ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତକାଣ୍ଡ : ଜିତେନ୍ଦ୍ର ବିରୋଧରେ ମାମଲା, ମାନସିକ ୱାର୍ଡରେ ଭର୍ତ୍ତି

ବିଚଳିତ କରୁଛି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗୁରୁବାର ଦିନ ବିଧାନସଭା ସମ୍ମୁଖରେ ମା’ଙ୍କ ବେକରେ ଛୁରି ଲଗାଇ ଉନ୍ମତ୍ତକାଣ୍ଡ ଘଟାଇଥିବା ପୁଅ ଜିତେନ୍ଦ୍ର ପାଳ ବିରୋଧରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିଛି। ତା’ ବିରୋଧରେ ଆଇପିସି ଦଫା-୧୪୩, ୨୬୯, ୨୭୦, ୧୪୯ ଓ ମହାମାରୀ ଆଇନର ଧାରା-୩ ଏବଂ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୯୬ ଅନୁସାରେ ମାମଲା ରୁଜୁ ହୋଇଛି। ଏଥିସହ ସିଆର୍‌ପିସି ୪୧ରେ ମଧ୍ୟ ତାକୁ ନୋଟିସ୍ କରାଯାଇଛି। ତେବେ ଜିତେନ୍ଦ୍ରର ମାନସିକ ସ୍ଥିତି ଠିକ୍ ନ ଥିବାରୁ ତାକୁ କଟକ ବଡ଼ ମେଡିକାଲର ମାନସିକ ରୋଗ ୱାର୍ଡରେ ଭର୍ତି କରାଯାଇଛି। ଏଥିସହ କମିସନରେଟ୍‌ ପୁଲିସ ନୟାଗଡ଼ ଜିଲ୍ଲା ଦଶପଲ୍ଲା ପୁଲିସଠାରୁ ଜିତେନ୍ଦ୍ର ପରିବାର କରିଥିବା ଉମାକାନ୍ତ ପ୍ରଧାନ ହତ୍ୟାକାଣ୍ଡର ଫାଇଲ୍‌ ମଗାଇ ତର୍ଜମା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଜିତେନ୍ଦ୍ର ଓ ତାଙ୍କ ମା’ ଝରଣା ସଚିବାଳୟ ମାର୍ଗରେ ଚାଲି ଚାଲି ଯାଉଥିଲେ। ଜିତେନ୍ଦ୍ର ହଠାତ୍ ବ୍ୟାଗରୁ ଏକ ଛୁରି ବାହାର କରି ଝରଣାଙ୍କ ବେକରେ ଲଗାଇ ଗର୍ଜନ କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ଝରଣା ଛାଟିପିଟି ହୋଇ ତଳେ ପଡ଼ି ଯାଇଥିଲେ ମଧ୍ୟ ଜିତେନ୍ଦ୍ର ତାଙ୍କୁ ଛାଡ଼ିନଥିଲା। ଅଚାନକ ଏମିତି ଏକ କାଣ୍ଡ ଦେଖି ପୁଲିସ ହତବାକ୍‌ ହୋଇପଡ଼ିଥିଲା। ପ୍ରାୟ ଅଧଘଣ୍ଟା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗରେ ପୁଲିସ ଝରଣାଙ୍କୁ ଉଦ୍ଧାର କରିଥିଲା। ବଡ଼ କଥା ହେଉଛି, ଜିତେନ୍ଦ୍ରର ଏହି ଉନ୍ମତ୍ତକାଣ୍ଡର କାରଣ କିଛି ସ୍ପଷ୍ଟ ହୋଇନଥିଲା। ଗର୍ଜନ କରି ସେ ଏଣୁତେଣୁ ଗପୁଥିଲା ଓ ତା’ କଥାରୁ କିଛି ବାରି ହେଉନଥିଲା। କି ଉଦ୍ଦେଶ୍ୟ ରଖି ସେ ଏଭଳି କାଣ୍ଡ କରିଥିଲା, ତାହା କେହି ବି ବୁଝିପାରିନଥିଲେ। କେତେବେଳେ ଏମାର ମଠରୁ ଚୋରି କଥା କହୁଥିଲା ତ କେତେବେଳେ ମନ୍ତ୍ରୀମାନେ ଚୋର ବୋଲି କହୁଥିଲା। ତେବେ ନିଜର କୌଣସି ଦାବି ବା ସମସ୍ୟା କଥା ଉଠାଇନଥିଲା। ତେଣୁ ସେ ଜଣେ ମାନସିକ ରୋଗୀ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲେ ବି ବିଧାନସଭା ସମ୍ମୁଖରେ ଏଭଳି କାଣ୍ଡ କରି ବସିବା ପଛରେ କି ରହସ୍ୟ ରହିଛି, ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ସେହିଭଳି ମା’ ଝରଣାଙ୍କ କଥା ମଧ୍ୟ ସମସ୍ତଙ୍କୁ ଆହୁରି ଅଧିକ ସନ୍ଦେହ ମଧ୍ୟକୁ ଠେଲି ଦେଇଥିଲା। ଜଣେ ମହିଳାଙ୍କ ଭୂତ ତା ଦେହରେ ସବାର ହୋଇ ଏମିତି କରୁଛି ବୋଲି ସେ କହିଥିଲେ।

