ପୁଲିସବାବୁଙ୍କ ଦାଦାଗିରି : ଲାଇଟ୍‌ ଜଳେଇଲେ ବୋଲି ରାତି ସାରା ଛେଚିଲେ

ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ଲାଇଟ ଜଳେଇବା ଜଣେ ଢାବା କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ସମ୍ପୃକ୍ତ କର୍ମଚାରୀଙ୍କୁ ଧକ୍କା ମାରି ଥାନାକୁ ଆଣିବା ସହ ରାତି ସାରା ଛେଚିଛି କ୍ୟାପିଟାଲ ଥାନା ପୁଲିସ। ଜରିମାନା ଦେଇ ତାଙ୍କୁ ମୁକାଳିବାକୁ ଯାଇଥିବା ଆଉ ଜଣେ କର୍ମଚାରୀ ମଧ୍ୟ ଅଧିକାରୀଙ୍କ ଆକ୍ରୋଶରୁ ବାଦ୍‌ ପଡ଼ି ନାହାନ୍ତି। ତାଙ୍କ ପିଠିରେ ବି ଲାଠି ଚାଲିଛି। ଶେଷରେ ୧ ହଜାର ଟଙ୍କା ଜରିମନା ଓ ୧୦୦ ବସ୍‌-ଉଠ୍‌ ବିନିମୟରେ ଉଭୟଙ୍କୁ ମୁକ୍ତି ମିଳିଛି। କେବଳ ସେତିକି ନୁହେଁ, ପୁଲିସ ଅଧିକାରୀ ଖାଇ ସାରିବା ପରେ ବାସନ ବି ସଫା କରିଛନ୍ତି ଉଭୟ। ତେବେ ଅଧିକ ହଇରାଣ ହରକତ ହେବା ଭୟରେ ଢାବା ମାଲିକ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଉପର ଅଫିସରଙ୍କୁ ଅଭିଯୋଗ ନ କରି ଆପୋଷ ସମାଧାନ କରିବାକୁ ସ୍ଥିର କରିଛନ୍ତି।

ଅଭିଯୋଗ ମୁତାବକ ଗତ କାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଥିବା ଏହି ଢାବା ଖୋଲା ଥିଲା। ହୋଟେଲରେ ଜଣେ କର୍ମଚାରୀ ଖାଉଥିଲେ। ଏହି ସମୟରେ ହୋଟେଲ୍‌ର ଲାଇଟ ଜଳୁଥିବା ଦେଖି କ୍ୟାପିଟାଲ ଥାନାର ସମ୍ପୃକ୍ତ ଅଧିକାରୀ ସେଠାରେ ପହଞ୍ଚି ଲାଇଟ୍‌ ଲିଭାଇବାକୁ ତାଗିଦ କରିଥିଲେ। ଲାଇଟ ବି ଲିଭିଥିଲା। ହେଲେ ପୁଲିସ୍‌ ଭ୍ୟାନ୍‌ ଯିବା ପରେ ଲାଇଟ ପୁଣି ଜଳିଥିଲା ଓ କର୍ମଚାରୀ ପୂର୍ବବତ୍‌ ଖାଇବା ଆରମ୍ଭ କରିଥିଲେ। ଏହା ଦେଖି ପୁଲିସ୍‌ ଭ୍ୟାନ୍‌ ଫେରିଥିଲା। ଏଥର ଅଧିକାରୀଙ୍କ ମୁଣ୍ଡ ଗରମ ଥିଲା। ଅଧିକାରୀ ଜଣକ ସମ୍ପୃକ୍ତ କର୍ମଚାରୀଙ୍କୁ ଧକ୍କା ଦେଇ ଭ୍ୟାନ୍‌ ଭିତରେ ପୂରାଇଥିଲେ। ଏହି ସମସ୍ତ କାର୍ଯ୍ୟକଳାପ ଢାବାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ଏହା ପରେ ଥାନାରେ ଆରମ୍ଭ ହୋଇ ଯାଇଥିଲା ନିର୍ଧୂମ ଛେଚା। ତେବେ ରାତି ୧୧ ପରେ ଢାବା ଖୋଲି ମାଲିକ ଭୁଲ କରିଥିବାରୁ ଜରିମନା ମଧ୍ୟ ଦେଇଥିଲେ। କିନ୍ତୁ ଢାବାର ଦୁଇ କର୍ମଚାରୀଙ୍କୁ ପୁଲିସ ଯେମିତି ମାଡ଼ ମାରି ଲହୁଲୁହାଣ କଲା ତାହା ସେ ହଜମ କରି ପାରିନଥିଲେ। ଏ ନେଇ ସେ ପୁଲିସ୍‌ କମିସନରଙ୍କୁ ଅଭିଯୋଗ କରିବା ପାଇଁ ଯାଉଥିବା ଖବର ପାଇ ମାମଲା ରଫାଦଫା କରିବା ପାଇଁ ଢାବା ମାଲିକଙ୍କ ଉପରେ ପ୍ରବଳ ଚାପ ପଡ଼ିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର