୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ ଏଏସଆଇ

ଧଉଳି: ଧଉଳି ଥାନାର ଏଏସଆଇ ତୋଫାନ ଗୁରୁ ଏକ ଜାଗାବାଡ଼ି ମାମଲାର ଫଇସଲା ପାଇଁ  ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସ୍ଥାନୀୟ ଜୟପୁର ଗ୍ରାମର ପ୍ରଶାନ୍ତ ସାହୁ (୨୭) ନାମକ ଜଣେ ଯୁବକଙ୍କ ନିକଟରୁ ଉକ୍ତ ଟଙ୍କା ନେଉଥିଲେ । ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟର ଏକ ୭ ଜଣିଆ ଟିମ ସଂଧ୍ୟା ପ୍ରାୟ  ୬ଟା ସମୟରେ ଅତର୍କିତ ଚଢ଼ଉ ତୋଫାନଙ୍କୁ କାବୁ କରି ନେଇଥିଲେ । ଘଟଣାସ୍ଥଳରୁ ତାଙ୍କ ହାତରୁ ଉକ୍ତ କେମିକାଲ ବୋଳା ୧୫ ଶହ ଟଙ୍କା ଜମତ କରାଯାଇଥିଲା ।

ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପ୍ରଶାନ୍ତଙ୍କ ବିରୋଧରେ ଏକ ଗୋଷ୍ଠୀ ସରକାରୀ ଜାଗାକୁ କେନ୍ଦ୍ରକରି ଧଉଳି ଥାନାରେ ଅଭିଯୋଗ କରିଥିଲେ ।

ଏଏସଆଇ ତୋଫାନ ଉକ୍ତ ମାମଲାର ତଦନ୍ତ ଦାୟିତ୍ବ ନେଇଥିଲେ । ଏସପର୍କିତ ମାମଲାକୁ ରଫାଦଫା କରିବା ପାଇଁ ଶ୍ରୀ ଗୁରୁ ପ୍ରଶାନ୍ତଙ୍କୁ ୧୫ ଶହ ଟଙ୍କା ଦାବି କରିଥିଲେ । ଶେଷରେ ପ୍ରଶାନ୍ତ ନିରାଶ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ ଆଜି ସଂଧ୍ୟା ସମୟରେ ପ୍ରଶାନ୍ତ ଥାନା ବାହାରେ ରହି ତୋଫାନଙ୍କୁ ଫୋନ କରି ଟଙ୍କା ଦେବାକୁ ଡକାଇଥିଲେ । ଆଉ ତୋଫାନ ସେଠାରେ ପହଞ୍ଚି ତାଙ୍କ ହାତରୁ ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇଥିଲେ ।

ସମ୍ବନ୍ଧିତ ଖବର