ଖଣ୍ଡଗିରିରୁ ହଟିବ ହିଞ୍ଜିିଡ଼ା ହାଟ

୧ ପ୍ଲାଟୁନ୍‌ ପୁଲିସ ନିୟୋଜିତ

ଖଣ୍ଡଗିରି: ଜୟଦେବ ବାଟିକା ରାସ୍ତାରେ ବସୁଥିବା ନିତିଦିନିଆ ହିଞ୍ଜିିଡ଼ା ହାଟକୁ ସବୁଦିନ ପାଇଁ ଉଠାଇ ଦେବାକୁ କିମସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଖୋଦ୍‌ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏଭଳି କଡ଼ା ନିର୍ଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଆଜିଠାରୁ ଖଣ୍ଡଗିରି ଥାନା ପୁଲିସ ଏ ନେଇ ଅଭିଯାନ ଆରମ୍ଭ କରିଛି। ୧ ପ୍ଲାଟୁନ୍‌ ପୁଲିସ ବଳ ସହଯୋଗରେ ଆଜି ସନ୍ଧ୍ୟାରୁ ଖଣ୍ଡଗିରି ଥାନା ପୁଲିସ ଏଠାରୁ ହିଞ୍ଜିଡ଼ାମାନଙ୍କୁ ତଡ଼ିବା ଆରମ୍ଭ କରିଛି। ସଂଜ ନଉଁନଉଁ ଏହି ରାସ୍ତାରେ ହିଞ୍ଜିଡ଼ା ହାଟ ବସି ଯାଉଥିଲା। ପ୍ରସ୍ତାବିତ ବସ୍‌ ଟର୍ମିନାଲଠାରୁ ଆରମ୍ଭ କରି ରାସ୍ତାକଡ଼ ସାରା ହିଞ୍ଜିଡ଼ାମାନେ ଆସ୍ଥାନ ଜମାଉଥିଲେ। ସେମାନଙ୍କ ପାଖରେ ଅସାମାଜିକ ତତ୍ୱମାନଙ୍କ ଭିଡ଼ ଜମୁଥିଲା। ଫଳରେ ଏହି ଜରୁରି ରାସ୍ତାରେ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଝିଅବୋହୂଙ୍କୁ ନେଇ ଏହି ରାସ୍ତାରେ ଲୋକେ ଯାତାୟାତ କରିବା ସମ୍ଭବ ହେଉନଥିଲା। ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ସନ୍ଧ୍ୟାରେ ଯା’ଆସ କରିପାରୁନଥିଲେ। ହିଞ୍ଜିିଡ଼ାମାନଙ୍କ ପାଖକୁ ଆସୁଥିବା ଅସାମାଜିକ ଯୁବକମାନେ ଏଠାରେ ମଉକା ଦେଖି ଲୁଟ୍‌ପାଟ ଓ ଛିନ୍‌ତାଇ ଭଳି କାଣ୍ଡ କରୁଥିଲେ। ବିଳମ୍ବିତ ରାତିରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଲୁଟ୍‌ର ଶିକାର ହେଉଥିଲେ। ବିଶେଷକରି ଆମ୍ରି ହସ୍ପିଟାଲକୁ ଯାଉଥିବା ରୋଗୀ ସମ୍ପର୍କୀୟମାନେ ଲୁଟ୍‌ର ଶିକାର ହେଉଥିଲେ। ସେହିଭଳି ଏହି ରାସ୍ତାରେ ବହୁ ଦୁର୍ଘଟଣା ମଧ୍ୟ ଜୀବନହାନିର କାରଣ ପାଲଟିଥିବା ଉଦାହରଣ ରହିଛି। ତେବେ ସମଗ୍ର ରାଜଧାନୀରେ ଏହି ହିଞ୍ଜିଡ଼ା ହାଟ ହିଁ ଥିଲା ଭଲ ବେପାରସ୍ଥଳ। ତେଣୁ ପୂର୍ବରୁ ଏହି ହାଟକୁ କବ୍‌ଜା କରିବା ପାଇଁ ଦୁଇ ହିଞ୍ଜିଡ଼ା ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା ଓ କଥା ମାର୍‌ପିଟି ପର୍ଯ୍ୟନ୍ତ ଯାଇଥିଲା।

ଏ ସଂପର୍କରେ ଜାଣିବା ପରେ ଡିସିପି ଶ୍ରୀ ସାହୁ ଖଣ୍ଡଗିରି ଥାନାକୁ କଡ଼ା ନିର୍ଦେଶ ଦେଇଛନ୍ତି। ଏହି ରାସ୍ତାକୁ ବିପଦମୁକ୍ତ କରିବା ପାଇଁ ପ୍ରଥମେ ହିଞ୍ଜିଡ଼ାମାନଙ୍କୁ ତଡ଼ିବା ପାଇଁ ସେ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ସେ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମଧ୍ୟ ନିୟୋଜିତ କରାଇଛନ୍ତି। ତେଣୁ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ହିଞ୍ଜିଡ଼ା ହଟାଅ ଅଭିଯାନ। ରାସ୍ତାକଡ଼ରେ ଠିଆ ହେଉଥିବା ହିଞ୍ଜିଡ଼ାମାନଙ୍କୁ ତଡ଼ି ଦିଆଯାଇଛି। ସେହିଭଳି ବିନା କାରଣରେ ବାଇକ୍‌ ଧରି ଠିଆ ହେଉଥିବା ଯୁବକମାନଙ୍କୁ ପୁଲିସ ତଡ଼ିଛି। ଗାଡ଼ି ଯାଞ୍ଚ କରି କିଛି ଯୁବକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ ସୂଚନାନୁସାରେ ଏଥିପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ହୋଇଥିବା ପୁଲିସ ଫୋର୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ କେବଳ ସେହି ରାସ୍ତାରେ ପଇଁତରା ମାରିବେ। ବସ୍‌ ଟର୍ମିନାଲ୍‌ ସେଡ୍‌ରେ ଏକ ଅସ୍ଥାୟୀ କ୍ୟାମ୍ପ ରହିବ। ଏହା ଏକ ବିଟ୍‌ ହାଉସ୍‌ ଭଳି ସେଠାରେ କାମ କରିବ। ଆବଶ୍ୟକ ପଡ଼ିଲେ ମାସେ ପର୍ଯ୍ୟନ୍ତ ଏହି କ୍ୟାମ୍ପ ସେଠାରେ ରହିବ ବୋଲି ସେ କହିଛନ୍ତି। ସୂଚନାନୁସାରେ ଆଗାମୀ ଦିନରେ ୧୬ ନମ୍ବର ଜାତୀୟ ରାଜପଥରେ ତମାଣ୍ଡୋ ଓ ଯାଁଳା ଅଞ୍ଚଳରେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର