ଭୁବନେଶ୍ବର: ଜଣେ ପୁଲିସ ଅଧିକାରୀ ସାଧାରଣ ଲୋକଙ୍କ ପାଇଁ ଭରସାର ପାତ୍ର ହେବା ଜରୁରୀ। ତାଙ୍କ ଉପରେ ଲୋକଙ୍କ ଆସ୍ଥା ଥିଲେ, ବହୁ ଜଟିଳ ମାମଲାର ସହଜ ସମାଧାନ ହୋଇଯାଏ। ଯେମିତି ବି ରହସ୍ୟମୟ ମାମଲା ହେଉ, ପୁଲିସ ଅଧିକାରୀଙ୍କୁ ଲୋକଙ୍କଠାରୁ ହିଁ ତଥ୍ୟ ମିଳିଯାଏ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଗଲା ଏବଂ ପୋଡ଼ି ଦିଆଗଲା। ମୃତକଙ୍କ ପରିବାର ଲୋକଙ୍କୁ ଏମିତି ଧମକ ଦିଆଗଲା ଯେ ସେମାନେ ନିରବ ରହିବାକୁ ବାଧ୍ୟ ହେଲେ। ତେଣୁ ଏକ ବୀଭତ୍ସ ହତ୍ୟା ମାମଲା ରହସ୍ୟମୟ ଭାବେ ସାଧାରଣ ମୃତ୍ୟୁରେ ସୀମିତ ରହିବାକୁ ଯାଉଥିଲା। କିନ୍ତୁ ଶେଷରେ ପୁଲିସ ଅଧିକାରୀ ଏହି ମାମଲାର ପର୍ଦ୍ଦାଫାସ୍ କଲେ। କାରଣ ତଦନ୍ତ କରୁଥିବା ବେଳେ ସେ ପରିବାର ଲୋକଙ୍କ ଭରସାର ପାତ୍ର ହୋଇପାରିଥିଲେ। ଏମିତି ଏକ ସୁନ୍ଦର ତଥା ରୋମାଞ୍ଚକର ଅନୁଭୂତିର କଥା କହିଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଯୁଗଳ ଦାସ।
‘୧୯୮୮ ମସିହାର ଘଟଣା। ମୁଁ ସେତେବେଳେ ଗଞ୍ଜାମଜିଲ୍ଲା ଆସ୍କାରେ ସବ୍ଇନ୍ସପେକ୍ଟର୍ ଭାବେ ପୋଷ୍ଟିଂ ପାଇଥାଏ। ଆସ୍କାଠାରୁ ୧୫ରୁ ୨୦ କିଲୋମିଟର ଦୂର ଏକ ବଣଜଙ୍ଗଲ ଘେରା ନିପଟ ଅପନ୍ତରା ଗାଁରେ ଜଣେ ମହିଳାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମହିଳାଙ୍କୁ ଗାଁ କୋଠଘରେ ବାନ୍ଧି ଗାଁ ଲୋକ ଅମାନୁଷିକ ଅତ୍ୟାଚାର କରିଥିଲେ। ଢେଲାରେ ମହିଳାଙ୍କ ଦାନ୍ତ ଭାଙ୍ଗିବା ସହିତ ତାଙ୍କୁ କୁକୁର ଓ ଘୁଷୁରିର ମଇଳା ପାଣି ପିଆଇଥିଲେ। ସପ୍ତାହେ କାଳ ଅକଥନୀୟ ଅତ୍ୟାଚାର କରିବା ପରେ ତାଙ୍କୁ ପିଟିପିଟି ମାରିଦେଇଥିଲେ। ଡାଆଣୀ ବୋଲି ଶବକୁ କେହି ଛୁଇଁଲେନି। ମହିଳାଙ୍କ ସ୍ବାମୀ ଓ ପୁଅ ବହୁ କଷ୍ଟରେ ଗାଁଠାରୁ କିଛି ଦୂରରେ ଶବଦାହ କରିଥିଲେ। ଏନେଇ ପୁଲିସ ଆଗରେ ମୁହଁ ଖୋଲିଲେ, ସେମାନଙ୍କୁ ବି ହତ୍ୟା କରାଯିବ ବୋଲି ଗାଁ ଲୋକେ ଧମକ ଦେଇଥିଲେ। ମାତ୍ର ପ୍ରାୟ ୫ ଦିନ ପରେ ଘଟଣାଟି ପଦାକୁ ଆସିଗଲା।
ସେତେବେଳର ଏସ୍ପି କେ ପି ମହାପାତ୍ରଙ୍କ ନିର୍ଦ୍ଦେଶ ପାଇ ମୁଁ ଏକ ଟିମ୍ ନେଇ ଗାଁରେ ପହଞ୍ଚିଲି। ମୃତକଙ୍କ ସ୍ବାମୀ ଓ ପୁଅ ମୁହଁ ଖୋଲିଲେନି। ମହିଳାଙ୍କର ଜ୍ବର ଓ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି ବୋଲି ବାପା-ପୁଅ କହିଲେ। ଯେଉଁଠି ପରିବାର ଲୋକେ ନିରବ, ସେଠି ଗାଁ ଲୋକଙ୍କଠାରୁ ସୁରାକ ମିଳିବା ସମ୍ଭବ ନଥିଲା। କିନ୍ତୁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଗାଁ ଲୋକଙ୍କ ହାବଭାବରୁ ବାରି ହୋଇପଡ଼ୁଥିଲା। ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ ସ୍ବାମୀ ଓ ପୁଅଙ୍କଠାରୁ କଥା ଆଦାୟ କରିବା ପାଇଁ ସ୍ଥିର କଲି। ଗାଁରୁ ଫେରିଲିନି। ଚୁଡ଼ା ଓ ଗୁଡ଼ ଖାଇ ଗାଁରେ କ୍ୟାମ୍ପ୍ କରି ଡେରା ପକାଇଲୁ। ମଶାଣିରୁ ପୋଡ଼ା ହାଡ଼ ଓ ପାଉଁଶ ଜବତ କରି ମୃତ ମହିଳାଙ୍କ ପୁଅ ମନରେ ଭରସା ସୃଷ୍ଟି କଲି। ପୁଅକୁ ପୁଲିସ କ୍ୟାମ୍ପକୁ ଡାକି ବୁଝାସୁଝା କଲି। ଏସବୁ ଦେଖି ଗାଁ ଲୋକେ ବି ବୁଝିଗଲେ ଯେ ପୁଲିସ ଛାଡ଼ିବନି। ଶେଷରେ ମହିଳାଙ୍କ ପୁଅ ସବୁ ସତ କହିଲେ ଏବଂ ଗାଁ ଲୋକେ ବି ମାନିଗଲେ। ସେହି ମାମଲାରେ ୨୪ଜଣଙ୍କୁ ଗିରଫ କରି ଏସ୍ପିଙ୍କ ପାଖକୁ ଫେରିଥିଲି।