ବାଇକ୍‌ ଛାଡ଼ିବାକୁ ଲାଞ୍ଚ: ପୁଲିସ ଏସ୍‌ଆଇ ନିଲମ୍ବିତ

ଭୁବନେଶ୍ବର: ଲାଞ୍ଚ ନେଇ ନିଲମ୍ବିତ ହେଲେ ପୁଲିସ ଏସ୍‌ଆଇ। ଏକ ଲୁଟ୍‌ ମାମଲାରେ ଜବତ ହୋଇଥିବା ବାଇକ୍‌ ଫେରାଇବା ପାଇଁ ନୂଆପଲ୍ଲୀ ଥାନା ଏସ୍‌ଆଇ ସୁଧାଂଶୁ ଶେଖର ପରିଡ଼ା ୮ ହଜାର ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିବା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ମୁତାବକ, ଗତ ଏପ୍ରିଲ୍‌ ୨ ତାରିଖରେ ଜଣେ ଯୁବକ ଫାୟାର୍‌ ଷ୍ଟେସନ୍‌ ଛକରୁ ନୂଆପଲ୍ଲୀ ସ୍ଥିତ ଘରକୁ ଫେରୁଥିଲେ। ସେ ସିଆର୍‌ପି ଛକ ନିକଟରେ ଯାଉଥିବା ବେଳେ ଲୁଟେରା ଶଶିକାନ୍ତ ସାହୁ ଓ ତା’ର ସହଯୋଗୀ ତାଙ୍କୁ ମାଡ଼ ମାରିବା ସହ ବାଇକ୍‌ ଛଡ଼ାଇ ନେଇଥିଲେ। କିଛିଦିନ ତଳେ ଖଣ୍ଡଗିରି ଥାନା ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କ ଠାରୁ ଜବତ ହୋଇଥିବା ବାଇକ୍‌ ମଧ୍ୟରେ ଉକ୍ତ ବାଇକ୍‌ ଥିଲା। ଲୁଟେରା ମାନଙ୍କୁ ପଚରା ଉଚରା ବେଳେ ସେମାନେ ଶଶିକାନ୍ତଠାରୁ ବାଇକ୍‌ ନେଇଥିବା ମାନିଥିଲେ। ଏହାପରେ ନୂଆପଲ୍ଲୀ ଥାନା ପୁଲିସ ଶଶିକାନ୍ତକୁ ଗିରଫ କରିଥିଲା। ଖଣ୍ଡଗିରି ଥାନା ପୁଲିସ ବାଇକ୍‌କୁ ନୂଆପଲ୍ଲୀ ଥାନା ଜିମା ଦେଇଥିଲା। ବାଇକ୍‌ ଜବତ ହୋଇଥିବା ଜାଣିବା ପରେ ସମ୍ପୃକ୍ତ ବାଇକ୍‌ ମାଲିକ ଥାନାକୁ ଆସି ଯୋଗାଯୋଗ କରିଥିଲେ। ତେବେ ଗାଡ଼ି ଫେରସ୍ତ ପାଇଁ ଏସ୍‌ଆଇ ଶ୍ରୀ ପରିଡ଼ା ୮ ହଜାର ଟଙ୍କା ନେଇଥିଲେ। ଏନେଇ ବାଇକ୍‌ ମାଲିକ ଡିସିପିଙ୍କ ନିକଟରେ ଅଭି‌ଯୋଗ କରିଥିଲେ। ଡିସିପି ଘଟଣାର ତଦନ୍ତ କରି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀଙ୍କୁ ରିପୋର୍ଟ ଦେଇଥିଲେ।

ସମ୍ବନ୍ଧିତ ଖବର