ହତ୍ୟାକାରୀଙ୍କ ଟେର୍ ପାଉନି ପୁଲିସ

ରାଜଧାନୀରେ ମାସକରେ ତିନି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ

ଭୁବନେଶ୍ବର : ଦିନ ପରେ ଦିନ ଗଡ଼ୁଛି। କିନ୍ତୁ ସମ୍ବେଦନଶୀଳ ହତ୍ୟାକାଣ୍ଡର ରହସ୍ୟ ଉପରୁ ଉଠିପାରୁନି ପରଦା। ପ୍ରାୟ ମାସକ ଭିତରେ ରାଜଧାନୀରେ ତିନି ତିନିଟି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ଏହାର କାରଣ ଖୋଜି ପାଉନି। ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରେ ଯୁବକଙ୍କୁ ହତ୍ୟା କରି ପୋତି ଦେବା, ଟଙ୍କପାଣିରୋଡ ସାଇ ମନ୍ଦିର ନିକଟରେ ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେବା ଓ ପାଣ୍ଡରା ନିକଟରେ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା କମିସନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ହତ୍ୟାକାରୀ ନିକଟରେ ପହଞ୍ଚିବା ଦୂରେ ଥାଉ, ଦୁଇଟି ଘଟଣାରେ ମୃତକଙ୍କ ପରିଚୟ ପାଇବା ମଧ୍ୟ ପୁଲିସ ପାଇଁ କଷ୍ଟକର ହୋଇ ପଡ଼ିଛି।

ନୂଆ ଏସିପିଙ୍କ ପାଇଁ ଚାଲେଞ୍ଜ
ପୂର୍ବରୁ ସ୍ପେସାଲ ସ୍କ୍ବାଡ୍ ଏସିପି ଥିବା ସଞ୍ଜୀବ ଶତପଥୀ ଜୋନ୍-୫ ଏସିପି ଭାବେ ନିକଟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ୩ଟି ଯାକ ହତ୍ୟାକାଣ୍ଡ ତାଙ୍କ ଜୋନ୍‌ରେ ଥିବା ଥିବା ସହିଦନଗର ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। କୁଆଖାଇ ନଦୀପଠାରୁ ଅଚିହ୍ନା ଯୁବକଙ୍କ ମୃତଦେହ ମିଳିବା ଦିନ ଏସିପି ସଞ୍ଜୀବ ଶତପଥୀ ଘଟଣାସ୍ଥଳକୁ ଯିବା ସହ ତଦନ୍ତରେ ସହଯୋଗ କରୁଥିଲେ। ଆଉ ଏବେ ସେ ଦାୟିତ୍ବରେ ଥିବା ବେଳେ ଏହି ୩ଟି ସମ୍ବେଦନଶୀଳ ଘଟଣା ଉପରୁ କେବେ ରହସ୍ୟ ଉଠିବ ତାହା ଏସିପିଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ପୋଷ୍ଟରରେ ସୀମିତ ପୁଲିସ ତଦନ୍ତ
ଜୁଲାଇ ୨୧ ତାରିଖରେ ବରିମୁଣ୍ଡ ନିକଟ ବାଲିଯାତ୍ରା ପଡ଼ିଆରେ ବାଲିରେ ପୋତା ଯାଇଥିବା ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଯାଇଥିଲା। ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଗଳିତ ଶବର ଫଟୋ ସମେତ ମୃତଦେହ ନିକଟରୁ ମିଳିଥିବା ଚପଲ, କାନରେ ଲାଗିଥିବା ନୋଳି, ସାର୍ଟ ଓ ପ୍ୟାଣ୍ଟର ପୋଷ୍ଟର ଲଗାଇଥିଲା ପୁଲିସ। ଟୁଇନ୍ ସିଟିର ବିଭିନ୍ନ ହୋଟେଲ, ଢାବା, ବ୍ୟାଙ୍କ, ଏଟିଏମ୍ କାଉଣ୍ଟରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗା ଯାଇଥିଲା। ଆରମ୍ଭରୁ ପୁଲିସ ଯେଉଁଭଳି ତତ୍ପରତା ଦେଖାଇଥିଲା ଏବେ ଆଉ ଦେଖିବାକୁ ମିଳୁ ନାହିଁ। ଇତିମଧ୍ୟରେ ତିନି ସପ୍ତାହ ବିତିବାକୁ ବସିଥିବାବେଳେ ଏହି ଘଟଣା ପୁଲିସକୁ ଅଡ଼ୁଆରେ ପକାଇଛି।

ଶବ ସତ୍କାର ସରିଲାଣି, ପରିଚୟ ମିଳୁନି
ଅଗଷ୍ଟ ୨ ତାରିଖ‌ରେ ଟଙ୍କପାଣି ରୋଡ୍ ସାଇ ମନ୍ଦିର ଛକ ନିକଟରୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ମହିଳାଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଘଟଣାକୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପରିଚୟ ପାଇପାରି ନାହିଁ ପୁଲିସ। ମହିଳାଙ୍କୁ ହତ୍ୟା କରି ଏକ ଜନଗହଳିପୂର୍ଣ୍ଣ ଛକରେ ଫିଙ୍ଗି ଦିଆଯିବା ଘଟଣା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ କେବଳ ଫଟୋ ଜାରି କରି ଦେଇ ନିଜ କାମ ସାରି ଦେଇଛି। ତିନି ଦିନ ତଳୁ ଶବ ସତ୍କାର ମଧ୍ୟ ସରିଲାଣି। କିନ୍ତୁ ଘଟଣା ଉପରୁ ପରଦା ଉଠାଇ ନ ପାରିବା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନିଶା ନିବାରଣ କେନ୍ଦ୍ର ହତ୍ୟା ମାମଲା ଉପରୁ କେବେ ଉଠିବ ପରଦା
ସହିଦନଗର ଥାନା ଅନ୍ତର୍ଗତ ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ଜଗତସିଂହପୁର ଜିଲ୍ଲା ଅଲଣାହାଟ ଜୋତ ଅଞ୍ଚଳର ଯୁବକ ତ୍ରିନାଥ ସେଠୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ତାରିଖରେ ପରିବାର ଲୋକ ଲିଖିତ ଅଭିଯୋଗ କରିଥିଲେ। କେବଳ ଅଭିଯୋଗ ନୁହେଁ ଶବ ବ୍ୟବଚ୍ଛେଦରୁ ମଧ୍ୟ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଶରୀର ଭିତରେ ଏକାଧିକ ଆଘାତ ରହିଛି। ଏହି ସମ୍ବେଦନଶୀଳ ଘଟଣାକୁ ୧୩ ଦିନ ବିତିଗଲାଣି। କିନ୍ତୁ ଏଯାଏ ରହସ୍ୟ ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି ପୁଲିସ। କେବେ ମାମଲାର ପର୍ଦ୍ଦାଫାସ୍ ହେବ ତା’ ଉପରେ ନଜର। ଏକାଧିକ ଘଟଣାକୁ ନେଇ କମିସନରେଟ ପୁଲିସ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହେଲାଣି।

ଫେଲ୍ ମାରୁଛି ସିସିଟିଭି କ୍ୟାମେରା
ସାଇ ମନ୍ଦିର ଛକରେ ଏକାଧିକ ସିସିଟିଭି କ୍ୟାମେରା ଲାଗିଛି। କେତେକ ମଣ୍ଡପ, ଦୋକାନରେ ମଧ୍ୟ ସିସିଟିଭି ଲଗାଯାଇଛି। କିନ୍ତୁ କୌଣସି ଗୋଟିଏରୁ ବି ମହିଳାଙ୍କୁ କିଏ ଆଣି ଫିଙ୍ଗିଲା ତାହାର ଚିତ୍ର ପାଇପାରି ନାହିଁ ପୁଲିସ। ସେହିପରି କୁଆଖାଇ ନଦୀପଠାରେ ଯୁବକଙ୍କୁ ହତ୍ୟା କରି ପୋତିଦେବା ଘଟଣାରେ ମଧ୍ୟ ସିସିଟିଭିରୁ କାଣିଚାଏ ସୁରାକ୍ ପାଇପାରି ନାହିଁ ପୁଲିସ।

ପୁଲିସକୁ ମିଳୁନି ସ୍ଥାନୀୟ ସୂଚନା
ପୂର୍ବରୁ ପୁଲିସକୁ ବିଭିନ୍ନ ଅଞ୍ଚଳର ଘଟଣା, ସନ୍ଦିଗ୍ଧଙ୍କ ଯାତାୟାତ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳୁଥିଲା। ଏପରିକି ସେମାନେ ପୁଲିସର ଖବରୀ ଥିଲେ। କିନ୍ତୁ ଏବେ କୌଣସି ସୂଚନା ମିଳୁପାରୁ ନାହିଁ। ଯାହାକି ପୁଲିସର ବିଫଳତା ବୋଲି କୁହାଯାଇ ପାରେ। ପୁଲିସ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲେ ଖବର ମିଳିଥାଏ। ବିଶେଷ କରି କେତେକ ଯୁବକ, ଦୋକାନୀଙ୍କ ଠାରୁ ଅନେକ ସମୟରେ ପୁଲିସକୁ ବିଭିନ୍ନ ଘଟଣା ସମ୍ପର୍କରେ ସୂଚନା ମିଳେ। କିନ୍ତୁ ଏବେ ଆଉ ସେମିତି ହେଉନାହିଁ। ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସମ୍ପର୍କ ବଢ଼ାଇବା ମଧ୍ୟ କମିଯାଉଛି। ଯାହା ଫଳରେ ପୁଲିସ ଅନେକ ଅପରାଧ ଉପରୁ ରହସ୍ୟ ଉଠାଇବାରେ ବିଫଳ ହେଉଛି।

ସମ୍ବନ୍ଧିତ ଖବର