ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ରାଜଧାନୀର ବିଭିନ୍ନ ଥାନା ସମ୍ମୁଖରେ ଶହ ଶହ ସଂଖ୍ୟାରେ ବାଇକ୍ ଖତ ଖାଉଛି। ସେହିଭଳି ହଜାର ହଜାର ସଂଖ୍ୟାରେ ଚୋରା ମୋବାଇଲ୍ ଫୋନ୍ ମଧ୍ୟ ଜବତ କରି ଥାନାରେ ପକାଇ ରଖିଛି କମିସନରେଟ ପୁଲିସ। ତେଣୁ ଜବତ ବାଇକ୍ଗୁଡ଼ିକୁ ଥାନା ସମ୍ମୁଖରୁ ହଟାଇବା ସହିତ ଚୋରା ମୋବାଇଲ୍ଗୁଡିକୁ ପ୍ରକୃତ ମାଲିକମାନଙ୍କୁ ଫେରାଇବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କଡ଼ା ନିର୍ଦେଶ ଦେଇଛନ୍ତି। ମାସକ ମଧ୍ୟରେ ଜବତ ମୋବାଇଲ୍ ଫୋନ୍ ଓ ବାଇକଗୁଡିକୁ ଫେରାଇବାକୁ ସମସ୍ତ ଥାନା ଇନ୍ସପେକ୍ଟରମାନଙ୍କୁ କୁହାଯାଇଛି। ଫଳରେ ଏବେ ଥାନା କର୍ମଚାରୀମାନେ ଚଳଚଂଚଳ ହୋଇ ଉଠିଛନ୍ତି।
ପୁଲିସ କମିସନର ଶ୍ରୀ ଖୁରାନିଆଙ୍କ ସୂଚନା ମୁତାବକ, ପ୍ରତ୍ୟେକ ଦିନ ବିଭିନ୍ନ ଥାନା ଅଞ୍ଚଳରେ ବାଇକ୍ ଓ ମୋବାଇଲ୍ ଫୋନ୍୍ ଚୋରି ହେଉଛି। ଏ ନେଇ ବିଭିନ୍ନ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅପରାଧୀଙ୍କୁ ଗିରଫ କରୁଛି। ସେମାନଙ୍କ ନିକଟରୁ ପୁଲିସ ମୋବାଇଲ୍ ଫୋନ୍ ଓ ଚୋରା ବାଇକ୍ ଜବତ କରୁଛି। ଶହ ଶହ ସଂଖ୍ୟାରେ ଚୋରା ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ ହେବା ପରେ ଥାନାରେ ଆବର୍ଜନା ସୃଷ୍ଟି ହେଉଛି। ଏହାଛଡ଼ା ଥାନା କ୍ୟାମ୍ପସର ଜାଗା କମିଯାଉଛି। ଖରା, ବର୍ଷା ଓ କାକରରେ ପଡ଼ି ରହି ଜବତ ବାଇକ୍ଗୁଡିକ ନଷ୍ଟ ମଧ୍ୟ ହୋଇ ଯାଉଛି। ମୋବାଇଲ ଫୋନ୍ ମଧ୍ୟ ପଡ଼ି ପଡ଼ି ଅଚଳ ହୋଇଯାଉଛି। ତେଣୁ ସେ ବାଇକ୍ରେ ଥିବା ନମ୍ବର, ଚେଚିସ୍ ନମ୍ବରକୁ ଆଧାର କରି ମାଲିକମାନଙ୍କୁ ଖୋଜିବାକୁ ଥାନାର ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆର୍ଟିଓ କର୍ତୃପକ୍ଷଙ୍କ ସହଯୋଗ ନେବାକୁ ଚିଠି ଲେଖିବାକୁ ଏବଂ ଜବତ ହୋଇଥିବା ମୋବାଇଲ୍ ଫୋନ୍ର ଇଏମ୍ଆଇ ନମ୍ବର ଯାଞ୍ଚ କରି ମାଲିକମାନଙ୍କୁ ଖବର ଦେବାକୁ ତାଗିଦ କରିଛନ୍ତି। ଯାହା ଫଳରେ ତୁରନ୍ତ ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ବାଇକ୍ ଓ ମୋବାଇଲ୍ ଫୋନ୍ ଥାନାରୁ ନେଇଯିବେ। ମାସକ ମଧ୍ୟରେ ଏହି କାମ ସାରିବାକୁ କମିସନର ନିର୍ଦେଶ ଦେଇଛନ୍ତି।
ଏହାଛଡ଼ା ଏହି ମାସ ଆରମ୍ଭରୁ ଯେଉଁ ସବୁ ମୋବାଇଲ୍ ଫୋନ୍ ଓ ବାଇକ ଜବତ ହେଉଛି ସେଗୁଡିକ ତୁରନ୍ତ ମାଲିକମାନଙ୍କୁ ଫେରାଇବାକୁ ମଧ୍ୟ କୁହାଯାଇଛି। ଯେଉଁ ବାଇକ୍ର ମାଲିକ ଓ ମୋବାଇଲ୍ ଫୋନ୍ର ମାଲିକାନା ଚିହ୍ନଟ ହୋଇ ପାରୁନାହିଁ, ଯେଉଁମାନେ ଇନ୍ସୁରାନ୍ସ କରି ବାଇକ୍ ଓ ମୋବାଇଲ ଫୋନ୍ ବାବଦ ଟଙ୍କା ପାଇଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବାଇକ୍ ଓ ମୋବାଇଲ୍ ଫୋନ୍ ନିଲାମ କରିବାକୁ ନିର୍ଦେଶ ହୋଇଛି।
ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି ଗତ ଦେଢ଼ ବର୍ଷ ମଧ୍ୟରେ ଭୁବନେଶ୍ୱର ପୁଲିସ ପାଖାପାଖି ୧ ହଜାର ମୋବାଇଲ୍ ଫୋନ୍ ଓ ୪୫୭ଟି ଚୋରା ବାଇକ୍ ଜବତ କରିଛି। ଏହ ପୂର୍ବରୁ ମଧ୍ୟ ଥାନାଗୁଡ଼ିକରେ ଶହଶହ ସଂଖ୍ୟାରେ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇ ପଡ଼ି ରହିଛି।
ଏଠାରେ ପ୍ରକାଶଥାଉକି, ବିଭିନ୍ନ ସମୟରେ ଜବତ ହେଉଥିବା ବାଇକ୍ର ଯନ୍ତ୍ରାଂଶ ଥାନାରେ ଖୋଲି ନିଆଯାଉଥିବା ଅଭିଯୋଗ ହୋଇଥାଏ। ବାଇକ୍ ମାଲିକମାନେ ବାଇକ୍ ନେବାବେଳେ ବ୍ୟାଟେରି, ଚକା, ସାଇଲେନ୍ସର ଆଦି ଯନ୍ତ୍ରାଂଶ ନ ଥାଏ। ମୋବାଇଲ୍ ଫୋନ୍ରେ ମଧ୍ୟ ବ୍ୟାଟେରି ନ ଥିବାବେଳେ, ଅଚଳ ହୋଇଥିବା ମୋବାଇଲ୍ ଫୋନ୍ ଧରାଇ ଦିଆଯାଇଥାଏ ମାଲିକମାନଙ୍କୁ। ଏହାକୁ ନେଇ ଅନେକ ବାଇକ୍ ଓ ମୋବାଇଲ୍ ଫୋନ୍ ମାଲିକମାନେ ବିଭିନ୍ନ ସମୟରେ ତୀବ୍ର ଅସନ୍ତୋଷ ପ୍ରକଟ କରିଥାନ୍ତି ।