ଭୁବନେଶ୍ବର : ଚୋରି, ଲୁଟ୍, ଛିନ୍ତାଇ, ହତ୍ୟା ଉଦ୍ୟମ ଭଳି ୨୦ରୁ ଊର୍ଧ୍ବ ସଂଗିନ୍ ମାମଲାରେ ଜଡ଼ିତ ଏକ ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ୍ ଆଜି ଠାବ କରିଛି। ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କ ସହ ଏମାନଙ୍କଠାରୁ ଲୁଟ୍ ଜିନିଷ କିଣୁଥିବା ୨ ଗ୍ରାହକଙ୍କୁ ନୂଆପଲ୍ଲୀ ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ, କ୍ୟାପିଟାଲ ଥାନା କାଳୀମନ୍ଦିର ସଡ଼କ ବସ୍ତିରେ ରହୁଥିବା ନୟାଗଡ଼ ଇଟାମାଟି ଟିକିରର ସୁଦର୍ଶନ ନାଏକ, ଜାଗୃତି ଅଫିସ୍ କଡ଼ କଳ୍ପନା ଫ୍ଲାଟ୍ରେ ରହୁଥିବା ଖଣ୍ଡପଡ଼ା ଜାକେଲା କଲୋନିର ବୁଲୁ ନାଏକ, କ୍ୟାପିଟାଲ ଥାନା ତାରିଣୀ ବସ୍ତିରେ ରହୁଥିବା ସର୍ବେଶ୍ବର ଗୋଚ୍ଛାୟତ। ଏମାନଙ୍କଠାରୁ ଲୁଟ୍ ଜିନିଷ କିଣୁଥିବା ୨ ଗ୍ରାହକ ହେଲେ, ବଡ଼ଗଡ଼ ନୂଆସାହିର ଲୋଚନ ବେହେରା ଓ ଖଣ୍ଡଗିରି ଭରତପୁର ତେଲୁଗୁ ବସ୍ତିରେ ରହୁଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜିପୁରର ସୁଶାନ୍ତ କୁମାର ମହାରଣା। ଦୀର୍ଘ ୪ ବର୍ଷ ଧରି ରାଜଧାନୀ ଓ ଉପକଣ୍ଠରେ ଛିନ୍ତାଇ କରି ଏମାନେ କମିସନରେଟ୍ ପୁଲିସ୍ର ନିଦ ହଜାଇ ଦେଇଥିଲେ। ଏମାନଙ୍କ ନିକଟରୁ ୬୫ ଗ୍ରାମ୍ ଓଜନର ୮ଟି ସୁନା ଚେନ୍, ଲୁଟ୍ ବେଳେ ବ୍ୟବହାର କରୁଥିବା ୨ଟି ଦାମୀ ବାଇକ୍ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତ ୧ ତାରିଖ ଦିନ ସିଆରପିଏଫ୍ କ୍ୟାମ୍ପସ୍ରେ ରହୁଥିବା ଅକ୍ଷୟ ଦାସଙ୍କ ପତ୍ନୀ ଘରକୁ ଫେରୁଥିବା ବେଳେ କ୍ୟାମ୍ପସ୍ଠାରୁ ୫ଶହ ମିଟର ଦୂରରେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ସୁନାଚେନ୍ ଝାମ୍ପି ନେଇଥିଲେ। ଏ ସଂପର୍କରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ସିସିଟିଭି ଫୁଟେଜ୍, ବାଇକ୍ ନମ୍ବର ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ବଡ଼ଗଡ଼ରେ ସୁଶାନ୍ତଙ୍କୁ ସୁନା ଚେନ୍ ବିକିବା ବେଳେ ପୁଲିସ ଚଢ଼ଉ କରି ପ୍ରଥମେ ସୁଦର୍ଶନ ଓ ପରେ ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ଗିରଫ ଏହି ତିନି ଅଭିଯୁକ୍ତଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ସୁଦର୍ଶନ ନାମରେ ନୂଆପଲ୍ଲୀରେ ଦୁଇଟି ଓ କ୍ୟାପିଟାଲ ଥାନାରେ ୬ଟି, ସର୍ବେଶ୍ବର ନାମରେ ନୂଆପଲ୍ଲୀରେ ୨ଟି, ଖାରବେଳନଗରରେ ଦୁଇଟି, କ୍ୟାପିଟାଲ ଓ ଚନ୍ଦକାରେ ଗୋଟିଏ ଲେଖାଏଁ ମାମଲା ରହିଛି। ସେହିଭଳି ବୁଲୁ ନାମରେ ନୂଆପଲ୍ଲୀ, ବଡ଼ଗଡ଼ ଓ କ୍ୟାପିଟାଲ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ବେଳେ ଖଣ୍ଡଗିରି ଥାନାରେ ଦୁଇଟି ମାମଲା ରହିଛି। ସହରରେ ଏମାନେ ବିଭିନ୍ନ ସ୍ଥାନରେ ଘୂରି ବୁଲି ମହିଳାଙ୍କୁ ଟାର୍ଗେଟ୍ କରୁଥିଲେ। ବେକରୁ ସୁନା ଚେନ୍ କିମ୍ବା ଭ୍ୟାନିଟି ଝାମ୍ପି ନେଇ ପଳାଉଥିଲେ। ଝାମ୍ପି ନେଉଥିବା ଚେନ୍କୁ ବିକି ପଇସା ବାଣ୍ଟି ନେଉଥିଲେ।