ବିଚଳିତ କରୁଛି ହତ୍ୟାକାଣ୍ଡ
ଜଣେ ମହିଳାଙ୍କ ଭୂତ ଜିତେନ୍ଦ୍ର ଦେହରେ ସବାର ହେଉଥିବା କଥାଟି(ମା’ ଝରଣା କହିଥିଲେ) ମିଛ ବୋଲି ପରେ ଜଣାପଡ଼ିଲା। ବରଂ ୨୦୧୪ ମସିହାରେ ମା’ ଝରଣା ଓ ବାପା ରମେଶ ରଚିଥିବା ଏକ ହତ୍ୟାକାଣ୍ଡ ଜିତେନ୍ଦ୍ରର ଏଭଳି ମାନସିକ ଅବସ୍ଥା ପାଇଁ ଦାୟୀ ବୋଲି ଜଣାପଡ଼ିଥିଲା। ଦଶପଲ୍ଲା କଉଡ଼ା ଗାଁର ବାସିନ୍ଦା ଏହି ପରିବାର ସେହି ଗାଁର ଉମାକାନ୍ତ ପ୍ରଧାନକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଝରଣାଙ୍କୁ ଅସଦାଚରଣ କରିବାକୁ ଉମାକାନ୍ତ ରାତିରେ ପାଚେରି ଡେଇଁ ଘରେ ପଶିଥିବା ଅଭିଯୋଗରେ ସେମାନେ ତାକୁ ହତ୍ୟା କରିଥିଲେ। ଉମାକାନ୍ତକୁ ବାନ୍ଧି ପକାଇବା ପରେ ଶାବଳ ଓ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସେ‌ତେବେଳେ ଜିତେନ୍ଦ୍ର ନାବାଳକ ଥିଲା ଓ ସେ ଯୁକ୍ତ ଦୁଇ ପଢ଼ୁଥିଲା। ସେ ମଧ୍ୟ ଏହି ହତ୍ୟାକାଣ୍ଡରେ ବାପାମା’ଙ୍କୁ ସହଯୋଗ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ତେଣୁ ବାପାମା’ଙ୍କୁ ଦଶପଲ୍ଲା ଉପକାରଗାରରେ ରଖାଯାଇଥିବା ବେଳେ ଜିତେନ୍ଦ୍ରକୁ ଅନୁଗୁଳ ବାଳସୁଧାର ଗୃହରେ ରଖାଯାଇଥିଲା। ପରେ ଝରଣା ଓ ରମେଶଙ୍କୁ ଉକ୍ତ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ୭ ବର୍ଷ ଜେଲ୍‌ ଦଣ୍ଡ ଦିଆଯାଇଥିଲା। ଏବେ ସେମାନେ ହାଇକୋର୍ଟରୁ ଜାମିନ୍‌ରେ ଆସିଛନ୍ତି। ତେବେ ବହୁ ପୂର୍ବରୁ ଜିତେନ୍ଦ୍ରକୁ ବାଳ ସୁଧାର ଗୃହରୁ ମୁକ୍ତି ମିଳିଥିଲା ଓ ସେ ଏହା ଭିତରେ ଗ୍ରାଜୁଏସନ୍‌ କରି ସାରିଛି। ମାତ୍ର ଉମାକାନ୍ତ ହତ୍ୟାକାଣ୍ଡରେ ସେ ଏବେ ବି ଅଭିଯୁକ୍ତ ରହିଛି। ତେଣୁ ଗତ କିଛି ଦିନ ହେଲା ସେ ମାନସିକସ୍ତରରେ ବିଚଳିତ ରହୁଥିବା ବାପା ରମେଶ ଓ ମାମୁଘର ଲୋକଙ୍କଠାରୁ ସୂଚନା ମିଳିଛି। ଅଜା, ମାମୁ ଓ ମା’ଙ୍କୁ ଅଧିକାଂଶ ସମୟରେ ଗାଳି ଦେଉଥିଲା ବୋଲି ଆଜି ତାଙ୍କ ଅଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉମାକାନ୍ତ ହତ୍ୟାକାଣ୍ଡର ଭୂତ ଏବେ ବି ତା ମୁଣ୍ଡରେ ବସା ବାନ୍ଧିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର