କାର୍‌ରେ ଆସି ନେଇ ଯାଉଥିଲେ ଜେସିବି ଓ ହାଇଵା, ଗ୍ୟାଙ୍ଗ ମୁଖ୍ୟ ସମେତ ୭ ଗିରଫ

କାର, ୩ ଜେସିବି, ୨ ହାଇଵା ଜବତ

ଭୁବନେଶ୍ବର: କାର୍‌ରେ ଆସୁଥିଲେ, ଲୁଟି ନେଉଥିଲେ ଜେସିବି ଓ ହାଇଵା। ରାଜଧାନୀ ସମେତ ପୁରୀ, ଗଞ୍ଜାମ, ଯାଜପୁର ଅଞ୍ଚଳରୁ ଏମିତି ଅଭିନବ ଢଙ୍ଗରେ ହାଇଵା ଓ ଜେସିବି ଲୁଟୁଥିବା ଗ୍ୟାଙ୍ଗକୁ ଠାବ କରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍। ଗ୍ୟାଙ୍ଗ ମୁଖ୍ୟ ସମେତ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ବ୍ୟବହୃତ ସ୍ବିଫ୍ଟ ଡିଜାୟାର୍ କାର(ଓଡି୦୫ଏକେ-୯୨୮୭), ୩ଟି ଜେସିବି ଓ ୨ଟି ହାଇଵା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ବାଙ୍କି ଥାନା ବାଆଁରା ଅଞ୍ଚଳର ସୁଶାନ୍ତ ପାତ୍ର, ରାଜୁ ପାତ୍ର, ରାମଚଣ୍ଡୀ ଅଞ୍ଚଳର ରାହୁଲ ରାଉତ ଓରଫ୍ ତପୁ, କଟକ ସଦର ଥାନା ଦଧିବାମନପୁର ଅଞ୍ଚଳର ରାଜକିଶୋର ଦାସ ଓରଫ୍ ରାଜା ଦାସ, କଟକ ଆଠଗଡ଼ କନ୍ତୋଳ ଅଞ୍ଚଳର ଠିକାଦାର ସୁବାସ ବେହେରା ଓରଫ୍ କାଳିଆ ଓ ହାଇଵା କିଣିଥିବା ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଥାନା ବୀରପଡ଼ା ଅଞ୍ଚଳର ଚା’ ବ୍ୟବସାୟୀ ଚନ୍ଦନ ସିଂ ଓ କ୍ରିଷ୍ଣା ସିଂ।

ଡିସିପି ଅନୁପ ସାହୁଙ୍କ ସୂଚନା ଅନୁସାରେ, ଧରା ପଡ଼ିଥିବା ଗ୍ୟାଙ୍ଗର ମୁଖ୍ୟ ଥିଲା ସୁଶାନ୍ତ ପାତ୍ର। ସୁଶାନ୍ତ କିଛି ଯୁବକଙ୍କୁ ଧରି ଗ୍ୟାଙ୍ଗ ତିଆରି କରିଥିଲା। ଜବତ ହୋଇଥିବା ଡିଜାୟାର କାରରେ ଅଭିଯୁକ୍ତମାନେ ଭୁବନେଶ୍ବର ସମେତ ଯାଜପୁର, ପୁରୀ ଓ ଗଞ୍ଜାମରେ ବୁଲିଥିଲେ। ବିଶେଷ କରି ରାଜପଥ କଡ଼ରେ ଛିଡ଼ା ହୋଇଥିବା ଜେସିବି ଓ ହାଇଵାକୁ ଟାର୍ଗେଟ କରୁଥିଲେ। ସେଠାରେ କିଛି ଘଣ୍ଟା ରହି ଭଲ ଭାବେ ନିରୀକ୍ଷଣ କରୁଥିଲେ। ସେହି ଗାଡ଼ି ନିକଟକୁ କେହି ଆସୁଥିଲେ କି ନାହିଁ ତାହା ଉପରେ ତୀକ୍ଷ୍ଣ ନଜର ରଖୁଥିଲେ। ବିଳମ୍ବିତ ରାତିରେ ଆସି ଗାଡ଼ି ଡୋର୍ କାଚ ଭାଙ୍ଗି ଦେଉଥିଲେ। ନକଲି ଚାବିରେ ଗାଡ଼ି ଖୋଲି ନେଇ ପଳାଉଥିଲେ। ଗାଡ଼ି ଚୋରି କରିବା ପରେ ଏହାକୁ ନେଇ ନିକାଞ୍ଚନ ସ୍ଥାନରେ ଲୁଚାଇ ରଖୁଥିଲେ। ସହଜରେ ସେଠାରେ ପହଞ୍ଚିବା ଗାଡ଼ି ମାଲିକଙ୍କ ପାଇଁ ମୁସ୍କିଲ ହେଉଥିଲା। କିଛି ଦିନ ଲୁଚାଇବା ପରେ ଗାଡ଼ି ବିକ୍ରି କରି ଦେଉଥିଲେ। ରାଜଧାନୀରେ ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବରରେ ଜେସିବି, ହାଇଵା ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏକାଧିକ ଅଭିଯୋଗ ଆସିବା ପରେ ତଦନ୍ତଭାର ସ୍ପେଶାଲ ସ୍କ୍ବାଡକୁ ଦିଆ ଯାଇଥିଲା। ସାଲିଆସାହିରେ ଏକ ଚୋରା ଗାଡ଼ି ମୂଲଚାଲ ଚାଲୁଥିବା ବେଳେ ଖବର ପାଇ ଧରିଥିଲା ସ୍ପେଶାଲ ସ୍କାଡ୍। ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାକୁ ଭିତ୍ତି କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଆଉ କିଛି ଗାଡ଼ି ଚୋରି ମାମଲାର ପର୍ଦ୍ଦାଫାସ ଲାଗି ଗ୍ୟାଙ୍ଗ ମୁଖ୍ୟ ସୁଶାନ୍ତକୁ ରିମାଣ୍ଡରେ ଆଣିବ ପୁଲିସ।

ଅଧା ଦାମରେ ବିକି ଦେଉଥିଲେ, ଠିକାଦାର ନେଉଥିଲେ
ରାଜଧାନୀରେ ପ୍ରାୟ ୮ଟି ଗାଡ଼ି ଚୋରି ମାମଲାର ତଦନ୍ତ କରୁଥିଲା ପୁଲିସ। କିଛି ଦିନ ଧରି ପିଛା କରିବା ପରେ ସ୍ପେଶାଲ ସ୍କ୍ବାଡ୍ ହାତରେ ଏହି ଗ୍ୟାଙ୍ଗ ଧରା ପଡ଼ିଛି। କମିସନରେଟ ପୁଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ ସୂଚନା ଅନୁସାରେ ପୁରୁଣା ଜେସିବି, ହାଇଵାର ବଜାର ମୂଲ୍ୟ ୭ ଲକ୍ଷରୁ ଆରମ୍ଭ କରି ୧୦/୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି। ଏହି ଗାଡ଼ି ଚୋର ଗ୍ୟାଙ୍ଗ ଗୋଟିଏ ଗୋଟିଏ ଗାଡ଼ିକୁ ୨ ଲକ୍ଷରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରି ଦିଅନ୍ତି। ଏତେ ଶସ୍ତାରେ ଗାଡ଼ି ମିଳୁଥିବାରୁ ଗ୍ରାହକ ବି ସହଜରେ ମିଳି ଯାଆନ୍ତି। କନଷ୍ଟ୍ରକସନ୍ କାମ କରୁଥିବା ପେଟି ଠିକାଦାର ଗାଡ଼ିକୁ କିଣି ନିଅନ୍ତି। ଆଠଗଡ଼ର ଠିକାଦାର ସୁବାସ ବେହେରାଙ୍କଠାରୁ ୩ଟି ଗାଡ଼ି ଜବତ କରିଛି ପୁଲିସ। ଆଉ କେଉଁଠି ଗାଡ଼ି ବିକ୍ରି ହେଉଛି ସେ ନେଇ ଖୋଳତାଡ଼ କରୁଛି ପୁଲିସ।

ପଶ୍ଚିମବଙ୍ଗରେ ବଦଳୁଥିଲା ଗାଡ଼ିର ଚେହେରା
ଗାଡ଼ି ଲୁଟିବା ପରେ ପଶ୍ଚିମବଙ୍ଗ ଜଲପାଇଗୁଡ଼ି ବୀରପଡ଼ା ଅଞ୍ଚଳର ଗ୍ୟାରେଜ୍ ମାଲିକଙ୍କ ସହ ଯୋଗାଯୋଗ କରୁଥିଲେ। ଚୋରି ଗାଡ଼ିକୁ ସେଠାରେ ଥିବା ଗ୍ୟାରେଜକୁ ପଠାଇ ଦେଉଥିଲେ। ଗ୍ୟାରେଜକୁ ଯିବା ପରେ ଗାଡ଼ିର ହୁଲିଆ ବଦଳି ଯାଉଥିଲା। ଗାଡ଼ିର କ୍ୟାବିନ୍ ସମେତ କିଛି ଯନ୍ତ୍ରାଂଶ ଗ୍ୟାରେଜରେ ବଦଳାଇ ଦେଉଥିଲେ। ଏପଟସେପଟ କରିବା ପରେ ଗାଡ଼ିକୁ ବିକ୍ରି କରି ଦେଉଥିଲେ। ଚୋରା ଗାଡ଼ି ସହଜରେ ଧରା ନ ପଡ଼ିବା ଲାଗି ଏଭଳି କରୁଥିଲେ। ସେଠାରୁ ଚନ୍ଦନ ସିଂ ଓ କ୍ରିଷ୍ଣା ସିଂ ଧରା ପଡ଼ିବା ପରେ ପୁଲିସକୁ ଏହି ତଥ୍ୟ ମିଳିଛି। ଏବେ ସୁଦ୍ଧା ୮ଟି ମାମଲାର ତଦନ୍ତ ଚାଲିଥିବା ବେଳେ ଆହୁରି ଗାଡ଼ି ଚୋରି ହୋଇଥିବା ସନ୍ଦେହ କରୁଛି ପୁଲିସ। ପଶ୍ଚିମବଙ୍ଗ ପୁଲିସ ସହ ସ୍ପେଶାଲ ସ୍କ୍ବାଡ୍ ଯୋଗାଯୋଗରେ ରହିବା ସହ ଅଧିକ ତଦନ୍ତ ଜାରି ରଖିଛି।

ରିମାଣ୍ଡରେ ଆସିବ ଗ୍ୟାଙ୍ଗ ମୁଖ୍ୟ ସୁଶାନ୍ତ
ଗ୍ୟାଙ୍ଗ ମୁଖ୍ୟ ସୁଶାନ୍ତକୁ ରିମାଣ୍ଡରେ ଆଣିବ ନୟାପଲ୍ଲୀ ଥାନା ପୁଲିସ। ରିମାଣ୍ଡରେ ଆଣିବା ପରେ ଅନ୍ୟ ଗାଡ଼ି ଚୋରି ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ପୁଲିସ ଆଶା ରଖିଛି। ଏହା ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିପାରିବ। ମଞ୍ଚେଶ୍ବର ଓ ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ୟ ଗାଡ଼ି ଚୋରି ସମ୍ପର୍କରେ ପୁଲିସ ତଥ୍ୟ ହାସଲ କରିବ ବୋଲି ଜଣାପଡ଼ିଛି। ଗାଡ଼ି ଆଉ କାହାକୁ ବିକ୍ରି ହୋଇଛି, ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି ସେ ସମ୍ପର୍କରେ ତଥ୍ୟ ମିଳିବ ବୋଲି ଆଶା ରଖିଛି ପୁଲିସ।

ସମ୍ବନ୍ଧିତ ଖବର