୬ ଛେଳି,ମେଣ୍ଢା ଲୁଟେରାଙ୍କୁ ଉଠାଇ ନେଲା ବଳଙ୍ଗା ପୁଲିସ

ବାଲିଅନ୍ତା: ଆଜି ସକାଳେ ବଳଙ୍ଗା ଥାନା ପୁଲିସ ବାଳକାଟି ସାଇଫନ ଛକ ନିକଟରୁ ୬ ଜଣ ମେଣ୍ଢା ଓ ଛେଳି ଚୋରଙ୍କୁ ଉଠାଇ ନେଇଛି। ଘଟଣାସ୍ଥଳରୁ ପୁଲିସ ଏହି ଲୁଟରେ ବ୍ୟବହୃତ ୩ଟି ବାଇକ୍‌ ସହ ଗୋଟିଏ ମେଣ୍ଢା ସହିତ ୮ଟି ଛେଳି ଜବତ କରିଥିବା ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଦୁ ବରାଡ଼ କହିଛନ୍ତି। ଜବତ ଛେଳିମେଣ୍ଢାଗୁଡ଼ିକୁ ପୁଲିସ ବାଲିପାଟଣା ଥାନାକୁ ନେଇଥିଲା। ଅଭିଯୋଗକାରୀ ମେଣ୍ଢା ଓ ଛେଳିପାଳକଙ୍କୁ ବାଲିପାଟଣା ଥାନାକୁ ଡକାଇ ବଳଙ୍ଗା ପୁଲିସ ଛେଳି ମେଣ୍ଢା ଚିହ୍ନଟ କରି ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଥାନା ଅଧିକାରୀ ଶ୍ରୀ ବରାଡ଼ଙ୍କ ସୂଚନା ଅନୁସାରେ ବଳଙ୍ଗା ଥାନା ଅଞ୍ଚଳରୁ ଜଣେ ଛେଳି ଓ ମେଣ୍ଢା ପାଳକଙ୍କର ୨୨ଟି ମେଣ୍ଢା ଓ ଛେଳି ଚୋରି ଯାଇଥିଲା। ଏସଂପର୍କରେ ସଂପୃକ୍ତ ଅଭିଯୋଗକାରୀ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ସେଠାକାର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଥିଲା। କୌଣସି ସୂତ୍ରରୁ ବଳଙ୍ଗା ଥାନା ପୁଲିସ ବାଲିପାଟଣା ଥାନା ଅଧୀନ ମକୁନ୍ଦଦାଶପୁର ଗ୍ରାମରେ ଚୋରି ମେଣ୍ଢା ରଖା ଯାଇଥିବା ଖବର ପାଇ ବାଲିପାଟଣା ଥାନା ପୁଲିସ ସହାୟତାରେ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ସଂପର୍କରେ ଖବର ପାଇ ୩ଟି ବାଇକ୍‌ରେ ଚୋରି ମେଣ୍ଢା ଓ ଛେଳି ନେଇ ଲୁଟେରାମାନେ ବାଳକାଟି ବଜାର ମାଂସ ଦୋକାନ ଆଡ଼କୁ ଖସି ପଳାଇଥିଲେ।

ହେଲେ ଉପରୋକ୍ତ ଥାନା ପୁଲିସ ସେମାନଙ୍କୁ ସାଇଫନ ଛକ ନିକଟରେ କାବୁ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଲୁଟେରା ଖସି ପଳାଇଥିବା ଜଣେ ପୁଲିସ କର୍ମଚାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛିଦିନ ହେଲା ଏ ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ବର୍ଷକ ମଧ୍ୟରେ ୩୦୦୦ ମେଣ୍ଢା ଓ ଛେଳି ଚୋରି ଯାଇଥିବା ସଂପର୍କରେ ସ୍ଥାନୀୟ ଜ୍ଞାନଦେବୀ କଲ୍ୟାଣମଣ୍ଡପ ନିକଟରେ ନିକଟରେ ଅନୁଷ୍ଠିତ କମିସନର ଓ ବରିଷ୍ଠ ନାଗରିକ ଭାବ ବିନିମୟ ବୈଠକରେ ଅଭିଯୋଗ ହୋଇଥିଲା। ଏହାପରେ ବାଲିଅନ୍ତା ଥାନା ପୁଲିସ ନିଆଳିରୁ ଜଣେ ମାତ୍ର ମେଣ୍ଢା ଚୋରକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଏଯାଏ ଗିରଫ କରିପାରି ନାହିଁ। ଏଦିଗରେ ପୁଲିସ କର୍ତୃପକ୍ଷ ଛାନଭିନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର