ଶୈଳଶ୍ରୀବିହାରରେ ପୁଲିସ୍ ବିଟ୍ ହାଉସ୍ ବନ୍ଦ, କୋର୍ଟରେ ମାମଲା ରୁଜୁ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଛକରେ ଥିବା ବହୁ ପୁରାତନ ପୁଲିସ ବିଟ୍ ହାଉସ୍ ଏବେ ବନ୍ଦ ହୋଇଯାଇଛି। ପୂର୍ବରୁ ଉକ୍ତ ବିଟ୍ ହାଉସ୍‌ରେ ଜଣେ ଏଏସ୍ଆଇ ଓ ଦୁଇଜଣ କନ‌ଷ୍ଟେବଳ ରହି କାର୍ଯ୍ୟ କରୁଥିଲେ। ଏବେ ସେମାନଙ୍କ ପାଇଁ ଆଉ କାର୍ଯ୍ୟା‌ଳୟ ନାହିଁ। ପୁରୁଣା ବିଟ୍‌ ହାଉସ୍‌ଟି ମରାମତି ଅଭାବରୁ ଭାଙ୍ଗି ଯାଇଥିଲା। ଫଳରେ ଦୁଇବର୍ଷ ହେବ ସେଠାରେ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏବେ ସେଠାରେ ବିଏମ୍‌ସି ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିବାରୁ ବିବାଦ ଦେଖାଯାଇଛି। ଉକ୍ତ ନୂଆ ଘରକୁ ଥାନାକୁ ହସ୍ତାନ୍ତର କରି ପୁଣିଥରେ ପୁଲିସ୍ ବିଟ୍ ହାଉସ୍ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ ସମାଜସେବୀ ଇଂ. ଦିଲ୍ଲୀପ କୁମାର ସାହୁ। ଦାବି ପୂରଣ ନ ହେବାରୁ ଦିଲ୍ଲୀପ ‌ଏନେଇ ସ୍ଥାନୀୟ ଥାନା ଓ ଡିସିପିଙ୍କ ନିକଟରେ ଅଭିଯୋଗ କରିବା ସହ ଭୁବନେଶ୍ବର ସିଭିଲ ଜଜ୍‌ ଜୁନିୟର ଡିଭିଜନଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକ କହିଛନ୍ତି ଯେ ଉକ୍ତ ଘର ଶୈଳଶ୍ରୀବିହାର ଆବାସିକ ସଂଘର ଥିଲା। ପୁଲିସ୍ କେବଳ କାର୍ଯ୍ୟାଳୟକୁ ବ୍ୟବହାର କରି ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଓ ଆଇନ ଶୃଙ୍ଖଳା କାର୍ଯ୍ୟ କରୁଥିଲା। ଏବେ ପୁଲିସ୍ ଉକ୍ତ ଅଞ୍ଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଛି। ତେବେ ସେମାନଙ୍କୁ ଘର ମିଳିଲେ ପୁଣି ପୁଲିସ୍ ବିଟ୍ ହାଉସ୍‌ରେ କାର୍ଯ୍ୟ କରିବେ। ଅପରପକ୍ଷରେ ଶୈଳଶ୍ରୀ ବିହାର ଆବାସିକ ସଂଘର ସମ୍ପାଦକ ସୁରେଶ ରଥ କୁହନ୍ତି ବିଟ୍ ହାଉସ୍ ମରାମତି କରାନଯିବାରୁ ସେଠାରୁ ଗତ ଦୁଇ ବର୍ଷରୁ ଅଧିକ ଦିନ ହେବ କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି। ପରବର୍ତ୍ତୀ ସମୟରେ ସଂଘ ବିଟ୍ ହାଉସ୍ ପାଇଁ ସ୍ଥାନ ଦେବାକୁ ଚାହୁଁନାହିଁ। ତେବେ ଉକ୍ତ ସ୍ଥାନରେ ଏକ ଫାଣ୍ଡି ନିର୍ମାଣ କରିବା ପାଇଁ ସଂଘ ବିଏମ୍‌ସି ଡେପୁଟି କମିସନରଙ୍କ ସହ ଆଲୋଚନା କରିଛି। ସ୍ଥାନ ନିରୂପଣ କରାଗଲେ ଫାଣ୍ଡି ହେବ ବୋଲି ପ୍ରତିଶ୍ରୁତି ମିଳିଛି।

ସମ୍ବନ୍ଧିତ ଖବର