ବରିଷ୍ଠ ନାଗରିକଙ୍କୁ ପୁଲିସ କମିସନର୍‌ଙ୍କ ପରାମର୍ଶ, ସହାୟତା ଆପ୍‌ ବ୍ୟବହାର କର

ଭୁବନେଶ୍ବର: ସୁରକ୍ଷିତ ରାଜଧାନୀ ପ୍ରତିଷ୍ଠା ଦିଗରେ କମିସନରେଟ୍‌ ପୁଲିସର ଉଦ୍ୟମ ଅବ୍ୟାହତ ରହିଛି। ଏହି କ୍ରମରେ ଆଜି ହଜାରେରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ସହ ପୁଲିସ କମିସନର (ସିପି) ସୁଧାଂଶୁ ଷଡ଼ଙ୍ଗୀ ଆଲୋଚନା କରିଛନ୍ତି। ସୁରକ୍ଷାକୁ ନେଇ ସେମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କଠାରୁ ପରାମର୍ଶ ଗ୍ରହଣ କରିଛନ୍ତି। ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ରବିବାର ଅପରାହ୍‌ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଥାନାର ଆଇଆଇସିମାନେ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହ ଯେକୌଣସି ସମୟରେ ସସମ୍ୟାର ସମ୍ମୁଖୀନ ହେଲେ ବା ପୁଲିସର ସାହାଯ୍ୟ ଆବଶ୍ୟକ ମନେ କଲେ ‘ସହାୟତା’ ଆପ୍‌ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ନିଜର ସୁରକ୍ଷା ପାଇଁ ସମସ୍ତେ ସିସିଟିଭି ଲଗାଇବା ସହ ଦୀର୍ଘ ସମୟ ପାଇଁ ବାହ‌ାରେ ରହିବାକୁ ହେଲେ ଆଇପି ଆଡ୍ରେସ୍‌ ସହ ପାସ୍‌ୱାର୍ଡ ପୁଲିସକୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଅବସରରେ ସେମାନଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନିକଟ ଅତୀତରେ ରାଜଧାନୀର ବରିଷ୍ଠ ନାଗରିକ ଓ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ପୁଲିସ କମିସନର ଅନେକ ପରାମର୍ଶ ଗ୍ରହଣ କରିଥିଲେ। ସେଇ ପରାମର୍ଶକୁ ଗ୍ରହଣ କରି କମିସନରେଟ୍‌ ପୁଲିସ ଏକ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ ଖୋଲିବାକୁ ଯାଉଛି। ଏହି ସଫଳତାକୁ ଆଧାର କରି ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା ଜାରି ରଖିବା ପାଇଁ ଏଭଳି ପ୍ରୟାସ ହୋଇଛି।

ସହାୟତା ଆପ୍‌‌ରେ ୧୮ ପ୍ରକାରର ଫିଚର ରହିଛି। ଅଭିଯୋଗ ଦାଖଲଠାରୁ ଆରମ୍ଭ କରି ଚାର୍ଜସିଟ୍‌ ନକଲ, ଶୋଭାଯାତ୍ରା ସ୍ବୀକୃତି ଆବେଦନ, ଚାରିତ୍ରିକ ପ୍ରମାଣପତ୍ର, ଭଡ଼ାଟିଆ ବିବରଣୀ ପର୍ଯ୍ୟନ୍ତ ସୂଚନା ମିଳିପାରୁଛି। ବଡ଼କଥା ହେଉଛି ଯେ କୌଣସି ଜାଗାରେ ରହି ‘ଏସ୍‌ଓଏସ୍‌’ ବଟନ ଚିପିଲେ ଏହି ଆପ୍‌ ସେହି ଜାଗାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରୁଛି। ଥାନା କେତେ ଦୂରରେ ଅଛି, କେଉଁ ଦିଗରେ ଯିବାକୁ ହେବ ତାହା ମଧ୍ୟ ଗୁଗୁଲ ମ୍ୟାପ୍‌ ଭଳି ସୂଚାଇ ଦେଉଛି।

ସମ୍ବନ୍ଧିତ ଖବର