ଭୁବନେଶ୍ବର : ଅସହ୍ୟ ହେଲାଣି ପରକୀୟା ପ୍ରୀତି। ବିବାହ ପରେ ଅନ୍ୟ ନାରୀ ସହ ସମ୍ପର୍କ ପରିବାର ଉଜାଡ଼ିଲାଣି। ପ୍ରତ୍ୟେକ ଦିନ ଏ ନେଇ ଥାନାରେ ମାମଲା ହେଉଥିବା ବେଳେ ପରକୀୟାକୁ ନେଇ ଆଜି ଜଣେ ପୁଲିସ ଦମ୍ପତିଙ୍କ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି।

Advertisment

ପର ନାରୀ ସହ ସମ୍ପର୍କ ସନ୍ଦେହ କରି କନେଷ୍ଟବଳ ସ୍ତ୍ରୀ ତାଙ୍କ କନେଷ୍ଟବଳ ସ୍ବାମୀଙ୍କ ସହ ମୁହାଁମୁହିଁ ହୋଇଥିବାବେଳେ ରାସ୍ତା ମଝିରେ ଉଭୟ ଗଡ଼ାଗଡ଼ି ହେବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କ୍ରୋଧ ସମ୍ବରଣ କରି ନ ପାରି ସ୍ତ୍ରୀ ସ୍ବାମୀଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିବାବେଳେ ସ୍ବାମୀଙ୍କ ସହ ଯେଉଁ ମହିଳାଙ୍କ ସଂପର୍କ ନେଇ ସନ୍ଦେହ କରୁଛନ୍ତି ତାଙ୍କ ସ୍କୁଟି ମଧ୍ୟ ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ ଏଭଳି ଏକ ଘଟଣା ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବାବେଳେ ମାମଲା ଥାନାକୁ ଯାଇଛି। ଉଭୟ ପକ୍ଷରୁ ଦାଖଲ ହୋଇଥିବା ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି।

publive-image

ପୁଲିସଠାରୁ ମିଳିଥିବା ସୂଚନା‌ ଅନୁଯାୟୀ, ଯାଜପୁରର ଅମରେଶ ସାହୁ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଳ ଥିବାବେଳେ ତାଙ୍କ ପତ୍ନୀ ଭଗବତୀ ନାୟକ କମିସନରେଟ ପୁଲିସର ବଡ଼ଗଡ଼ ଥାନାରେ କନେଷ୍ଟବଳ ଅଛନ୍ତି। ଉଭୟ ଏକାଠି ପୁଲିସରେ ଚାକିରି କଲାବେଳେ ୨୦୦୮ ମସିହାରେ ପ୍ରେମ ବିବାହ କରିଥିଲେ। ପରେ ସେମାନଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା। ଏହା ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ ହୋଇଥିଲା। ମାମଲା ଏବେ ବି କୋର୍ଟରେ ବିଚାରାଧୀନ ଥିବାବେଳେ ଦୀର୍ଘ ୭ ବର୍ଷ ହେବ ଉଭୟ ଅଲଗା ରହୁଛନ୍ତି।

ଇତିମଧ୍ୟରେ ସ୍ବାମୀ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ପତ୍ନୀଙ୍କ ପାଖରେ ଏ ନେଇ ଖବର ଥିଲେ ମଧ୍ୟ ପ୍ରମାଣ ନ ଥିଲା। ଏଣୁ ସେ ପ୍ରମାଣକୁ ଅପେକ୍ଷା କରିଥିଲେ। ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ଅମରେଶଙ୍କ ଭାଇଙ୍କ ଘରେ ତାଙ୍କ ସ୍ବାମୀ ସମ୍ପୃକ୍ତ ମହିଳାଙ୍କ ସହ ଅଛନ୍ତି ବୋଲି ଆଜି ସକାଳେ ଖବର ପାଇବା ପରେ ସେ ସିଧା ଯାଇ ସେଠାରେ ପହଞ୍ଚିଥିଲେ। ପରନାରୀ ସହ ନିଜ ସ୍ବାମୀକୁ ଦେଖି ସେ ରାଗରେ ନାଲି ପଡ଼ି ଯାଇଥିଲେ। ଫଳରେ ସେଠାରେ ତୁମୁଳକାଣ୍ଡ ହୋଇଥିଲା। ଦୁହେଁ ରାସ୍ତା ଉପରେ ଗଡ଼ାଗଡ଼ି ହୋଇଥିଲେ।

ସ୍ବାମୀ ଅମ‌‌ରେଶଙ୍କ ଅଭିଯୋଗ ମୁତାବକ, ଛାଡ଼ପତ୍ର ମାମଲା ୧୨ ବର୍ଷ ହେଲା ବିଚାରାଧୀନ ଅଛି। ଆଜି ଭଗବତୀ ଆମ ବଡ଼ଗଡ଼ ବାସଭବନରେ ପଶି ମା’ ଓ ଘରକୁ ଆସିଥିବା ଜଣେ ଅତିଥିଙ୍କୁ ଆକ୍ରମଣ କରିଥିଲେ। ଏଣୁ ପତ୍ନୀଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ପତ୍ନୀ ଭଗବତୀଙ୍କ ଅଭିଯୋଗ ମୁତାବକ, ମୁଁ ଏଭଳି କାଣ୍ଡ କରିନାହିଁ। ବରଂ ସ୍ବାମୀଙ୍କ ସହ ଅନ୍ୟ ଯୁବତୀଙ୍କୁ ଦେଖି ମୁଁ ପ୍ରତିବାଦ କରିବାରୁ ସ୍ବାମୀ ମୋତେ ମାଡ଼ ମାରି ସମ୍ପୃକ୍ତ ଯୁବତୀଙ୍କୁ ନେଇ ପଳାଇଛନ୍ତି। ଉଭୟ ପକ୍ଷରୁ ହୋଇଥିବା ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି।