ଲୁଟେରା ଗ୍ୟାଙ୍ଗ ଠାବ, ୯ ଗିରଫ

୩୫ ମୋବାଇଲ୍ ଫୋନ୍‌, ୩ ବାଇକ୍‌ ଓ ୬ହଜାର ଟଙ୍କା ଜବତ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍‌ କରି ପୁଲିସର ନିଦ ହଜେଇ ଦେଇଥିବା ଏକ ଗ୍ୟାଙ୍ଗକୁ କମିସନରେଟ୍‌ ପୁଲିସ ଠାବ କରିଛି। ସ୍ପେସାଲସ୍କ୍ବାଡ୍‌, ଲକ୍ଷ୍ମୀସାଗର, ବଡ଼ଗଡ଼ ଓ ଜଟଣୀ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୫ଟି ମୋବାଇଲ୍‌ ଫୋନ୍‌, ୩ ବାଇକ୍‌ ଓ ୬ ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ଏୟାରଫିଲ୍ଡ ଥାନା ପଳାସପଲ୍ଲୀ ଅଞ୍ଚଳର ସୁଶାନ୍ତ ମହାରଣା ଓରଫ ତପୁ(୧୯) ଓ ଭୀମପୁର ଭୋଇସାହି ଅଞ୍ଚଳର ଅଶ୍ବିନୀ ପ୍ରଧାନ(୨୦)। ଉଭୟଙ୍କୁ ଲକ୍ଷ୍ମୀସାଗର ଥାନା ଗିରଫ କରିଥିବା ବେଳେ କ୍ୟାପିଟାଲ ଥାନା କେଦାରପଲ୍ଲୀ ଅଞ୍ଚଳର ବିବେକାନନ୍ଦ ଦଳେଇ ଓରଫ ଗଧିଆ(୨୨), ପ୍ରଦୀପ ନାଏକ ଓରଫ ପଦିଆ(୨୧), ପିଏଚ୍‌ଡି ସାହିର ସୋନୁ ନାୟକ(୨୫), ଲିପୁ ନାୟକ ଓରଫ ସାନପୁଅ(୨୨)କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ସେହିପରି ଖଣ୍ଡଗିରି ଥାନା ଧର୍ମ ବିହାରର ରବି ନାରାୟଣ ସାହୁ(୨୦), ଜାଗମରା ଅଞ୍ଚଳର ପିଙ୍କୁନ୍‌ ସାହୁ(୨୪) ଓ ଜଟଣୀ ଥାନା ଯାଁଳା ଅଞ୍ଚଳର ସନ୍ତୋଷ ନାୟକ(୨୨)କୁ ଜଟଣୀ ଥାନା ପୁଲିସ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଏହି ଗ୍ୟାଙ୍ଗ ରାଜଧାନୀର ସକ୍ରିୟ ହୋଇ ଉଠିଥିଲା। ଜନଗହଳି ସ୍ଥାନ, ଜାତୀୟ ରାଜପଥ ସେମାନଙ୍କ ଟାର୍ଗେଟ୍‌ ଥିଲା। ଭିଡ଼ର ସୁଯୋଗ ନେଇ ବିଭିନ୍ନ ଉପାୟରେ ଲୁଟ୍‌ କରୁଥିଲେ। ବିଭିନ୍ନ ମଲ୍‌, ଶିକ୍ଷାନୁଷ୍ଠାନ, ମେଡିକାଲ ନିକଟରୁ ବାଇକ୍‌ ନେଇ ଯାଉଥିଲେ। ଲୁଟେରାମାନଙ୍କ ଏଭଳି ଉତ୍ପାତ ସହରରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲା। ଏ ନେଇ ବିଭିନ୍ନ ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲା। ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ସେହିପରି କେତେକ ମୋବାଇଲ୍‌କୁ ଟ୍ରାକିଂ କରି ପୁଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗୁରୁବାର ରାତିରେ ସ୍ପେସାଲସ୍କ୍ବାଡ୍ ସହଯୋଗରେ ଲକ୍ଷ୍ମୀସାଗର, ବଡ଼ଗଡ଼, ଜଟଣୀ ଥାନା ପୁଲିସର ୬ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୁଟେରାମାନଙ୍କୁ ଗିରଫ କରିବା ସହ ଟଙ୍କା, ମୋବାଇଲ୍‌, ବାଇକ୍ ଜବତ କରିଥିଲା। ଏନେଇ ଲକ୍ଷ୍ମୀସାଗର, ବଡ଼ଗଡ଼ ଓ ଜଟଣୀ ଥାନା ପୁଲିସ ମାମଲା ରୁଜୁ କରି ଲୁଟେରାମାନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟ ଲୁଟେରାମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର