କୋଭିଡ୍‌ କଟକଣାକୁ ନେଇ କଠୋର ହେଲା ପୁଲିସ, ବୁଲିବୁଲି ସଚେତନ କଲେ କମିସନର୍‌

ଭୁବନେଶ୍ବର : କୋଭିଡ୍‌ କଟକଣା କଡ଼ାକଡ଼ି କରିବାକୁ ନେଇ କଠୋର ହୋଇଛି କମିସନରେଟ୍‌ ପୁଲିସ। ଖୋଦ୍‌ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗତକାଲିଠାରୁ ସହରର ବିଭିନ୍ନ ସ୍ଥାନରେ ବୁଲି ଚଢ଼ଉ ଜାରି ରଖିଛନ୍ତି। ସ୍ଥିତି ପରଖିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି। ଗୁରୁବାର ଦିନ ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍‌ ସମେତ ଖଣ୍ଡଗିରି ଥାନା ଅଞ୍ଚଳରେ ନୂଆ ଏୟାରପୋର୍ଟ ରୋଡ୍‌, ଜାଗମରା ଖାଓ ଗଳି, ସିଆରପି ପ୍ରିୟଦର୍ଶିନୀ ମାର୍କେଟ୍‌ ଓ ଫରେଷ୍ଟ ପାର୍କରେ ଚଢ଼ଉ କରି କୋଭିଡ୍‌ କଟକଣା ମାନିବାକୁ ଲୋକଙ୍କ ସମେତ ବ୍ୟବସାୟୀଙ୍କୁ ବୁଝାଇଛନ୍ତି।

ଗତକାଲି ସେ ମାର୍କେଟ୍‌ ବିଲ୍ଡିଂ ସମେତ ମାଷ୍ଟରକ୍ୟାଣ୍ଟିନ୍‌, ରେଳଷ୍ଟେସନ, ବିମାନବନ୍ଦରରେ ବୁଲିଥିଲେ। ଏତଦ୍‌ବ୍ୟତୀତ ୧୦ଟି କେନ୍ଦ୍ରୀୟ ଟିମ୍‌ ଚଢ଼ଉ ଜାରି ରଖିଛି। ଆଜି କୋଭିଡ୍‌ ଆଇନ ଉଲ୍ଲଂଘନ କରି ୫୭୨ଜଣ ଧରା ପଡ଼ିଥିବା ବେଳେ ୫୨ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତା ଉଲ୍ଲଂଘନ କରିଥିବା ୪୦୧ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ବେଳେ ମାସ୍କ ପିନ୍ଧି ନ ଥିବା ୧୭୧ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି। ଆଗକୁ ଏହି ଚଢ଼ଉ ଜୋରଦାର ହେବ ବୋଲି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର