ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ : ବୋଥ୍ରାଙ୍କ ଟ୍ବିଟ୍ ପରେ ବାନ୍ଧିଲା ପୁଲିସ

ଭୁବନେଶ୍ବର : ଜଣେ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ। ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଦୀର୍ଘ ମାସେରୁ ଅଧିକ ସମୟ ଧରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା। ତେବେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ଟ୍ବିଟ୍ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିସନରେଟ ପୁଲିସ। ଟ୍ବିଟ୍‌ କରିବାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ମୁରଲୀଧର ସ୍ବାଇଁ(୫୧)। ଘର ଢେଙ୍କାନାଳରେ ହୋଇଥିବା ବେଳେ ସେ ଜଣେ ରଙ୍ଗମିସ୍ତ୍ରି ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଗିରଫ ହେବା ପରେ କମିସନରେଟ ପୁଲିସକୁ ଶ୍ରୀ ବୋଥ୍ରା ଧନ୍ୟବାଦ ଜଣାଇଛନ୍ତି। ବୋଥ୍ରାଙ୍କର ଏହି ଟ୍ବିଟ୍‌କୁ ନେଇ ପୁଲିସ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ମିଳିଥିବା ସୂଚନା ଅନୁସାରେ, କଳିଙ୍ଗବିହାର ଫେଜ୍-୨ରେ ଜଣେ ବ୍ୟକ୍ତିଙ୍କ ଘରେ ରହି ରଙ୍ଗମିସ୍ତ୍ରି ମୁରଲୀଧର ରଙ୍ଗ ଦେବା କାମ କରୁଥିଲା। ଘର ମାଲିକ ଓ ତାଙ୍କ ପତ୍ନୀ ଗୋଟିଏ ରୁମ୍‌ରେ ଶୋଉଥିବା ବେଳେ ଝିଅ ଅନ୍ୟ ଏକ ରୁମ୍‌ରେ ଶୁଅନ୍ତି। ଗତ ଫେବ୍ରୁଆରି ୨୬ ତାରିଖ ରାତିରେ ମୁରଲୀଧର ଯୁବତୀ ଶୋଇଥିବା ରୁମ୍‌ ଭିତରକୁ ପଶି ଯୁବତୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀ ଜଣକ ଚିତ୍କାର କରିବାରୁ ସେ ତାଙ୍କ ମୁହଁକୁ ତକିଆରେ ଚାପି ଧରିଥିଲା ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ଏହି ଘଟଣା ଘଟାଇବା ପରେ ମୁରଲୀଧର ଫେରାର ହୋଇ ଯାଇଥିଲା।

ଏ ସଂକ୍ରାନ୍ତରେ ଯୁବତୀ ଫେବ୍ରୁଆରି ୨୭ ତାରିଖରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଘଟଣାକୁ ମାସେ ବିତିଯିବା ପରେ ଗତକାଲି ପୀଡ଼ିତା ଯୁବତୀ ଅରୁଣ ବୋଥ୍ରାଙ୍କୁ ଭେଟିଥିଲେ। ପୀଡ଼ିତାଙ୍କଠାରୁ ସବୁ କଥା ଶୁଣିବା ପରେ ଅରୁଣ ବୋଥ୍ରା ଏ ନେଇ ଏକ ଟ୍ବିଟ୍ କରିଥିଲେ। ଆଉ ଆଜି ଭରତପୁର ଥାନା ପୁଲିସ ଅଭିଯୁକ୍ତ ମୁରଲୀଧରକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର