ପୁଲିସ ବୋଲି ଖସାଇ ଦେବେ!

କ୍ୟାପିଟାଲ ହସ୍ପିଟାଲ୍‌ରେ ଇନ୍ସପେକ୍ଟରଙ୍କ ଦାଦାଗିରି ଘଟଣା

ଭୁବନେଶ୍ୱର : ରବିବାର ସଂଧ୍ୟାରେ ପୁରୀ ତାଳବଣିଆ ଥାନା ଇନ୍ସପେକ୍ଟର ରମାକାନ୍ତ ପାତ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ଘଟାଇଥିବା ତୁମୁଳ କାଣ୍ଡକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ କମିସନରେଟ୍‌ ପୁଲିସ ତାଙ୍କୁ ଏଯାଏ ଗିରଫ କରିନାହିଁ। ଏ ନେଇ କ୍ୟାପିଟାଲ ଥାନା ପୁଲିସ ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଯେଉଁ ସବୁ ଦଫା ଲଗାଇଛି ସେସବୁ ଅତ୍ୟନ୍ତ କୋହଳ। ତେଣୁ ସେ ଗିରଫ ହେଲେ ମଧ୍ୟ ଥାନାରୁ ହିଁ ଜାମିନ୍‌ ପାଇବାର ସମ୍ଭାବନା ଅଧିକ ରହିଛି। ମାମଲାର ତଦନ୍ତ ହେବା ପୂର୍ବରୁ ପୁଲିସ ଅଫିସର୍ସ ସଂଘ ମଧ୍ୟ ଏହି ଘଟଣାରେ ଆଗକୁ ଆସି ଇନ୍ସପେକ୍ଟର ଶ୍ରୀ ପାତ୍ରଙ୍କୁ ନିର୍ଦୋଷ ବୋଲି ଦର୍ଶାଇଛି। ନିଶାସକ୍ତ ଅବସ୍ଥାରେ ଥିବା ଜଣେ ପୁଲିସ ଅଧିକାରୀଙ୍କୁ କମିସନରେଟ ପୁଲିସ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଜଳଜଳ ଦେଖାଯାଉଛି ବୋଲି ଚର୍ଚା ହେଉଛି। ଅନ୍ୟପକ୍ଷରେ ରାଜ୍ୟ ଗୃହ ସଚିବ ଓ ପୁଲିସ ଡିଜି ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଡିଜି ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବାବେଳେ ଆଜି ଗୃହ ସଚିବ ଅସିତ ତ୍ରିପାଠୀ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ସଂପୂର୍ଣ୍ଣ ମାମଲାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଡିଜି ଶ୍ରୀ ଶର୍ମା ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଓଡ଼ିଶା ଫେରିବା ପରେ ସଂପୃକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଗତକାଲି ଏହି ଘଟଣା ସଂପର୍କରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶୁଭକାନ୍ତ ପଢ଼ିଆରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୧୨/୧୮ ଦଫା ୩୪୧ (ବେଆଇନ ଭାବେ ଅଟକ)/୩୨୩ (ଆଘାତ କରିବା)/୨୯୪ (ଅଶ୍ଳୀଳ ଭାଷାରେ ଗାଳିଗୁଲଜ)/୪୨୭ (କ୍ଷତି ପହଞ୍ଚାଇବା)/୫୦୬ (ହତ୍ୟା ଧମକ)/୩୪ (ଏକାଧିକ ଅଭିଯୁକ୍ତ)ରେ ମାମଲା ରୁଜୁ କରିଛି। ଏସବୁ ଦଫାରେ ଜଣେ ଅଭିଯୁକ୍ତକୁ ଜାମିନ ପାଇଁ କୋର୍ଟ ଯିବାକୁ ପଡ଼ିବ ନାହିଁ ଏବଂ ଥାନା ଅଧିକାରୀ ଚାହିଁଲେ ତାଙ୍କୁ ଥାନାରୁ ହିଁ ଜାମିନରେ ଛାଡ଼ି ଦେଇ ପାରିବେ ବୋଲି ଆଇନଜୀବୀମାନେ କହିଛନ୍ତି।

