ଖଣ୍ଡଗିରି ଥାନା ପରିଦର୍ଶନ କଲେ ସିପି

ଖଣ୍ଡଗିରି : ବୁଧବାର ଦ୍ବୈତନଗରୀ ପୁଲିସ କମିସନର୍‌ ଭାବେ ଦାୟିତ୍ବ ନେବ‌ା ପରେ ସୁଧାଂଶୁ ଷଡ଼ଙ୍ଗୀ ବିଭିନ୍ନ ଥାନା ଘନଘନ ପରିଦର୍ଶନ କରୁଛନ୍ତି। ବୁଧବାର ରାତିରେ ନୂଆପଲ୍ଲୀ ଥାନା ପରିଦର୍ଶନ କରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ବୁଲି ଦେଖିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଥାନାରେ ଏକ ଘଣ୍ଟାରୁ ଅଧିକ ସମୟ ବିତାଇଛନ୍ତି। ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଏହି ଥାନା ଯେମିତି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ, ତାହା ଉପରେ ସେ ଉଭୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନାନୁସାରେ ସିପିଙ୍କର ଏହି ବିଭିନ୍ନ ଥାନା ଗସ୍ତ ପଛରେ ଅନ୍ୟ ଯାହା କିଛି ଉଦ୍ଦେଶ୍ୟ ଥାଉ ନା କାହିଁକି, ମୂଳ ଲକ୍ଷ୍ୟ ହେଉଛି, ଲୋକଙ୍କ ମନରେ ପୁଲିସ ପ୍ରତି ଥିବା ନକାରାତ୍ମକ ଭାବନାକୁ ଦୂର କରିବା। ତେଣୁ ଠିକଣା ଭାବେ ପୁଲିସ କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଦିନ ରାତି ପା‌ଟ୍ରୋଲିଂ କଡ଼ାକଡ଼ି କରିବା, ଦୁର୍ଘଟଣାଜନିତ ମାମଲାରେ ଅଧିକ ତତ୍ପରତା ପ୍ରଦର୍ଶନ କରିବା, ମହିଳା ଓ ଶିଶୁ ନିର୍ଯାତନା ମାମଲାକୁ ଅଧିକ ଗୁରୁତ୍ବ ଦେବା ଭଳି କେତୋଟି କଥାକୁ ନୂଆ ସିପି ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ବ ଦେଉଛନ୍ତି। ୧୬ ନମ୍ବର ଜାତୀୟ ରାଜପଥରେ ଖଣ୍ଡଗିରି ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ କର୍ମଚାରୀମାନେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ପଦକ୍ଷେପ ନେବାକୁ ସେ କହିଥିଲେ। ତେବେ ଏହା ଭିତରେ ନିଜ ନିଜ ଅଞ୍ଚଳର ବଡ଼ ବଡ଼ କୁଖ୍ୟାତ ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖିବାକୁ ସେ ନିର୍ଦେଶ ଦେଇଛନ୍ତି। ଜାମିନ୍‌ ପାଇ ଜେଲ୍‌ରୁ ଫେରୁଥିବା ଦୁର୍ବୃତ୍ତମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ କହିଛନ୍ତି। ବିଶେଷକରି ବାରମ୍ବାର ସମାନ ଧରଣର ଅପରାଧ ଘଟାଉଥିବା ସ୍ଥାନୀୟ ଅପରାଧୀମାନଙ୍କୁ ସ୍ବତନ୍ତ୍ର ତାଲିକାଭୁକ୍ତ କରି ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ଥାନାର ମାମଲା ସଂଖ୍ୟା, ଜନସଂଖ୍ୟା, ବସ୍ତି ସଂଖ୍ୟା ଓ କୁଖ୍ୟାତ ଅପରାଧୀମାନଙ୍କ ତାଲିକା ମାଗି ଦେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର