ଭୁବନେଶ୍ବର: ଅନ୍ୟଜଣଙ୍କ ପରିଚୟ ପତ୍ର ବ୍ୟବହାର କରି ଡେଲିଭରି ବଏ ଭାବରେ ଚାକିରି କଲା। ୫୦ ହଜାର ଟଙ୍କାର ମାଲ୍ ସହ ୩୭ ହଜାର ନେଇ ଫେରାର ହୋଇଗଲା। ଏଭଳି ଏକ ଧୂର୍ତ୍ତକୁ ଧରିଛି ଖାରବେଳ ନଗର ପୁଲିସ। ସେ ହେଉଛି ଢେଙ୍କାନାଳ ହିନ୍ଦୋଳର ତଣ୍ଟିଚିରା ଗ୍ରାମର ଲିପୁ ମିଲନ ଦାସ। ନୟାଗଡ଼ ପାଟଣା ସାହିର ଆଲୋକ ବେହେରାଙ୍କର ପରିଚୟ ପତ୍ର ବ୍ୟବହାର କରି ସେ ଏଭଳି ଠକାମୀ କରିଥିଲା।
ସୂଚନାଯୋଗ୍ୟ, କୋଭିଡ୍ କଟକଣା ସମୟରେ ସିଟିକ୍ସ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ଡେଲିଭରି ବଏ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଥିଲା। ଲିପୁ ଏଥିରେ ଆଲୋକ ବେହେରାର ପରିଚୟ ପତ୍ର ଓ ଫଟୋ ବ୍ୟବହାର କରି ଆଲୋକ ନାମରେ ଚାକିରି ଆବେଦନ କରିଥିଲା। କୋଭିଡ୍ ସମୟରେ ଅନ୍ଲାଇନ୍ ଇଣ୍ଟରଭ୍ୟୁ ହୋଇଥିବାରୁ ଲିପୁ ଆଲୋକ ହୋଇ ଚାକିରି ପାଇବାକୁ ସକ୍ଷମ ହୋଇଥିଲା। ସଂସ୍ଥାର ଆଉ ଏକ ଶାଖା ଇନ୍ଷ୍ଟାକାର୍ଟ ସର୍ଭିସେସ୍ରେ ଡେଲିଭରି ବଏ ଭାବରେ କିଛି ଦିନ ଚାକିରି କରିବା ପରେ ୫ ତାରିଖରେ ୫୭ ହଜାର ଟଙ୍କାର କ୍ୟାସ୍ ଅନ୍ ଡେଲିଭରି ରହିଥିଲା। ଏହି ଟଙ୍କା ନେଇ ସେ ଫେରାର ହୋଇ ଯାଇଥିଲା। ଏ ନେଇ ସଂସ୍ଥାର ଏଚ୍ଆର ପ୍ରିୟଙ୍କା ବେହେରା ଥାନାରେ ଏତଲା ଦେଇଥିଲେ। ତଦନ୍ତ ବେଳେ ପୁଲିସ ଆଲୋକ ପାଖରେ ପହଞ୍ଚିଥିଲା। ହେଲେ ସେ ଏ ବାବଦରେ ଜାଣିନଥିଲା କିମ୍ବା କେବେ ବି ଚାକିରି କରିନଥିଲା। ସମ୍ପୃକ୍ତ ସଂସ୍ଥାର ଅନ୍ୟ ପିଲାମାନେ ମଧ୍ୟ ଆଲୋକକୁ ଚିହ୍ନି ପାରିନଥିଲେ। ପରେ ଜଣାପଡ଼ିଥିଲା କି ଲିପୁ ଓଏଲ୍ଏକ୍ସରେ ଚାକିରି କରାଇଦେବାକୁ କହି ତାର ଡକ୍ୟୁମେଣ୍ଟ ନେଇଥିଲା। ସେହି କାଗଜପତ୍ର ବ୍ୟବହାର କରି ଏଭଳି ଠକେଇ କରିଥିଲା।