ପୁଲିସ ପଞ୍ଝାରେ ସାଇବର ଲୁଟେରା ଗ୍ୟାଙ୍ଗ୍: ବ୍ୟାଙ୍କ୍ ମ୍ୟାନେଜର ସମେତ ୪ ଗିରଫ
ହ୍ବାଟସ୍ଆପ୍ ଲିଙ୍କ୍ରେ ଫସାଇଉଥିଲେ, ବିଟ୍ କଏନ୍ରେ ଲୁଟୁଥିଲେ
ଭୁବନେଶ୍ବର: ହ୍ବାଟସ୍ ଆପ୍ରେ ଲିଙ୍କ୍ ପଠାଇ ଘରେ ବସି ରୋଜଗାର କରିବାର ଲୋଭ ଦେଖାଉଥିଲେ। କିଛିଦିନ ଭଲ ରିଟର୍ଣ୍ଣ ମିଳିବା ପରେ ବିଟ୍ କଏନ୍ରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉ ଥିଲେ। ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ଏଭଳି ଏକ ସାଇବର ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଠାବ କରିଛି। ଜଣେ ବ୍ୟାଙ୍କ୍ ସେଲ୍ସ ମ୍ୟାନେଜରଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଭୀମ୍ପୁରା ଅଞ୍ଚଳର ବିଜନ ପଣ୍ଡା(୩୬), ଆକ୍ସିସ୍ ବ୍ୟାଙ୍କ୍ର ସେଲ୍ସ ମ୍ୟାନେଜର ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳର ସୁନୀଲ କୁମାର ଦାସ(୩୦), ମୁଖ୍ୟ ସହଯୋଗୀ ବାଲେଶ୍ବର ଜିଲ୍ଲା ସିଂଲା ଅଞ୍ଚଳର ସପନ ଦଳେଇ(୪୦) ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ବିବେକାନନ୍ଦ ମଲ୍ଲିକ(୩୧)। ସେମାନଙ୍କ ନିକଟରୁ ୫ଟି ବ୍ୟାଙ୍କ୍ ପାସ୍ବୁକ୍, ୧୦ଟି ଏଟିଏମ୍ କାର୍ଡ, ଗୋଟିଏ ଲାପ୍ଟପ, ୪ଟି ମୋବାଇଲ୍, ୭ଟି ଚେକ୍ ଏବଂ ଗୋଟିଏ ସିମ୍ ଜବତ କରାଯାଇଛି।
ସୂଚନା ମୁତାବକ, ୨୦୨୨ ମସିହାରେ ଚିନ୍ତାମଣିଶ୍ବର ଅଞ୍ଚଳର ପ୍ରମୋଦ ସାହୁଙ୍କ ହ୍ବାଟସ୍ଆପ୍କୁ ଏକ ଅଜଣା ନମ୍ବରରୁ ଲିଙ୍କ୍ ଆସିଥିଲା। ଘରେ ବସି କେମିତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ସେନେଇ ଲିଙ୍କ୍ରେ ପ୍ରଦର୍ଶିତ ହୋଇଥିଲା। ପ୍ରମୋଦ ଲିଙ୍କ୍ ଯାଞ୍ଚ କରି ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲେ। ସାଇବର ଠକ ତାଙ୍କୁ ପ୍ରଥମେ ହଜାରେ ଟଙ୍କା ନିବେଶ କରିବାକୁ କହିଥିଲେ। ପ୍ରମୋଦ ହଜାରେ ଟଙ୍କା ନିବେଶ କରିବା ପରେ ତାଙ୍କୁ ଭଲ ରିଟର୍ଣ୍ଣ ମିଳିଥିଲା। ପରବର୍ତ୍ତୀ ସମୟରେ ସେ ୫୦ ହଜାର ଟଙ୍କା ନିବେଶ କରି ସପ୍ତାହକ ମଧ୍ୟରେ ୧୦ ହଜାର ଟଙ୍କା ଅଧିକ ରିଟର୍ଣ୍ଣ ପାଇଥିଲେ। ଏହାପରେ ସାଇବର ଲୁଟେରା ତାଙ୍କୁ ବିଟ୍ କଏନ୍ରେ ପୁଞ୍ଜି ନିବଶେ ପାଇଁ ପ୍ରବର୍ତ୍ତାଇଥିଲେ। ପ୍ରମୋଦ ପୂର୍ବରୁ ଭଲ ରିଟର୍ଣ୍ଣ ପାଇଥିବାରୁ ବିଟ୍ କଏନ୍ରେ ୫ଲକ୍ଷ ଟଙ୍କା ନିବେଶ କରିଥିଲେ। କିଛିଦିନ ପରେ ସାଇବର ଲୁଟେରା ତାଙ୍କୁ ଏକ ସ୍କ୍ରିନ୍ ସଟ୍ ପଠାଇଥିଲେ। ୫ଲକ୍ଷ ଟଙ୍କା ବଢ଼ି ୧୦ଲକ୍ଷ ଟଙ୍କା ହୋଇଯାଇଛି ବୋଲି ସେଥିରେ ଉଲ୍ଲେଖ ଥିଲା।
