ଭୁବନେଶ୍ବର: ଠିକ୍ ସମୟରେ ମାମଲାର ଚାର୍ଜସିଟ୍ ଦାଖଲ କର। ସମ୍ବେଦନଶୀଳ ମାମଲାକୁ ଗୁରୁତ୍ବର ସହ ନେଇ ଶୀଘ୍ର ତଦନ୍ତ ସାର। କାର୍ଯ୍ୟରେ ଖିଲାପ କଲେ ଘରେ ବସ। କାର୍ଯ୍ୟରେ ଢିଲା ଯୋଗୁ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଖଣ୍ଡଗିରି ଥାନା ଏସ୍ଆଇ ଦେବୀପ୍ରସାଦ ବେଉରାଙ୍କୁ ନିଲମ୍ବନ କରି ଏଭଳି କଡ଼ା ସନ୍ଦେଶ ଦେଇଛନ୍ତି। କାରଣ କମିସନରେଟ୍ ପୁଲିସ ବର୍ତ୍ତମାନ ନିଶାମାଫିଆ, ବନ୍ଧୁକ ମାଫିଆ, କୁଖ୍ୟାତ ଓ ଅଭ୍ୟାସଗତ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗିରଫ ପରେ ଯେଭଳି ସେମାନେ ଦୋଷୀ ସାବ୍ୟସ୍ତ ହେବେ ଏଥିପାଇଁ ପୁଲିସ ସମସ୍ତ ଉଦ୍ୟମ କରୁଛି। ହେଲେ କିଛି ତଦନ୍ତକାରୀ ଅଧିକାରୀଙ୍କ କୋହଳ ମନୋଭାବ ଅପରାଧୀଙ୍କୁ ସୁହାଇଛି। ଫଳରେ ସେମାନେ ସହଜରେ ଜାମିନ ପାଇ ପୁଣି ଅପରାଧ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।
ସ୍କାନର୍ରେ ବହୁ ଅଧିକାରୀ
ପୁଲିସ ମହଲରେ ଛାନିଆ
ଗତ ଏପ୍ରିଲ୍ ୧୧ ତାରିଖ ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଜୟଦେବବାଟିକା ରୋଡ୍ରେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଏନ୍କାଉଣ୍ଟର୍ କରି କୁଖ୍ୟାତ ନିଶାମାଫିଆ ସେକ୍ ଜାମ୍ସେଦ୍କୁ ଗିରଫ କରିଥିଲା। ତା’ ନିକଟରୁ ୨୦୦ ଗ୍ରାମ ବ୍ରାଉନ୍ସୁଗାର୍, ଗୋଟିଏ ମାଉଜର୍, ୨ ଲୋଡେଡ୍ କ୍ୟାଟ୍ରିଜ୍ ଓ ବାଇକ୍ ଜବତ କରାଯାଇଥିଲା। ଉଦ୍ବେଗର ବିଷୟ ଯେ ଏନ୍କାଉଣ୍ଟର ପରେ କୁଖ୍ୟାତ ନିଶାମାଫିଆ ବିରୋଧରେ ପୁଲିସ ଯେଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା କଥା ସେପରି କରି ନାହିଁ। ତାକୁ ଯେଭଳି ଦୋଷୀ ସାବ୍ୟସ୍ତ କରାଯିବ; ଏଥିପାଇଁ ପୁଲିସ ଯେଉଁ ପଦକ୍ଷେପ ନେବା କଥା ତାହା ନେଇନଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ଦେବୀପ୍ରସାଦ ବେଉରା ୬୦ଦିନ ଭିତରେ ଚାର୍ଜସିଟ୍ ନଦେବାରୁ କୋର୍ଟ ଅଭିଯୁକ୍ତକୁ ଜାମିନ୍ ମଞ୍ଜୁର କରିଥିଲେ। ଯାହାକି ପୁଲିସର ଅବହେଳାକୁ ପଦାରେ ପକାଇଥିଲା। କାର୍ଯ୍ୟରେ ଅବହେଳା ଯୋଗୁ ପୁଲିସ କମିସନର ଦେବୀପ୍ରସାଦଙ୍କୁ ନିଲମ୍ବନ କରିଥିବା ବେଳେ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ସତର୍କ ଘଣ୍ଟି ହୋଇଛି। କାରଣ କମିସନରେଟ୍ ପୁଲିସରେ କେବଳ ଦେବୀପ୍ରସାଦ ନୁହନ୍ତି, ଏଭଳି ଅନେକ ଅଧିକାରୀ ମଧ୍ୟ ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରୁନାହାନ୍ତି। ଯାହାକି ଅପରାଧୀଙ୍କ ପାଇଁ ଅପରାଧ ଘୋଡ଼ାଇବାକୁ ସୁଯୋଗ ସୃଷ୍ଟି କରୁଛି। ତେଣୁ ଦେବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ଅନ୍ୟମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।