ରାସ୍ତା ଉପରେ ରାତି ବିତାଉଛନ୍ତି ସେନା ବାହିନୀ ଆଶାୟୀ ପ୍ରାର୍ଥୀ: ୧୨୦ ବାଟାଲିୟନ ସହ କଥା ହେଲେ ପୁଲିସ କମିସନର

ଏନ୍‌ଏଚ୍‌ଆରସି‌ରେ ଅଭିଯୋଗ

ଭୁବନେଶ୍ୱର: ୧୨୦ ବାଟାଲିୟନ୍‌ରେ ଚାଲିଥିବା ନିଯୁକ୍ତି ପରୀକ୍ଷାକୁ ନେଇ ସହରରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ହଜାର ହଜାର ଆଶାୟୀ ରାସ୍ତା ଉପରେ ରାତି ବିତାଉଥିବା ବେଳେ ଗଛମୂଳେ ମଧ୍ୟ ଶୋଉଥିବା ଦେଖାଯାଇଛି। ଝାଡ଼ା ପରିସ୍ରା ପାଇଁ ସେମାନେ ରାସ୍ତା କଡ଼ ବ୍ୟବହାର କରୁଥିବା ଦେଖାଯାଇଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବାରୁ କମିସନ ହସ୍ତକ୍ଷେପ କରିବାକୁ ଆଇନଜୀବୀ ବିଶ୍ବପ୍ରିୟ କାନୁନଗୋ, ବିଜୟ ପଣ୍ଡା, ଶୁଭାଶିଷ ପଣ୍ଡା, ଗୋଲକ ବିହାରୀ ନାୟକ, ପ୍ରକାଶ ଚନ୍ଦ୍ର ଦାସ, ସୁବ୍ରତ ମହାପାତ୍ର ପ୍ରମୁଖ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ଏଭଳି ଅଭିଯୋଗ ହେବା ପରେ ରବିବାର କମିସନରେଟ୍‌ ପୁଲିସ ପକ୍ଷରୁ କେତେକ ଆଶାୟୀଙ୍କ ପାଇଁ ଷ୍ଟାଡିୟମ ପରିସରରେ ରହିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ରହିଥିଲା ଯେ ସେମାନଙ୍କୁ ରାତି ୧୨ଟାରୁ ଧାଡ଼ି ବାନ୍ଧିବାକୁ ପଡ଼ୁଥିଲା। ଏଣୁ କେହି ଷ୍ଟାଡିୟମ ଯିବାକୁ ରାଜି ହୋଇ ନ ଥିଲେ। ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ୧୨୦ ବାଟାଲିୟନ ସହ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଲୋଚନା କରିଥିଲେ। ଆଶାୟୀମାନଙ୍କୁ କିଭଳି ରହିବା ସୁବିଧା ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ଆଲୋଚନା ମୁତାବକ ୧୨୦ ବାଟାଲିୟନ ପକ୍ଷରୁ ପରୀକ୍ଷାର୍ଥୀଙ୍କ ରହିବା ଲାଗି ଟେଣ୍ଟ କରାଯାଇଛି। ପିଲାମାନଙ୍କୁ ଟେଣ୍ଟକୁ ନେବା ଆଣିବା କରିବା ପାଇଁ ପୁଲିସ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯିବ। ସେମାନଙ୍କ ଖାଦ୍ୟପେୟ ବନ୍ଦୋବସ୍ତ ପାଇଁ ଦାତବ୍ୟ ଅନୁଷ୍ଠାନ ସହ ଆଲୋଚନା ହୋଇଛି ବୋଲି ପୁଲିସ କମିସନର ଟୁଇଟ୍‌ କରି ଜଣାଇଛନ୍ତି।

ସୂଚନା ମୁତାବକ, ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୨୦ ବାଟାଲିୟନ ପରିସରରେ ବିହାର ରେଜିମେଣ୍ଟରେ ଯୋଗ ଦେବାପାଇଁ ପରୀକ୍ଷା ଚାଲିଛି। ମାତ୍ର ୮୨ଟି ପଦ ପାଇଁ ଚୟନ ପରୀକ୍ଷା ହେଉଥିବା ବେଳେ ପ୍ରତ୍ୟେକ ଦିନ ୭ରୁ ୮ ହଜାର ପରୀକ୍ଷାର୍ଥୀ ଭାଗ ନେଉଛନ୍ତି। ଏଠାରେ ରହିବା ବ୍ୟବସ୍ଥା ନଥିବା ବେଳେ ସରକାରୀ ପାଇଖାନା ଯଥେଷ୍ଟ ହେଉନାହିଁ। ଫଳରେ ସେମାନେ ଶୀତ କାକରରେ ଗଛମୂଳେ ଏବଂ ରାସ୍ତା କଡ଼ରେ ଶୋଉଛନ୍ତି। ଏଥିରେ କେବଳ ଯେ ସେମାନଙ୍କର ମାନବାଧିକାର କ୍ଷୁର୍ଣ୍ଣ ହେଉଛି ତାହା ନୁହେଁ, ଭୁବନେଶ୍ବରର ପରିମଳ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି।

ସମ୍ବନ୍ଧିତ ଖବର