆର୍‌ପି ପଟୁ କଟକ ଆଡ଼କୁ ଯିବାକୁ ଚାହୁଥିବା ଯାନ ସିଆର୍‌ପି ଛକଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତାଦେଇ ଜୟଦେବବିହାର ଦେଇ ଯାଇପାରିବେ। ଏହି ସମୟରେ ଷ୍ଟିୱାର୍ଟ ସ୍କୁଲ ରାସ୍ତା, ୟୁନିଟ-୮ ରାସ୍ତା, ଓୟୁଏଟି ରାସ୍ତା ଓ ନିଉ ଏୟାର୍‌ପୋର୍ଟ ରାସ୍ତା ଦେଇ ଆସୁଥିବା ଯାନକୁ ଆବଶ୍ୟକ ଅନୁସାରେ ଡାଇଭର୍ସନ୍‌ କରାଯିବ। ଉତ୍ତର ଭୁବନେଶ୍ବର ଭସାଣି କମିଟି, ଚନ୍ଦ୍ରଶେଖରପୁରରେ ଭସାଣଯାତ୍ରା ଚାଲୁଥିବା ସମୟରେ କିଟ୍‌ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହନ ଯିବାକୁ ଦିଆଯିବ ନାହିଁ। ସେହି ଗାଡ଼ିଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡ଼କୁ ଯାଇପାରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନବାହନ ଫାୟାର୍‌ ଷ୍ଟେସନ୍‌ ଛକଠାରୁ ଫ୍ଲାଏଓଭର ଦେଇ ଯାଇପାରିବେ। ସେମାନଙ୍କୁ ସର୍ଭିସ ରୋଡ୍‌ରେ ଯିବାକୁ ଦିଆଯିବ ନାହିଁ।