ଏ ନେଇ କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ କହିଛନ୍ତି, ଇନ୍ସପେକ୍ଟର ଶ୍ରୀ ପାତ୍ର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଛାତି ପଞ୍ଜରାରେ ଆଘାତ ଲାଗିଛି। ସେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ। ପୁଲିସର ଏଭଳି ବୟାନ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ସେ ଯେଉଁ ଭଳି ଢଙ୍ଗରେ ହସ୍ପିଟାଲରେ ହ୍ଵିଲ ଚେୟାରରରୁ ଉଠି ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ୍‌ ଫୋନ୍‌ ଓ କ୍ୟାମେରା ଛଡ଼ାଇ ଭାଙ୍ଗିଦେବା ସହିତ ଡାକ୍ତର, ନର୍ସଙ୍କୁ ଗାଳିଗୁଲଜ କରୁଥିଲେ ତାହା ଯେଉଁମାନେ ଦେଖିଛନ୍ତି, ସେମାନେ ପୁଲିସର ଏଭଳି କୋହଳ ଦଫା ଲଗାଇବା ଦେଖି ବିସ୍ମିତ ହେଉଛନ୍ତି। ଆଜି ସଂପୃକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ଫ୍ରେଣ୍ଡସ ଫାଉଣ୍ଡେସନ୍‌ର ପ୍ରତିନିଧିଦଳ ରାଜ୍ୟ ମାନବାଧିକାର କମିସନ ଓ ସାମ୍ବାଦିକମାନଙ୍କ ପକ୍ଷରୁ ଗୃହ ସଚିବଙ୍କୁ ଭେଟିଛନ୍ତି।

ଅନ୍ୟପକ୍ଷରେ ଇନ୍ସପେକ୍ଟର ପାତ୍ରଙ୍କ ଏଭଳି କାଣ୍ଡ ସମ୍ପର୍କରେ ମୁହଁ ଖୋଲିଛି ପୁଲିସ ଅଫିସର୍ସ ସଂଘ। ସଂଘ ପକ୍ଷରୁ ସଭାପତି ସତ୍ୟଜିତ ମିଶ୍ର କହିଛନ୍ତି, ଇନ୍ସପେକ୍ଟର ପାତ୍ର କେବେ ବି ନିଶା ସେବନ କରନ୍ତିି ନାହିଁ। ଏପରିକି ସେ ଗୁଟଖା ମଧ୍ୟ ଖାଆନ୍ତି ନାହିଁ। ଦୁର୍ଘଟଣାରେ ତାଙ୍କ ଛାତି ପଞ୍ଜରା ଭାଙ୍ଗି ଯାଇଥିବାରୁ ସେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ଏହା ସହିତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି। ତେଣୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇ ଥାଇପାରନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ବାର ଆସୋସିିଏସନ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି। ବାର ଆସୋସିଏସନ୍‌ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବିବାର ସନ୍ଧ୍ୟାରେ ଇନ୍ସପେକ୍ଟର ଶ୍ରୀ ପାତ୍ର ଏକ ଆକ୍ଟିଭାରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୟା ନଦୀ ବ୍ରିଜ୍‌ ଉପରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକ ଇନ୍ସପେକ୍ଟରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲ ପହଞ୍ଚିବା ପରେ ଇନ୍ସପେକ୍ଟର ଶ୍ରୀ ପାତ୍ର ଡାକ୍ତର ଓ ନର୍ସଙ୍କୁ ଗାଳିମନ୍ଦ କରିଥିଲେ। ଖବର ପାଇ କେତେକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ହସ୍ପିଟାଲରେ ପହଞ୍ଚି ଖବର ସଂଗ୍ରହ କରୁଥିବା ସମୟରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଶୁଭକାନ୍ତଙ୍କ କ୍ୟାମେରା ଭାଙ୍ଗିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ଫୋପାଡ଼ି ଦେଇଥିଲେ। ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ। ଥାନା ଅଧିକାରୀଙ୍କ ଏଭଳି ବ୍ୟବହାର ଦେଖି ଶୁଭକାନ୍ତ ଚକିତ ହୋଇଯାଇଥିଲେ। ଶୁଭକାନ୍ତ ତୁରନ୍ତ ଅନ୍ୟ ସାମ୍ବାଦିକମାନଙ୍କୁ ଘଟଣା ବିଷୟରେ ଜଣାଇବାରୁ ଅନ୍ୟ ସାମ୍ବାଦିକମାନେ କ୍ୟାପିଟାଲ୍‌ ଥାନାରେ ପହଞ୍ଚି ଆଇଆଇସିଙ୍କ ଏଭଳି ବ୍ୟବହାରର ପ୍ରତିବାଦ କରିବା ସହ ତାଙ୍କୁ ଗିରଫ ଦାବି କରିଥିଲେ। ଏନେଇ ଶୁଭକାନ୍ତ କ୍ୟାପିଟାଲ ଥାନାରେ ସଂପୃକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର