ଭୁବନେଶ୍ବର: ଦ୍ବୈତନଗରୀରେ ଲୁଟ୍ପାଟ କରି ପୁଲିସ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଅନ୍ତଃରାଜ୍ୟ ଏରାଗୋଲା ଗ୍ୟାଙ୍ଗ୍ର ଆଉ ଏକ ଗ୍ରୁପ୍କୁ ଧରିଛି କମିସନରେଟ୍ ପୁଲିସ। ୫ଜଣିଆ ଗ୍ୟାଙ୍ଗ୍ରୁ ୩ଜଣ ଖସିଯାଇଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏମ୍ ଚକ୍ରବର୍ତ୍ତୀ ଓରଫ ଆଦିତ୍ୟ(୨୦) ଓ ଏ ନବୀନ ଓରଫ ନିଖିଲ(୨୧)। ସେମାନଙ୍କଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ବାଇକ୍, ୮ଟି ମୋବାଇଲ୍, ମାରଣାସ୍ତ୍ର ଓ କେତେକ ଜାଲ୍ ପରିଚୟପତ୍ର ଜବତ କରାଯାଇଛି। ଜାମିନ ଖାରଜ ହେବାରୁ ଦୁହିଁଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଭିନ୍ନ ରାଜ୍ୟରେ ଲୁଟ୍ପାଟ କରୁଥିବା ଏହି ଗ୍ୟାଙ୍ଗ୍ ନାଁରେ କଟକ ଓ ଭୁବନେଶ୍ବରରେ ୭ଟି ଅପରାଧିକ ମାମଲା ରହିଛି। ଗ୍ୟାଙ୍ଗ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
କେମିତି ଧରାପଡ଼ିଲେ
କିଛି ଦିନ ହେଲା ଏହି ଗ୍ୟାଙ୍ଗ୍ କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। ମଞ୍ଚେଶ୍ବର, ଇନ୍ଫୋସିଟି, ବଡ଼ଗଡ଼, ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀ ଥାନା ଅଞ୍ଚଳରୁ ୭ଟି ବଡ଼ଧରଣ ଲୁଟ୍ କରିବା ପରେ ଏମାନଙ୍କୁ ଧରିବା କମିସନେରଟ୍ ପୁଲିସ୍ ପାଇଁ ଆହ୍ବାନ ପାଲଟିଥିଲା। ଗତ ୨୦ ତାରିଖରେ ମଞ୍ଚେଶ୍ବରର ଜଣେ ବ୍ୟକ୍ତି ଜିଜିପି କଲୋନି ପୋଷ୍ଟାଲ୍ରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଏହି ଗ୍ୟାଙ୍ଗ ତାଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇଥିଲା। ସେହିପରି ଗତ ୧୬ ତାରିଖରେ ଇନ୍ଫୋସିଟି ଥାନା ଅଞ୍ଚଳର ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ନେଇଯାଇଥିଲେ।
ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପିଓପିଡି ଟିମ୍ ଓ ଟିମ୍-୬୦ ଏହି ଗ୍ୟାଙ୍ଗ୍କୁ ଠାବ କରିବାକୁ ଲାଗି ପଡ଼ିଥିଲେ। ଲୁଟ୍ ହୋଇଥିବା ସମସ୍ତ ଥାନା ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଥିଲା। ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତିମାନେ ଯେଉଁ ସବୁ ବ୍ୟାଙ୍କରୁ ଟଙ୍କା ନେଇ ଫେରିଥିଲେ, ସେହି ବ୍ୟାଙ୍କର ସିସିଟିଭି ଫୁଟେଜ୍ ପୁଲିସ ସଂଗ୍ରହ କରିଥିଲା। ସବୁ ଫୁଟେଜ୍ ମେଳ କଲା ପରେ ପୁଲିସକୁ କିଛି ସୁରାକ୍ ମିଳିଥିଲା। ପୁଲିସ ପ୍ରଥମେ ସିସିଟିଭି ଫୁଟେଜ୍ରୁ ଗୋଟିଏ ବାଇକ୍କୁ ଚିହ୍ନଟ କରିଥିଲା। ସେହି ବାଇକ୍କୁ ପିଛା କରିଥିଲା ଏକ ସ୍ବତନ୍ତ୍ର ଟିମ୍। ସେମାନେ ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଜାଣିବା ପରେ ଯୋଜନା ମୁତାବକ ଗତରାତିରେ ପୁଲିସ ଏକ ଟିମ୍ ସେଠାରେ ଚଢ଼ଉ କରି ଦୁଇଜଣଙ୍କୁ କାବୁ କରିଥିଲା।
