ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ୍‌ ଲଗାଇବାକୁ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ। ଆଜି କମିସନରେଟ୍‌ ପୁଲିସ ଓ ଏସ୍‌ଟିଏଫ୍‌ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ କ୍ୟାପିଟାଲ୍‌ ହାଟ ତଥା ୟୁନିଟ୍‌-୧ ମାର୍କେଟ୍‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ କରାଯାଇଛି। ସେହିଭଳି ଅନ୍ୟାନ୍ୟ ଜାଗାରୁ ଗ‌ଞ୍ଜେଇ ଭର୍ତ୍ତି ସିଗାରେଟ୍‌ ମିଳିଛି। ଏଭଳି ଚୋରା କ‌ାରବାର ଅଭିଯୋଗରେ ୩ଜଣଙ୍କୁ ଅଟକ ରଖାଯାଇଛି ଏବଂ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। 

Advertisment

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରୁ ପ୍ରଥମେ କ୍ୟାପିଟାଲ୍‌ ହାଟରେ ଚଢ଼ଉ କରାଯାଇଥିଲା। ବିଭିନ୍ନ ଗୁଟ୍‌ଖା ଜବତ କରାଯିବା ଦେଖି କିଛି ଦୋକାନୀ ଆପତ୍ତି ଉଠାଇଥିଲେ। ଗୁଟ୍‌ଖା ବିକିବା ଯଦି ବେଆଇନ, ତେବେ ଯେଉଁଠି ତିଆରି ହେଉଛି, ସେଠି ପୁଲିସ କ’ଣ ପାଇଁ ଚଢ଼ଉ କରୁନି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଥିଲେ। କମ୍ପାନି ତିଆରି କରୁଛି, ବଡ଼ବଡ଼ ବ୍ୟବସାୟୀଙ୍କ ମାଧ୍ୟମରେ ବଜାରକୁ ଆସୁଛି, ଅଥଚ ପୁଲିସ ଛୋଟ ଦୋକାନୀଙ୍କ ଉପରେ ଦାଉ ସାଧୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ନିଜକୁ ଗରିବ ମାଇପ ବୋଲି କହି ସେମାନେ ପୁଲିସକୁ କଟାକ୍ଷ କରିଥିଲେ। କେବଳ ସେତିକି ନୁହେଁ କମ୍ପାନି ମାଲିକମାନଙ୍କ ଉପରକୁ ପୁଲିସର ହାତ ପାଉନି ବୋଲି କହି ସେମାନେ ସମାଲୋଚନା କରିଥିଲେ। ସେହିଭଳି ଯେଉଁ ସେଲିବ୍ରିଟ୍‌ମାନେ ଗୁଟ୍‌ଖା ଉପରେ ବିଜ୍ଞାପନ କରି କୋଟିକୋଟି ଟଙ୍କା କମାଉଛନ୍ତି, ପୁଲିସ ସେମାନଙ୍କୁ କିଛି କହିପାରିବ କି ବୋଲି ପ୍ରଶ୍ନ କରିଥିଲେ। ମାତ୍ର ସେମାନଙ୍କ କଥା ପୁଲିସ ଶୁଣି ନଥିଲା। ବସ୍ତା ବସ୍ତା ଗୁଟ୍‌ଖା ଜବତ କରାଯାଇଥିଲା।