ଗୁରୁଦ୍ବାରରେ ରକ୍ତ ଛିଟା, ହତ୍ୟା ମାମଲା ରୁଜୁ କଲା ପୁଲିସ

ଭୁବନେଶ୍ୱର: ଗୁରୁବାର ସଂଧ୍ୟାରେ ଶ୍ରୀୟା ଛକ ନିକଟ ଗୁରୁଦ୍ବାର ପରିସରରୁ ୟୁନିଟ୍‌-୩ କାଞ୍ଜିଆହୁଦା ବସ୍ତିର ସୁବାସ ନାୟକଙ୍କ ଝୁଲନ୍ତା ଶବ ଜବତ ହେବା ପ୍ରସଙ୍ଗ ନୂଆ ମୋଡ଼ ନେଇଛି। କ୍ୟାପିଟାଲ ହସ୍‌ପିଟାଲରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି। ହତ୍ୟା ଅଭିଯୋଗ ହୋଇଥିବାରୁ ବ୍ୟବଚ୍ଛେଦରେ ଗଡ଼ବଡ଼ ଆଶଙ୍କା କରି ଶତାଧିକ ବସ୍ତି ବାସିନ୍ଦା ବ୍ୟବଚ୍ଛେଦ ଗୃହ ବାହାରେ ପହଞ୍ଚିଥିଲେ। ରିପୋର୍ଟ ଭୁଲ କରି ମାମଲାକୁ ଚାପିଦେବାକୁ ବସିଲେ କ୍ଷମା ଦିଆଯିବ ନାହିଁ ‌ବୋଲି କହି ହୋହଲ୍ଲା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ପାରିପାର୍ଶ୍ବିକ ପରିସ୍ଥିତି ଓ ବସ୍ତିବାସିନ୍ଦାଙ୍କ ଅଭିଯୋଗକୁ ଭିତ୍ତି କରି ଖାରବେଳ ନଗର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ, ଶବ ପାଖରୁ ମିଳିଥିବା ସୁଇସାଇଡାଲ ନୋଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ଏହା ସୁଇସାଇଡାଲ ନୋଟ୍‌ ନୁହେଁ’ ବୋଲି ପୁଲିସ କହିଛି। ହିନ୍ଦୀ ଅକ୍ଷରରେ ପଞ୍ଜାବୀ ଭାଷାରେ ଲେଖାଯାଇଥିବାରୁ ଗତକାଲି ଏହା ପଢ଼ିବା ସମ୍ଭବ ନଥିଲା। ଆଜି ଏହାକୁ ପଢ଼ାଯିବା ପରେ ଏହା ଛୋଟ ପିଲାଙ୍କର ଏକ ବିଷୟବସ୍ତୁରେ ଥିବା କେତେକ ପ୍ରଶ୍ନର ଉତ୍ତର ବୋଲି ଜଣାପଡ଼ିଥିଲା। ଏଣୁ ଏହା ସୁଇସାଇଡାଲ ନୋଟ୍‌ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଶବ ପାଖରେ ପଡ଼ିଥିବାରୁ ଏହା ସୁଇସାଇଡାଲ ନୋଟ୍ ‌ହୋଇ ଥାଇପାରେ ଭାବି ଜବତ କରିଥିଲେ ବୋଲି ପୁଲିସ କହିଛି। ସେହିପରି ମୃତକଙ୍କ ଶରୀରରେ ଥିବା ଖଣ୍ଡିଆ ଚିହ୍ନ ଘଟଣାଦିନର ନୁହେଁ, ତାହା ବହୁ ପୁରୁଣା ବୋଲି ଖାରବଳେ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି କହିଛନ୍ତି। ଅନ୍ୟପଟେ ଗୁରୁଦ୍ବାର ଏକ ଜନ ସେବାକାରୀ ସଂସ୍ଥା, ଏଠାରେ କିଏ କାହିଁକି ହତ୍ୟା କରିବ ବୋଲି ଗୁରୁଦ୍ବାର ମ୍ୟାନେଜର୍‌ ନିମାଁଇ ଚରଣ ପଟ୍ଟନାୟକ ପୂର୍ବବତ୍‌ ଦୋହରାଇଛନ୍ତି।

ସୂଚନା ମୁତାବକ, ଏହି ବସ୍ତିର ବାସିନ୍ଦା ଦୁଃଶାସନ ନାୟକ ଦୀର୍ଘ ଦିନ ହେବ ଗୁରୁଦ୍ବାରରେ ସହାୟକ ଭାବେ କାମ କରିଆସୁଛନ୍ତି। ଦେଢ଼ବର୍ଷ ହେଲା ତାଙ୍କ ପୁଅ ସୁବାସ ଏଠାରେ ସୁଇପର୍‌ ଭାବେ କାମ କରୁଥି‌ଲେ। ଗୁରୁବାର ସକାଳ ୭ଟା ବେଳେ ସୁବାସ କାମକୁ ଆସିଥିବା ବେଳେ ସନ୍ଧ୍ୟାରେ ଉପର ମହଲାରେ ଥିବା ଏକ ଗେଷ୍ଟ ରୁମ୍‌ରେ ତାଙ୍କର ଶବ ଫ୍ୟାନ୍‌ରେ ଝୁଲୁଥିବା କର୍ମଚାରୀ ଦେଖିଥିଲେ। ପରିସ୍ରାନଳୀରୁ ରକ୍ତ ବାହାରି ଚଟାଣରେ ପଡ଼ିବା ସହ ତାଙ୍କ ଦେହରେ ଖଣ୍ଡିଆ ଖାବରା ଥିବାରୁ ପରିବାର ସଦସ୍ୟ ହତ୍ୟ‌ାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ସେଠାରେ ବ୍ୟାପକ ଭଙ୍ଗାରୁଜା ବି ହୋଇଥିଲା। ଦୀର୍ଘ ସମୟ ଧରି ପୁଲିସ ବସ୍ତିବାସିନ୍ଦାଙ୍କୁ ବୁଝାଶୁଝା କରିଥିଲା।

ସମ୍ବନ୍ଧିତ ଖବର