ରାକେଶଙ୍କୁ ଦେଖି ନାଚାର କମିସନରେଟ୍‌ ପୁଲିସ: ତଦନ୍ତକାରୀ ଟିମ୍ ପ୍ରଶ୍ନ ପଚାରିଲେ, ମୁହଁ ଖୋଲିଲେନି

ଜୀବନ ପ୍ରତି ବିପଦ ଥିବା କହିଲେ ଅଭିଯୋଗକାରୀ ଯୁବତୀ

ଭୁବନେଶ୍ବର: ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବନ୍ଧୁକ ମୁନରେ ଗର୍ଭପାତ କରାଇବା, ଗାଡ଼ି ବିକ୍ରି ନାଁରେ ଠକେଇ ଅଭିଯୋଗରେ ରାଉରକେଲା ପୁଲିସ ହାତରେ ଅଟକ ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ସବଇନ୍ସପେକ୍ଟର ଅଭିଯୁକ୍ତ ରାକେଶ ସାମଲଙ୍କୁ ନିଜ ଆଖିରେ ଦେଖି ଫେରିଛି ସ୍ବତନ୍ତ୍ର ପୁଲିସ ଟିମ୍। କମିସନରେଟ୍‌ ପୁଲିସର ୧୦ ଜଣିଆ ଟିମ୍ ରାକେଶଙ୍କୁ ରଘୁନାଥପାଲ୍ଲୀ ଥାନାରେ ଭେଟିଥିଲା। ମହିଳା ଥାନାରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି କେତେକ ପ୍ରଶ୍ନ ପଚାରିଥିଲା ପୁଲିସ ଟିମ୍। କିନ୍ତୁ ମୁହଁ ଖୋଲି ନ ଥିଲେ ରାକେଶ। କୌଣସି ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। ରାକେଶଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଆଣିବାକୁ ଚାହୁଥିଲେ ସ୍ବତନ୍ତ୍ର ଟିମ୍। କିନ୍ତୁ ରାକେଶଙ୍କ ଓକିଲ ହାଇକୋର୍ଟରୁ ମିଳିଥିବା ଅନ୍ତରୀଣ ସୁରକ୍ଷାର କାଗଜପତ୍ର ଦେଖାଇଥିଲେ। ଏହା ପରେ ଖାଲି ହାତରେ ଫେରିଛି ପୁଲିସ ଟିମ୍।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ରାକେଶଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ ଆଣିଥିଲେ ଯୁବତୀ। ୭ ତାରିଖରେ ଯୁବତୀ ପୁଲିସ କମିସନରଙ୍କୁ ଭେଟିବା ପରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ରାକେଶଙ୍କ ବିରୋଧରେ ସଙ୍ଗିନ ଦଫା ଲାଗିଥିଲା। ଗତ ୧୨ ତାରିଖରେ ଅଭିଯୋଗକାରୀ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାକେଶ ରାଉରକେଲାରେ ଥିବା ଖବର ପାଇ କମିସନରେଟ ପୁଲିସ ପକ୍ଷରୁ ଅଟକ ରଖିବା ଲାଗି ଅନୁରୋଧ କରାଯାଇଥିଲା। ଏହା ପରେ ରଘୁନାଥପାଲ୍ଲୀ ଥାନା ପୁଲିସ ରାକେଶଙ୍କୁ ଅଟକ ରଖିଥିଲା। ଗତକାଲି କମିସନରେଟ ପୁଲିସ ଟିମ୍ ରାଉରକେଲା ଯାଇଥିଲା। ଆଜି ରାକେଶଙ୍କୁ ଦେଖିବା ପରେ ପଚରାଉଚରା କରି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥିଲା। ଗତ ୮ ତାରିଖରେ ରାକେଶଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିବା ବେଳେ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ଜୀବନ ପ୍ରତି ବିପଦ ଥିବା କହିଲେ ଅଭିଯୋଗକାରୀ ଯୁବତୀ
ଭୁବନେଶ୍ବର: କ୍ୟାପିଟାଲ ଥାନାର ନିଲମ୍ବିତ ସବ୍‌ଇନ୍ସପେକ୍ଟର୍‌ ରାକେଶ ସାମଲଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆଣିଥିବା ଯୁବତୀ ଆଜି ପୁଣି ମୁହଁ ଖୋଲିଛନ୍ତି। ରାକେଶଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ସୁରକ୍ଷା ଯୋଗାଇ ଦେବା ଲାଗି କହିଛନ୍ତି ଯୁବତୀ। ଏ ନେଇ ସେ କାଲି ପୁଲିସ କମିସନର୍‌ଙ୍କୁ ଭେଟିବେ ବୋଲି ଯୁବତୀ କହିଛନ୍ତି। ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୁବତୀ।

ସମ୍ବନ୍ଧିତ ଖବର