ଗୋଟିଏ ଗୋଟିଏ ଘଟଣା ଦଶନ୍ଧି ପରେ ମଧ୍ୟ ମନରୁ ଲିଭେନା। ବିଶେଷ କରି ଯେତେବେଳେ ଅପରାଧୀଙ୍କୁ ଠିକଣା ଜବାବ ଦେବା ପାଇଁ ଜଣେ ପୁଲିସ ଅଫିସର, ସବୁକିଛି ବାଜିରେ ଲଗାଇ ଦେଇଥା’ନ୍ତି, ତାହା ସେହି ପୁଲିସ ଅଫିସରଙ୍କ ମନରେ ସବୁଦିନ ପାଇଁ ରେଖାଙ୍କିତ ହୋଇ ରହିଯାଇଥାଏ। ଏହିପରି ପୁଲିସ ଅଧିକାରୀମାନଙ୍କ ଜୀବନରେ ଘଟିଥିବା ଲୋମହର୍ଷକ ଘଟଣାକୁ ନେଇ ଏଥର ଅବସରପ୍ରାପ୍ତ ପୁଲିସ ଅଧିକାରୀ ହରିହର ପାଣିଙ୍କ ଅନୁଭୂତି ଓ ଅନୁଭବକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।
୨୦୦୫ ମସିହା ଅଗଷ୍ଟ ୧୨ ତାରିଖ। ସକାଳୁ ସକାଳୁ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଗଲା। କଳ୍ପନା ଫ୍ଲାଟ୍ରେ ଡବଲ୍ ମର୍ଡର ହେଇଛି। ଦୁଇ ତିନି ଦିନ ପୂର୍ବରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସିତାର ବିଭାଗର ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଲିନା ତ୍ରିପାଠୀଙ୍କ ତଣ୍ଟିକାଟି କେହି ଦୁର୍ବୃତ୍ତ ବୀଭତ୍ସ ଭାବେ ହତ୍ୟା କରିଛି। ସେତେବେଳେ ବୋଧହୁଏ ରାଜଧାନୀ ପାଇଁ ଏହା ଥିଲା ପ୍ରଥମ ହାଇପ୍ରୋଫାଇଲ୍ ମର୍ଡର। ତେଣୁ ସେଦିନ କଳ୍ପନା ଛକରୁ ବଡ଼ଗଡ଼ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥିଲା। ହତ୍ୟାକାରୀ କିଏ? ହତ୍ୟାର କାରଣ କ’ଣ? ସମସ୍ତଙ୍କ ମୁହଁରେ ଥିଲା ଏହି ଦୁଇଟି ପ୍ରଶ୍ନ। ତତ୍କାଳୀନ ଏସ୍ପି ଅମିତାଭ ଠାକୁର ନିଜେ ଉପସ୍ଥିତ ରହି ଲକ୍ଷ୍ମୀସାଗର ଥାନା ପୁଲିସର ତଦନ୍ତ ତଦାରଖ କଲେ। ଏହି ସମୟରେ ମୋତେ ଲକ୍ଷ୍ମୀସାଗର ଥାନାରେ ଆଇଆଇସି ଭାବେ ନିଯୁକ୍ତି ମିଳିଲା ଏବଂ ତଦନ୍ତ ଭାର ମୋ ହାତକୁ ଆସିଲା। ହାଇପ୍ରୋଫାଇଲ୍ ଡବଲ୍ ମର୍ଡର ପୁଣି ରହସ୍ୟମୟ। ହତ୍ୟାକାରୀକୁ ଠାବ କରିବା ଥିଲା ବଡ଼ ଆହ୍ବାନ। ମୁଖ୍ୟ କଥା ହେଉଛି, ଘଟଣାସ୍ଥଳରେ ହତ୍ୟାକାରୀ କିଛି ବି ସୁରାକ୍ ଛାଡ଼ିନଥିଲା। ଅଧ୍ୟାପକ ବିଜୟଙ୍କ ମୋବାଇଲ ଫୋନ୍ ନଥିଲା ଏବଂ ଘରୁ କିଛି ଲୁଟ୍ପାଟ୍ ହେବା ଭଳି ଜଣାପଡ଼ୁନଥିଲା।
ବିଜୟଙ୍କ ବନ୍ଧୁବାନ୍ଧବ, ଫ୍ଲାଟ୍ର ପଡ଼ୋଶୀ ଓ ସଂଗୀତ ମହାବିଦ୍ୟାଳୟରେ ପଚରାଉଚରା ଚାଲିଲା। ଅନ୍ୟ ପଟେ ବିଜୟଙ୍କ ମୋବାଇଲ୍ ନମ୍ବରରୁ ସେଟ୍ର ଆଇଏମ୍ଇଆଇ ନମ୍ବର ଯୋଗାଡ଼ କରି ଟ୍ରାକିଂ ଚାଲିଲା। ପଚରାଉଚରାରୁ ଜଣାପଡ଼ିଲା ଯେ ଭୁବନେଶ୍ବରରେ ପ୍ଲଟ୍ କିଣିବାକୁ ବିଜୟ ପାଖରେ ନଗଦ ୩୧ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ କୌଣସି କାରଣରୁ ଜମି କିଣିପାରିନଥିଲେ ଏବଂ ଟଙ୍କାକୁ ବ୍ୟାଙ୍କ୍ରେ ଜମା କରିପାରିନଥିଲେ। ସେହି ୩୧ଲକ୍ଷ ଟଙ୍କା ଲୁଟିବା ପାଇଁ କେହି ଦୁର୍ବୃତ୍ତ ଦମ୍ପତିଙ୍କୁ ହତ୍ୟା କରିଛି ବୋଲି ଆପାତତଃ ଜଣାପଡ଼ିଲା। ଘର ଭିତରେ ପଶି ହତ୍ୟା କରି ସୁରୁଖୁରୁରେ ଛୁ’ ମାରିଥିବାରୁ ଦୁର୍ବୃତ୍ତ, ବିଜୟଙ୍କ ଜଣାଶୁଣା ବୋଲି ସନ୍ଦେହ ହେଲା। ସେହି ଦିଗରେ ତଦନ୍ତ ଆଗେଇଲା। ତେଣୁ ବିଜୟଙ୍କ ସହ ମିଶିଥିବା ସମସ୍ତଙ୍କ ବ୍ୟକ୍ତିଙ୍କୁ ପଚରାଉଚରା ଚାଲିଲା। ବହୁ ଖୋଳତାଡ଼ ପରେ ଜଣେ ବ୍ୟବସାୟୀ ବନ୍ଧୁ ସନ୍ଦେହ ଘେରକୁ ଆସିଲେ। ସେତେବେଳକୁ ସେହି ସନ୍ଦିଗ୍ଧ ବନ୍ଧୁଙ୍କ ବ୍ୟବସାୟ ବୁଡ଼ିଯାଇଥାଏ ଏବଂ ପୁଅର ଇଂଜିନିୟରିଂ ପଢ଼ା ପାଇଁ ସେ ଟଙ୍କା ଦରକାର କରୁଥିଲେ। ତେଣୁ ସେ ହିଁ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡ ଭିଆଇଥିବା ନେଇ ସନ୍ଦେହ ବଢ଼ିଲା। ମାତ୍ର ଯଥେଷ୍ଟ ପ୍ରମାଣ ନଥିବାରୁ ତାଙ୍କୁ ସିଧାସଳଖ ଧରିହେଲା ନାହିଁ। ଆଉ କିଛି ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଲୁ।
ଏତିକିବେଳେ ମୋର ବଦଳି ହୋଇଗଲା ଏବଂ ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଗଲା। ମୁଁ କ୍ରାଇମ୍ବ୍ରାଞ୍ଚ୍କୁ ସବୁ ତଥ୍ୟ ଦେଲି। ଏହାପରେ କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଲା ଯେ ବିଜୟଙ୍କ ମୋବାଇଲ୍ ଫୋନ୍ ସେଟ୍ଟି ମଝିରେ ମଝିରେ କେବଳ ରାତିରେ ହିଁ ସକ୍ରିୟ ହେଉଥିବା ଟ୍ରାକିଂରୁ ଜଣାପଡ଼ିଲା। ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳରେ ମୋବାଇଲ୍ ଫୋନ୍ ସେଟ୍ଟି ଯେଉଁଠି ସକ୍ରିୟ ହେଉଥିଲା, ସେହି ଜାଗାକୁ ଖୋଜିଖୋଜି କ୍ରାଇମ୍ବ୍ରାଞ୍ଚ ପାଇଲା ଏବଂ ଜାଣିବାକୁ ପାଇଲା ଯେ ସେହି ଘରେ ରହୁଛନ୍ତି ମୃତ ବିଜୟଙ୍କ ସନ୍ଦିଗ୍ଧ ବ୍ୟବସାୟୀ ବନ୍ଧୁ। ତେଣୁ ଆଉ କିଛି ପ୍ରମାଣ ଯୋଗାଡ଼ କରିବା ଦରକାର ନଥିଲା। ହଠାତ୍ ଦିନେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପୁଲିସ ଫୋର୍ସ ସହ ସେହି ଘରେ ଚଢ଼ଉ କରାଗଲା। ମାତ୍ର ସନ୍ଦିଗ୍ଧଙ୍କ ସ୍ତ୍ରୀ କବାଟ କିଳିଦେଲେ ଏବଂ ପୁଲିସ ଟିମ୍କୁ ଭିତରକୁ ଛାଡ଼ିଲେ ନାହିଁ। ମାତ୍ର ଘରକୁ ପୁଲିସ ଚାରିପଟୁ ଘେରି ରହିଥିବାରୁ ଅଭିଯୁକ୍ତ ଖସିବାର ବାଟ ନଥିଲା। ଏତିକିବେଳେ ଘଟିଲା ଅଘଟଣ। ବ୍ୟବସାୟୀଜଣକ ଘର ଭିତରେ ନିଜ ବେକରେ ଝିଅର ଓଢ଼ଣି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଲେ। ତାଙ୍କ ସ୍ତ୍ରୀ ବନ୍ଦ କବାଟ ଭିତରୁ ଥାଇ ପୁଲିସ ସହ ଯୁକ୍ତିତର୍କ କରୁଥିବା ବେଳେ ଏହି ଅଘଟଣ ଘଟିଗଲା। ତେଣୁ ତଦନ୍ତ ସେଇଠି ସରିଯାଇଥିଲା।