ଢାଲ ସାଜିଥିଲା ଚୋରା ବାଇକ୍ ଓ ମୋବାଇଲ୍
ପୁଲିସକୁ ଚକ୍ମା ଦେବା ପାଇଁ ଗ୍ୟାଙ୍ଗର ସଦସ୍ୟ ଚୋରା ମୋବାଇଲ୍ ଓ ଚୋରା ବାଇକ୍କୁ ବ୍ୟବହାର କରୁଥିଲେ। ପୁଲିସ ସେମାନଙ୍କୁ ଯେପରି ଟ୍ରାକ୍ କରିପାରିବ ନାହିଁ, ସେଥିପାଇଁ ବିଭିନ୍ନ ସମୟରେ ମୋବାଇଲ୍ ବଦଳାଇବା ସହ ବାଇକ୍ ଓ ନମ୍ବର ବଦଳାଉଥିଲେ। ଏମିତିକି, କିଛି ଦିନ ଧରି ଲୁଟ୍ପାଟ ପରେ ଜାଗା ବି ବଦଳାଇ ଦେଉଥିଲେ।
ହ୍ବାଟ୍ସଆପ୍ ଗ୍ରୁପ୍ରେ ଲୁଟ୍ର ବ୍ଲୁ-ପ୍ରିଣ୍ଟ
ତଦନ୍ତ ବେଳେ ଏକ ସାଂଘାତିକ ତଥ୍ୟ ପଦାକୁ ଆସିଛି। ଲୁଟେରାମାନେ ଏକ ହ୍ବାଟ୍ସଆପ୍ ଗ୍ରୁପ୍ କରିଛନ୍ତି। ସେଥିରେ ତାମିଲ୍ନାଡୁଠାରୁ ଆରମ୍ଭ କରି କେରଳ, ଆନ୍ଧ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ ଅଦି ବିଭିନ୍ନ ରାଜ୍ୟର ଲୁଟେରା ସାମିଲ୍ ଅଛନ୍ତି। ସେମାନେ ଏହି ଗ୍ରୁପ୍ ଜରିଆରେ ଲୁଟ୍ ଜିନିଷର କିଣାବିକା କରୁଥିଲେ। କାହାର କ’ଣ ଆବଶ୍ୟକ ଅଛି? କେଉଁ ଜିନିଷର କେତେ ମୂଲ୍ୟ? ତାହା ସେଠାରେ ଦର୍ଶାଯାଉଥିଲା। କେତେବେଳେ କୋରିୟର୍ରେ ତ କେତେବେଳେ ଗ୍ୟାଙ୍ଗ ସଦସ୍ୟ ନିଜେ ନେଇ ଜିନିଷ ଦେଇ ଆସନ୍ତି। ଏହାକୁ ବଡ଼ ବଡ଼ ଚୋରା ହାଟରେ ବିକ୍ରି କରାଯାଏ। କିଛି ଦିନ ତଳେ, ଦର ସହ ପାଖାପାଖି ୧୦୦ଟି ମୋବାଇଲ୍ର ତାଲିକା ଗ୍ରୁପ୍ରେ ପକାଯାଇଥିଲା। ହିସାବକୁ ନେଲେ ତାହା ୭ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ। ହ୍ବାଟସ୍ଆପ୍ ଗ୍ରୁପ୍ରୁ ଏଭଳି ସବୁ ତଥ୍ୟ ପୁଲିସ ହାତେଇବା ପରେ ଖୋଳତାଡ଼ ଆରମ୍ଭ କରିଛି। ହ୍ବାଟସ୍ଆପ୍କୁ ନେଇ ପୁଲିସ ଅଧିକ ତଦନ୍ତ କରୁଛି। ଯେଉଁମାନେ ସେହି ଗ୍ରୁପ୍ରେ ଅଛନ୍ତି; ସେମାନେ କେଉଁ ଅଞ୍ଚଳର? ବର୍ତ୍ତମାନେ କେଉଁଠି ସକ୍ରିୟ ଅଛନ୍ତି? ସବୁର ଯାଞ୍ଚ କରାଯାଉଛି। ଅଧିକ ତଥ୍ୟ ପାଇଁ ଆବଶ୍ୟକ ପଡ଼ିଲେ, ହ୍ବାଟସ୍ଆପ୍ର ସହାୟତା ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଟାର୍ଗେଟ୍ରେ ବ୍ୟାଙ୍କ ଗ୍ରାହକ, ଗହଳି ସ୍ଥାନ
ଗ୍ୟାଙ୍ଗ୍ ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ଉପରେ ନଜର ରଖୁଥିଲା। ବ୍ୟାଙ୍କ୍ରୁ ଟଙ୍କା ଉଠାଇବା ପାଇଁ ଆସୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲା। ଏମାନଙ୍କ ଭିତରୁ ୨ଜଣ ବ୍ୟାଙ୍କ ଭିତରେ ରହି ଗ୍ରାହକଙ୍କ ସବୁ ଗତିବିଧି ଉପରେ ନଜର ରଖୁଥିଲେ। ବାହାରେ ଅପେକ୍ଷା କରିଥିବା ଅନ୍ୟ ସଦସ୍ୟଙ୍କୁ ଫୋନ୍ରେ ସବୁ ସୂଚନା ଦେବା ପରେ ଲୁଟ୍ ପାଇଁ ଯୋଜନା କରୁଥିଲେ। ଟଙ୍କା ଉଠାଣ କରି ନେଉଥିବା ବ୍ୟକ୍ତିକୁ ପିଛା କରିବା ପରେ ସୁଯୋଗ ଦେଖି ଲୁଟି ନେଉଥିଲେ। ବିରୋଧ କଲେ ବା ଧରାପଡ଼ିଯିବା ଭଳି ସ୍ଥିତି ଉତ୍ପନ୍ନ ହେଲେ, ଲୋକଙ୍କ ଉପରକୁ ରସାୟନିକ ଗ୍ୟାସ୍ କିମ୍ବା ଲଙ୍କାଗୁଣ୍ଡ ଫୋପାଡ଼ି ଚମ୍ପଟ ମାରୁଥିଲେ। ଏହାଛନା ଗହଳି ସ୍ଥାନକୁ ବି ଟାର୍ଗେଟ୍ କରୁଥିଲେ। ସୁଯୋଗ ମିଳିବା ମାତ୍ରେ ଲୋକଙ୍କଠାରୁ ମୋବାଇଲ୍ ଓ ଗହଣା ଲୁଟି ନେଉଥିଲେ।