ପ୍ରମୋଦ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ପୁଣି ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ସେମାନେ ପ୍ରୋସେସିଂ ପାଇଁ ୨ଲକ୍ଷ ଟଙ୍କା ଦେବାକୁ କହିବାରୁ ପ୍ରମୋଦ ୨ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ବି ସେ ଟଙ୍କା ଉଠାଇ ପାରିନଥିଲେ। ସାଇବର ଠକ ତାଙ୍କୁ ବିଳମ୍ବ ହୋଇଥିବା କହି ପେନାଲ୍ଟି ବାବଦରେ ଅଢ଼େଇ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ କହିଥିଲେ। ପ୍ରମୋଦ ପୁଣି ଅଢ଼େଇ ଲକ୍ଷ ଡିପୋଜିଟ୍ କରିଥିଲେ। ତଥାପି ଟଙ୍କା ଉଠିନଥିଲା। କିନ୍ତୁ ସେମାନେ କହିଥିଲେ ଯେ ପୁଞ୍ଜି ୨୫ ଲକ୍ଷରୁ ଅଧିକ ହେଲାଣି। ତେଣୁ ଜିଏସ୍ଟି ଦେବାକୁ ହେବ। ପ୍ରମୋଦ ଜିଏସ୍ଟି ବାବଦକୁ ସାଢ଼େ ୪ଲକ୍ଷ ଟଙ୍କା ଜମା କରିଥିଲେ। ଏମିତିରେ ସାଇବର ଲୁଟେରା ତାଙ୍କଠାରୁ ୧୪ଲକ୍ଷ ଟଙ୍କା ନେଇଯାଇଥିଲେ। ଠକେଇର ଶିକାର ହେବା ଜାଣିବା ପରେ ପ୍ରମୋଦ ସାଇବର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସର ଏକ ଟିମ୍ ବାଲେଶ୍ବର ଓ ଭଦ୍ରକରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି। ଆଜି ୪ ଠକଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବ୍ୟାଙ୍କ୍ ଲିଙ୍କ୍ ଧରାଇଦେଲା
ଠକମାନେ ଯେଉଁ ସବୁ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରମୋଦଙ୍କଠାରୁ ଟଙ୍କା ନେଇଥିଲେ ପୁଲିସ ତାର ଖୋଳତାଡ଼ କରି ବାଲେଶ୍ବରର ଜଣେ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲା। ପଚରାଉଚରା ବେଳେ ସେ କହିଥିଲେ ଯେ ସରକାରୀ ଯୋଜନାରେ ତାଙ୍କୁ ଅର୍ଥ ମିଳିବ ବୋଲି କହି ବିଜନ ଓ ବିବେକାନନ୍ଦ ତାଙ୍କ ନାଁରେ ଏହି ଆକାଉଣ୍ଟ ଖୋଲିଥିଲେ। ଏହାପରେ ପୁଲିସ ଗ୍ୟାଙ୍ଗ୍କୁ ଠାବ କରିଥିଲା।
ସରକାରୀ ଯୋଜନା ନାଁରେ ନିରୀହ ଲୋକଙ୍କୁ ଫସାଉଥିଲେ
ବିଜନ ଓ ବିବେକାନନ୍ଦ ଗ୍ରାମାଞ୍ଚଳର ନିରୀହ ଲୋଙ୍କୁ ଟାର୍ଗେଟ୍ କରୁଥିଲେ। ବିଶେଷକରି ଦିବ୍ୟାଙ୍ଗ ଓ ପାଠ ପଢ଼ିନଥିବା ଲୋକଙ୍କୁ ସରକାରୀ ଯୋଜନରୁ ଉପକୃତ ହେବା ପାଇଁ ପ୍ରଲୋଭିତ କରି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଉଥିଲେ। ଆକ୍ସିସ୍ ବ୍ୟାଙ୍କର ସେଲ୍ସ ମ୍ୟାନେଜର ସୁନୀଲ ସହଯୋଗରେ କରେଣ୍ଟ ଆକାଉଣ୍ଟ ଖୋଲାଉଥିଲେ। ଏଟିଏମ୍ ଓ ଚେକ୍ବୁକ୍ ବିଜନ ଓ ବିବେକାନନ୍ଦ ପାଖରେ ରଖୁଥିଲେ। ଠକାମି ଟଙ୍କାକୁ ଉକ୍ତ ଆକାଉଣ୍ଟ ଜରିଆରେ ହଡ଼ପ କରୁଥିଲେ। ପୁଲିସ ବିଜନ ଆକାଉଣ୍ଟରୁ ୭ଲକ୍ଷ ଏବଂ ସୁନୀଲ୍ ଆକାଉଣ୍ଟରୁ ୩୨ଲକ୍ଷ ଏମିତି ମୋଟ୍ ୩୯ ଲକ୍ଷ ଟଙ୍କା ସିଜ୍ କରିଛି।