ନାବାଳକକୁ କୋର୍ଟ ଚାଲାଣ ପ୍ରସଙ୍ଗ : ରିପୋର୍ଟ ମାଗିଲେ କମିସନର୍‌

ଭୁବନେଶ୍ୱର : ଜଣେ ନାବାଳକକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିବା ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସର ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଘଟଣାରେ କୋର୍ଟ କ୍ଷୁବ୍ଧ ହେବା ସହ କ୍ୟାପିଟାଲ ଥାନା ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ୍‌ କରିଥିଲେ। ତେବେ ଆଜି ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ନାବାଳକୁ କୋର୍ଟ ଚାଲାଣ କରାଗଲା, ନାବାଳକ କିଶୋର ନ୍ୟାୟ ବୋର୍ଡକୁ କାହିଁକି ପଠାଗଲା ନାହିଁ? ସେ ନେଇ ସବିଶେଷ ବିବରଣୀ ଉପସ୍ଥାପନ କରିବା ପାଇଁ କହିଛନ୍ତି।

ସୂଚନା ମୁତାବକ, ଏହି ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିର ଜଣେ ନାବାଳକଙ୍କୁ ଗତ ଜୁଲାଇ ୩୦ ତାରିଖ ରାତିରେ କେତେକ ଯୁବକ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କ ଘରେ ପଶି ନିସ୍ତୁକ ପିଟିଥିଲେ। ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅପରପକ୍ଷର ଏତଲାକୁ ଭିତ୍ତି କରି କ୍ୟାପିଟାଲ ଥାନା ପୁଲିସ ନାବାଳକକୁ କୋର୍ଟଚାଲାଣ କରିଦେଇଥିଲା ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ତାଙ୍କ ପୁଅର ବୟସ ୧୭ବର୍ଷ(ନାବାଳକ) ହୋଇଥିବା ବେଳେ ପୁଲିସ ତାଙ୍କୁ ୧୯ବର୍ଷ ବୟସ ଦର୍ଶାଇଥିଲା। ତେବେ ନାବାଳକଙ୍କ ମା’ କୋର୍ଟରେ ନାବାଳକଙ୍କ ସ୍କୁଲ ସାର୍ଟିଫିକେଟ୍‌ ଦେଖାଇବା ପରେ କୋର୍ଟ କ୍ଷୁବ୍ଧ ହେବା ସହ ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ୍‌ କରିଥିଲେ।

ସମ୍ବନ୍ଧିତ ଖବର