ଧଉଳି: କମିସନରେଟ୍ ପୁଲିସର ‘ଦାଦାବଟିକୁ ନା’ ଧମକକୁ ଫୁ’ କରିଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଲିଙ୍ଗିପୁରରେ। ଏକ ପୁରୁଣା ବାଇକ୍ ସୋ’ରୁମ୍ର ମାଲିକଙ୍କୁ ବଟି ମାଗି ୮ଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ସୋ’ରୁମ୍ ମାଲିକ ସ୍ବପ୍ନେଶ୍ବର ପାଣିଗ୍ରାହୀ ଆହତ ହୋଇଛନ୍ତି। ସେହିଭଳି ମାଲିକଙ୍କୁ ବଞ୍ଚାଇବାକୁ ଯାଇ ସୋ’ରୁମ୍ର କର୍ମଚାରୀ ଶିବପ୍ରସାଦ ସେଠୀ ମଧ୍ୟ ଗୁରୁତର ହୋଇଛନ୍ତି। ଦୁର୍ବୃତ୍ତମାନେ ଥଣ୍ଡା ବୋତଲରେ ପିଟି ଉଭୟଙ୍କ ମୁଣ୍ଡ ଫଟାଇ ଦେବା ସହ କାର୍ ଓ ସୋ’ରୁମ୍ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଧଉଳି ଥାନା ପୁଲିସ ମାମଲା ରୁଜୁ କରିଛି, କିନ୍ତୁ ଦୁର୍ବୃତ୍ତମାନଙ୍କୁ ଗିରଫ କରିପାରିନାହିଁ।
ବାଲିପାଟଣା ବିଶ୍ୱନାଥପୁର ଗ୍ରାମର ସ୍ୱପ୍ନେଶ୍ୱର ଲିଙ୍ଗିପୁର ଛକରେ ଏକ ପୁରୁଣା ବାଇକ୍ ସୋ’ରୁମ୍ କରିଛନ୍ତି। ପୂର୍ବରୁ କିଛି ଦୁର୍ବୃତ୍ତ ତାଙ୍କୁ ବଟି ମାଗିଥିଲେ। କିନ୍ତୁ ସ୍ବପ୍ନେଶ୍ବର ବଟି ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲେ। ତେଣୁ ଦୁର୍ବୃତ୍ତମାନେ ତାଙ୍କୁ ଧମକ ଦେଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ସୋ’ରୁମ୍ ବନ୍ଦ କରିବାକୁ ଯାଉଥିଲେ। ଏତିକିବେଳେ ୮ଜଣ ଯୁବକ ସେଠାରେ ପହଞ୍ଚି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ସ୍ବପ୍ନେଶ୍ବରଙ୍କୁ ସୋ’ରୁମ୍ରୁ ଟାଣି ନେଇ ମାଡ଼ମାରୁଥିବା ବେଳେ ତାଙ୍କ କର୍ମଚାରୀ ଶିବପ୍ରସାଦ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଦୁର୍ବୃତ୍ତମାନେ ନିକଟସ୍ଥ ଦୋକାନ ବାହାରେ ଥିବା ଟ୍ରେ’ରୁ ଥଣ୍ଡା ବୋତଲ ଉଠାଇ ସ୍ବପ୍ନେଶ୍ବର ଓ ଶିବଙ୍କ ମୁଣ୍ଡକୁ ପିଟି ଫଟାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତ ସ୍ବପ୍ନେଶ୍ବରଙ୍କ କାର୍ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ସେଠାରେ ଥିବା ଅନ୍ୟଜଣେ ବ୍ୟବସାୟୀଙ୍କ କାର୍କୁ ମଧ୍ୟ ସେମାନେ ଭାଙ୍ଗି ପକାଇଥିଲେ। ପ୍ରାୟ ଅଧଘଣ୍ଟା କାଳ ଦୁର୍ବୃତ୍ତମାନେ ସେଠାରେ ଲଙ୍କାକାଣ୍ଡ ଘଟାଇଥିଲେ। ପାଟିତୁଣ୍ଡ ଶୁଣି କିଛି ଲୋକ ଘଟଣାସ୍ଥଳକୁ ଆସିବା ଦେଖି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଧଉଳି ଥାନା ପୁଲିସ ପହଞ୍ଚି ଆହତଦ୍ବୟଙ୍କୁ ଡାକ୍ତରଖାନା ପଠାଇଥିଲା। ପୁଲିସ ସୂଚନାନୁସାରେ ଏହି ମାମଲାରେ ଶିଶୁପାଳଗଡ଼ ଅଞ୍ଚଳର ଜଣକୁ ଅଟକ ରଖାଯାଇଛି ଏବଂ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ।
ବଟି ମାଗିଲେ, ଆକ୍ରମଣ କଲେ
କମିସନରେଟ୍ ପୁଲିସର ‘ଦାଦାବଟିକୁ ନା’ ଧମକକୁ ଫୁ’ କରିଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଲିଙ୍ଗିପୁରରେ। ଏକ ପୁରୁଣା ବାଇକ୍ ସୋ’ରୁମ୍ର ମାଲିକଙ୍କୁ ବଟି ମାଗି ୮ଜଣ...
/sambad/media/media_files/2025/06/15/tZMtaX8615X5J5UVQTMZ.jpg)