ଢାବା କର୍ମଚାରୀଙ୍କୁ ପୁଲିସ ଏସ୍‌ଆଇଙ୍କ ମାଡ଼ ଘଟଣା : ତଦନ୍ତ ନିର୍ଦେଶ ଦେଲେ ପୁଲିସ କମିସନର

ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ନିକଟରେ ଥିବା ଏକ ଢାବାର ଦୁଇ କର୍ମଚାରୀଙ୍କୁ କ୍ୟାପିଟାଲ ଥାନା ଏସ୍‌ଆଇ ଶୁଭେନ୍ଦୁ ସାହୁ ମାଡ଼ ମାରିବା ଘଟଣାର ତଦନ୍ତ ହେବ। ତଦନ୍ତରେ ଶୁଭେନ୍ଦୁଙ୍କ ବିରୋଧରେ ପ୍ରମାଣ ମିଳିଲେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ।

ଆଜି ବିଭିନ୍ନ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିସନର୍‌ ଖୁରାନିଆ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏସ୍‌ଆଇ ଶ୍ରୀ ସାହୁଙ୍କ ବିରୋଧରେ ଏଭଳି ଏକାଧିକ ଅଭିଯୋଗ ଆସିଥିଲା। ଯେଉଁ କାରଣରୁ ତାଙ୍କର ବର୍ଷକ ତଳେ କ୍ୟାପିଟାଲ ଥାନାରୁ ରିଜର୍ଭକୁ ବଦଳି କରାଯାଇଥିଲା। କିନ୍ତୁ ବର୍ଷେ ହେବ ତାଙ୍କ ବଦଳି କରାଯାଇ ନାହିଁ। ଫଳରେ ଦିନକୁ ଦିନ ଥାନା ଅଞ୍ଚଳରେ ତାଙ୍କ ଉତ୍ପାତ ବଢ଼ି ବଢ଼ି ଚାଲିଛି। ଏହାକୁ ନେଇ ତାଙ୍କ ଉପରେ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। କାହା ଚାପରେ ତାଙ୍କର ବଦଳି ହେଉ ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ।

ଏଠାରେ ପ୍ରକାଶଥାଉକି, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଥିବା ସାଇକୃପା ନାମକ ଏକ ଢାବା ଖୋଲା ଥିଲା। ହୋଟେଲରେ ଜଣେ କର୍ମଚାରୀ ବିଷ୍ଣୁ ଖାଉଥିଲେ। ଏହି ସମୟରେ ହୋଟେଲ୍‌ର ଲାଇଟ ଜଳୁଥିବା ଦେଖି କ୍ୟାପିଟାଲ ଥାନାର ସମ୍ପୃକ୍ତ ଅଧିକାରୀ ସେଠାରେ ପହଞ୍ଚି ଲାଇଟ୍‌ ଲିଭାଇବାକୁ ତାଗିଦ କରିଥିଲେ। ଲାଇଟ ବି ଲିଭିଥିଲା। ହେଲେ ପୁଲିସ୍‌ ଭ୍ୟାନ୍‌ ଯିବା ପରେ ଲାଇଟ ପୁଣି ଜଳିଥିଲା ଓ କର୍ମଚାରୀ ପୂର୍ବବତ୍‌ ଖାଇବା ଆରମ୍ଭ କରିଥିଲେ। ଏହା ଦେଖି ପୁଲିସ୍‌ ଭ୍ୟାନ୍‌ ଫେରିଥିଲା। ଅଧିକାରୀ ଜଣକ ସମ୍ପୃକ୍ତ କର୍ମଚାରୀଙ୍କୁ ଗଳା ଧକ୍କା ଦେଇ ଭ୍ୟାନ୍‌ ଭିତରେ ପୂରାଇଥିଲେ। ଏହି ସମସ୍ତ କାର୍ଯ୍ୟକଳାପ ଢାବାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଏହା ପରେ ଥାନାରେ ଆରମ୍ଭ ହୋଇ ଯାଇଥିଲା ନିର୍ଧୂମ ଛେଚା। ତେବେ ରାତି ୧୨ ପରେ ଢାବା ମାଲିକ ପୂର୍ଣଚନ୍ଦ୍ର ଦାସ ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ଥାନାରେ ଆପୋସ ଅଲୋଚନା କରି ଜରିମାନା ଦେଇ ଦୁହିଁଙ୍କୁ ଥାନାକୁ ଆଣିଥିଲେ। ଆସନ୍ତାକାଲି ଏ ନେଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର