ଭୁବନେଶ୍ବର: କମିସନରେଟ ପୁଲିସକୁ ମିଳିଛି ସଫଳତା। ଗତ ଦୁଇ ସପ୍ତାହ ଧରି ରାଜଧାନୀରୁ କାର୍ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କୁ ଏକ ଗୁପ୍ତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି।ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗକୁ ମଞ୍ଚେଶ୍ବର ଥାନା ପୁଲିସ କାବୁ କରିଛି। ଅଧିକ ତଥ୍ୟ ହାସଲ ପାଇଁ ସ୍ପେସାଲ ସ୍କ୍ବାଡ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ସ୍ପେସାଲ ସ୍କ୍ବାଡ୍ ମଧ୍ୟ ଛାନ୍ଭିନ ଆରମ୍ଭ କରିଛି। ଏହି ୭ ଜଣିଆ ଗ୍ୟାଙ୍ଗ୍ ମଧ୍ୟରୁ ଆଉ ଦୁଇଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ୩ଟି ବାଇକ୍, ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଜବତ ହୋଇଛି। ପୂର୍ବରୁ ରାଜଧାନୀରେ ଘଟିଥିବା ୭ଟି କାର୍ ଲୁଟ୍ରେ ଏହି ଗ୍ୟାଙ୍ଗ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି।
କେମିତି ଧରାପଡ଼ିଲା ଗ୍ୟାଙ୍ଗ୍: ଶନିବାର ବିଳମ୍ବିତ ରାତିରେ ବିକ୍ରମ କେଶରୀ ଧଳ ନାମକ ଜଣେ ବ୍ୟକ୍ତି ସିଆରପି ଛକରୁ ସହିଦନଗର ଆସୁଥିଲେ। ହଠାତ୍ ଜୟଦେବ ବିହାର ଫ୍ଲାଏ ଓଭର ଉପର ତାଙ୍କ କାରକୁ ପଛପଟୁ ଢେଲାମାଡ଼ ହୋଇଥିଲା। ବିକ୍ରମ କିଛି ବୁଝି ପାରି ନ ଥିଲେ। ପଛପଟୁ ଚାହିଁ ଦେଖନ୍ତି ତ ୩ଟି ବାଇକ୍ରେ ୭ ଜଣ ଯୁବକ ତାଙ୍କୁ ପିଛା କରୁଛନ୍ତି। ଯୁବକମାନେ ହାତରେ ଖଣ୍ଡା, କାତି ଓ ବନ୍ଧୁକ ମଧ୍ୟ ଧରିଥିଲେ। ଯୁବକମାନଙ୍କ ଏଭଳି କାଣ୍ଡ ଦେଖି ବିକ୍ରମ ତାଙ୍କ କାରକୁ ସହିଦନଗର ଆଡ଼କୁ ନ ନେଇ କଟକ ଆଡେ ଦ୍ରୁତ ଗତିରେ ଚଳାଇଥିଲେ। ଯୁବକମାନେ ମଧ୍ୟ ତାଙ୍କୁ ସେହି ଗତିରେ ପିଛା କରିଥିଲେ। ତେବେ ରସୁଲଗଡ଼ ଫ୍ଲାଏ ଓଭର ଶେଷ ଆଡକୁ ଏକ ପିସିଆର୍ ଭ୍ୟାନ୍ ଠିଆ ହୋଇଥିଲା। ପିସିଆର ଭ୍ୟାନକୁ ଦେଖି ବିକ୍ରମଙ୍କ ସାହସ ହୋଇଥିଲା। ଏହା ପୂର୍ବରୁ ସେ ପୁଲିସ କଣ୍ଟ୍ରୋଲ ରୁମ୍-୧୦୦କୁ ଡାଏଲ କରି ସାରିଥିଲେ। ପିସିଆର୍ ଭ୍ୟାନ୍ ପାଖରେ ପହଞ୍ଚିବା ପରେ ମଧ୍ୟ ଲୁଟେରାମାନେ ବିକ୍ରମଙ୍କ ସହିତ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ଏହା ପରେ ପୁଣି ଥରେ ବିକ୍ରମ ପୁଲିସକୁ ଫୋନ୍ କରିବା ପରେ କଣ୍ଟ୍ରୋଲ ରୁମ୍ରୁ ଖବର ପାଇ ଆଉ ୪ଟି ପିସିଆର ଭ୍ୟାନ୍, ମଞ୍ଚେଶ୍ବର, ଲକ୍ଷ୍ମୀସାଗର ଓ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ସହିତ ସେହି ଯୁବକମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଶେଷରେ ୨ ଜଣ ଖସିଯାଇଥିବା ବେଳେ ୫ଜଣଙ୍କୁ ପୁଲିସ କାବୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/arrest-4.jpg)