ଭୁବନେଶ୍ବର: ଆଖି ପିଛୁଳାକେ ଲୋକଙ୍କ ମୋବାଇଲ୍‌ ଝାମ୍ପି ନେଉଥିବା ଏକ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ୍‌ ଗିରଫ କରିଛି। ଗତକାଲି ନୂଆପଲ୍ଲୀ ଥାନା ପୁଲିସ୍‌ ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସହିଦନଗର ପୁଲିସ୍‌ ଅନ୍ୟ ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍ ମୋଟ ୧୦୨ଟି ମୋବାଇଲ୍‌, ୩ଟି ବାଇକ୍‌, ୪୦ ଗ୍ରାମ୍‌ ସୁନା ଜବତ କରିଛି। ଅଭିଯୁକ୍ତମାନେ ହେଲେ, କ୍ୟାପିଟାଲ୍‌ ଥାନା କେଦାରପଲ୍ଲୀ ବସ୍ତିର ସନ୍ତୋଷ ନାୟକ ଓରଫ ରକେଟ୍‌(୨୬), ପ୍ରଶାନ୍ତ ଘଡ଼େଇ(୨୩) ଏବଂ ରାଧାକ୍ରିଷ୍ଣବସ୍ତିର ସୂରଜ ଘଡ଼େଇ(୨୪)। ଗତକାଲି ଧରାପଡ଼ିଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଲେ, ସେକ୍‌ ଆୟୁବ ଓରଫ୍‌ ରାଜା ଓରଫ ବିକି ଓ ନ୍ୟୁଟନ୍‌ ପ୍ରଧାନ। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Advertisment

ପ୍ରକାଶ ଥାଉ କି, ପୂର୍ବରୁ ଅଭିଯୁକ୍ତମାନଙ୍କ ନାମରେ ପୂଆପଲ୍ଲୀ ଥାନାରେ ୨ଟି ମାମଲା ଥିବା ବେଳେ ସହିଦନଗର ଥାନାରେ ୫ଟି, କ୍ୟାପିଟାଲ ଥାନାରେ ୨ଟି, ଖାରବେଳନଗର ଥାନାରେ ୨ଟି ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ଗ୍ୟାଙ୍ଗର ମୁଖ୍ୟ ପ୍ରଶାନ୍ତ ୨୦୨୧ ମସିହାରେ ଗିରଫ ହୋଇଥିବା ବ‌େଳେ ଥାନାରୁ ଖସିଯାଇଥିଲା। ଯେଭଳି ପୁଲିସ ଚିହ୍ନିପାରିବ ନାହିଁ, ସେଥିପାଇଁ ଦେହସାରା ଟାଟୁ କରି ନିଜର ଚେହେରା ବଦଳାଇ ଦେଇଥିଲା। ପ୍ରଶାନ୍ତ ନାଁରେ ୩୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।

ଚୋରା ଗାଡ଼ିରେ ଲୁଟୁଥିଲେ

ରାସ୍ତାଘାଟ ବ୍ୟତୀତ ବସ୍‌ଷ୍ଟପ୍‌ ଓ ରେଳ ଷ୍ଟେସନ୍‌ରେ‌ ଶୋଇଥିବା ଯାତ୍ରୀଙ୍କୁ ଏହି ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରୁଥିଲା। ରାତିରେ ସେମାନେ ରେଳଷ୍ଟେସନ ଓ ବସ୍‌ଷ୍ଟପରେ ବୁଲି ବୁଲି ଶୋଇଥିବା ଯାତ୍ରୀଙ୍କ ବ୍ୟାଗ୍‌, ମୋବାଇଲ୍‌ ଲୁଟୁଥିଲେ। ସେହିପରି ରାସ୍ତାକଡ଼ରେ ପାର୍କିଂ ହୋଇଥିବା ବସ୍‌, ଟ୍ରକ ଭଳି ଗାଡ଼ିଗୁଡ଼ିକରୁ ମଧ୍ୟ ସୁଯୋଗ ପାଇ ଲୁଟୁଥିଲେ। ଏହାଛଡ଼ା ଏମାନେ ସ୍ପିଡ୍‌ ଓ ଦାମୀ ବାଇକ୍‌ ଚୋରି କରୁଥିଲେ। ସେହି ବାଇକ୍‌କୁ ଲୁଟ୍‌ପାଟ ପାଇଁ ବ୍ୟବହାର କରୁଥିଲେ।

ଚୋରା ମୋବାଇଲ୍‌ ଧରାଇଲା

କିଛି ଦିନ ହେବ ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍‌ପାଟ, ଛିନ୍‌ତାଇ, ଚୋରି ଭଳି ଆପରାଧିକ କାଣ୍ଡ ଘଟାଇ କମିସନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିଲା। ଗ୍ୟାଙ୍ଗକୁ ଠାବ କରିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଗତ ୧୦ ତାରିଖ ଦିନ ସକାଳ ସାଢ଼େ ୫ଟାରେ ଶୈଳବାଳା ମିଶ୍ର ନାମକ ଜଣେ ମହିଳା ଯାଜପୁର ଯିବା ପାଇଁ ଆଚାର୍ଯ୍ୟବିହାର ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ସେହି ସମୟରେ ପ୍ରଶାନ୍ତ ଓ ତା’ର ସହଯୋଗୀ ଏକ ବାଇକ୍‌ରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ସେଥିରେ ସୁନା ହାର, ଚୁଡ଼ି ଏବଂ ତାଙ୍କ ମୋବାଇଲ୍‌ ଥିଲା। ‌ଏନେଇ ସେ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶୈଳବାଳାଙ୍କ ମୋବାଇଲ୍‌କୁ ଟ୍ରାକିଂ କରି ପୁଲିସ ଲୁଟେରାଙ୍କ ଠିକଣା ଠାବ କରିଥିଲା। ଏହାପରେ ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଟିମ୍‌ କେଦାରପଲ୍ଲୀ ବସ୍ତିରେ ଚଢ଼ଉ କରି ପ୍ରଶାନ୍ତକୁ ଗିରଫ କରିଥିଲା। ତାକୁ ପଚରାଉଚରା ପରେ ସେ ଅନ୍ୟଭିଯୁକ୍ତଙ୍କ ଠିକଣା କହିଥିଲା। ପରେ ରକେଟ୍‌ ଏବଂ ସୂରଜ ଘରେ ଚଢ଼ଉ କରାଯାଇଥିଲା।
ଦିନକ ପୂର୍ବରୁ ନୂଆପଲ୍ଲୀ ଥାନା ପୁଲିସ ଗ୍ୟାଙ୍ଗର ସେକ୍‌ ଆୟୁବ ଓରଫ୍‌ ରାଜା ଓ ନ୍ୟୁଟନ୍‌ ପ୍ରଧାନ ଓରଫ ଲିଟୁକୁ ଗିରଫ କରିଥିଲା।