ଭୁବନେଶ୍ୱର : ବ୍ରାଉନସୁଗାର ବିକି ଧରା ପଡ଼ିଥିବା ପୁଲିସ କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ୍ଲଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସେଠାରେ ଜାମିନ୍‌ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଖୋର୍ଦ୍ଧାରେ ୧୦ ବର୍ଷର ଚାକିରି କାଳରେ ସେ ବେଆଇନ ଖଣି ଓ ଡ୍ରଗ୍ସ କାରବାରରେ ଲିପ୍ତ ଥିଲା। କେତେକ ନିଶା ମାଫିଆଙ୍କ ସହ ସେ ସାମିଲ ହୋଇଥିଲା। ମାଫିଆଙ୍କୁ ପୁଲିସ ଧରି ନପାରିବା ପଛରେ ଏହି ଅଭିଯୁକ୍ତ କନେଷ୍ଟବଳର ହିଁ ହାତ ଥିଲା। ପୁଲିସର ତଦନ୍ତ ଓ ଚଢ଼ଉ ବାବଦରେ ଗୁଇନ୍ଦା ତଥ୍ୟ ବେପାରୀ ପାଖରେ ପହଞ୍ଚି ଯାଉଥିଲା। ଏଣୁ ନିଶା ବେପାରକୁ କବଳିତ କରିବା ପୁଲିସ ପକ୍ଷରେ ସମ୍ଭବ ହେଉନଥିଲା। ନିକଟ ଅତୀତରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଏହି ବେଆଇନ ବେପାର ବାବଦରେ ଖୋଳତାଡ଼ ଆରମ୍ଭ କରିଥିଲା। ଖୋଳତାଡ଼ ବେଳେ ଏଭଳି କେତେକ ତଥ୍ୟ ଏସ୍‌ଟିଏଫ୍‌ ହାତରେ ଲାଗିଥିଲା। ବାଲେଶ୍ବରରୁ ଜଣେ ପୁଲିସ ଅଧିକାରୀକୁ ଗିରଫ କରାଯାଇଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଜଣେ ପୁଲିସ ଅଫିସରଙ୍କୁ ଦୀର୍ଘ ସମୟ ଧରି ଜେରା ହୋଇଥିଲା। ସେମାନଙ୍କଠାରୁ ଏହି କନେଷ୍ଟବଳର ନିଶା ବେପାର ବାବଦରେ ସୂଚନା ମିଳିଥିଲା। ସେବେଠାରୁ ଏହି କନେଷ୍ଟବଳ ଉପରେ ନଜର ରଖାଯାଇଥିଲା। ତେବେ ଏସ୍‌ଟିଏଫ୍ ଧରିବା ପୂର୍ବରୁ ସେ ନୂଆପଲ୍ଲୀ ଥାନା ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା।