ରଙ୍ଗିଲା ରମେଶକୁ ପାରିଲାନି ପୁଲିସ: ମିଛଧରା ପରୀକ୍ଷା ଭରସା

ଫେଲ୍ ମାରିଲା ୧୩ ଦିନିଆ ରିମାଣ୍ଡ, ଦ୍ବିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର୍‌ ଲାପତ୍ତା

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶଠାରୁ ସତ ଉଗାରି ପାରିଲାନି ପୁଲିସ। ତିନି ପର୍ଯ୍ୟାୟରେ ୧୩ ଦିନିଆ ରିମାଣ୍ଡରେ ଆଣି ଗୁଡ଼ାଏ ପଚରାଉଚରା କଲା। ହେଲେ ଅଭିନୟରେ ନିପୁଣ ଧୂର୍ତ୍ତ ରମେଶଠାରୁ ପଦୁଟିଏ ବି ସ୍ବୀକାରୋକ୍ତି ହାସଲ କରିପାରିଲେନି ବଡ଼ବଡ଼ ପୁଲିସ ପଦାଧିକାରୀ। ତେଣୁ ଏବେ ମିଛଧରା ପରୀକ୍ଷାର ସାହାରା ନେଇଛି ପୁଲିସ।

ଏହି ପରୀକ୍ଷାରୁ ପ୍ରମାଣ ଯୋଗାଡ଼ କରି ପୁଲିସ ତା’ ନାଁରେ ଶକ୍ତ ଚାର୍ଜସିଟ୍‌ ତିଆରି କରିବ ବୋଲି ଯୋଜନା କରିଛି। ତେବେ ଏହି ପରୀକ୍ଷା ଯେ ରମେଶ ମୁହଁରୁ ସତ ଉଗାରିବ, ଏହା ବିଶ୍ବାସଯୋଗ୍ୟ ହେଉନାହିଁ ବୋଲି କୁହାଯାଉଛି। ଠକେଇ ମାଷ୍ଟର ରମେଶ ମିଛଧରା ଯନ୍ତ୍ରକୁ ବି ପାର୍ କରିଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରମେଶର ଭିଣୋଇ, ଦ୍ବିତୀୟ ପତ୍ନୀ ଓ ଗାଡ଼ି ଡ୍ରାଇଭରଙ୍କ ପତ୍ତା ପାଇନାହିଁ ପୁଲିସ। ତେଣୁ ରମେଶର ବହୁ ଠକେଇ ବାବଦ ତଥ୍ୟ ଏବେ ବି ଅସମ୍ପୂର୍ଣ୍ଣ ରହିଛି।

ମିଛଧରା ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ସବୁ ଅଭିଯୁକ୍ତ କେବଳ ହଁ କିମ୍ବା ନାଁରେ ଦେଇଥାଏ। ସୂଚନାନୁସାରେ ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକ ଏମିତି ହୋଇଥାଇପାରେ। ୧୮ଟି ବିବାହ କରିଛ? ଛତିଶଗଡ଼ରେ ସମ୍ପତ୍ତି ରହିଛି କି? ଏହି ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା ଠକିଛ? ଦ୍ବିତୀୟ ପତ୍ନୀଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପଠାଇଛ? କଟକରେ କୋଠା, ଜମି ରହିଛି କି? ଭିଣୋଇ, ଭଉଣୀ, ଡ୍ରାଇଭର ନାଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରହିଛି?

ଠକେଇ ଅର୍ଥ, ସୁନା ଗହଣା ସେମାନଙ୍କ ପାଖରେ ଲୁଚାଇ ରଖିଛ? ଅନ୍ୟ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛି? ଏଭଳି ପ୍ରଶ୍ନ ମହାଧୂର୍ତ୍ତ ରମେଶ ପାଇଁ କିଛି ବଡ଼କଥା ନୁହେଁ। ମିଛଧରା ଯନ୍ତ୍ର ସମ୍ମୁଖରେ ଏସବୁକୁ ସେ ଖୁବ୍‌ ସହଜରେ ଏଡ଼ାଇଯିବ ବୋଲି ଆଶଙ୍କା କରାଯାଉଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ଅନୁସାରେ, ପୁଲିସ ରିମାଣ୍ଡରେ ଥିବା ବେଳେ ତଥ୍ୟ ଉଗାରିବା ସହଜ ଥିଲା। ମିଛଧରା ଯନ୍ତ୍ରର ସୂଚନାରୁ ତଥ୍ୟ ହାସଲ କରିବା ଓ ପରେ ସେସବୁକୁ ଯୋଗାଡ଼ କରିବା ପୁଲିସ ପାଇଁ କଷ୍ଟକର ହେବ।

ତେବେ ତା’ ବିରୋଧରେ ଆସିଥିବା ସିଧାସଳଖ ଅଭିଯୋଗ ତାକୁ ଦଣ୍ଡିତ କରିବାରେ କିଛି ସମସ୍ୟା ହେବ ନାହିଁ। ଏପର୍ଯ୍ୟନ୍ତ ତା’ ନାଁରେ ୧୮ ମାମଲା ରୁଜୁ ହୋଇସାରିଛି। ବଡ଼ ଅଭିଯୋଗ ଆସିଛି ୩ମହିଳାଙ୍କଠାରୁ। ଦିଲ୍ଲୀ ଶିକ୍ଷୟିତ୍ରୀ, ପଞ୍ଜାବୀ ଅଧ୍ୟାପିକା ଓ ଗୌହାଟୀ ଡାକ୍ତରାଣୀ ତା’ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଓ କୋର୍ଟରେ ସେମାନଙ୍କ ବୟାନ୍ ରେକର୍ଡ କରାଯାଇଛି।

ମିଛ କହି ରମେଶ ସେମାନଙ୍କୁ ଫସାଇବା ସହ ବିବାହ କରି ଲକ୍ଷଲକ୍ଷ ଟଙ୍କା, ସୁନାଗହଣା ଠକି ନେଇଛି। ସେହିଭଳି ପଶ୍ଚିମବଙ୍ଗର ବ୍ୟବସାୟୀ, ଓଡ଼ିଶାର କିଛି ଡାକ୍ତର, ନର୍ସ, ଫାର୍ମ ହାଉସ୍‌ ଶ୍ରମିକ ଏମିତି ଅନେକଙ୍କୁ ସେ ଠକିଛି ବୋଲି ଅଭିଯୋଗ ହୋଇଛି। ବିବାହ ନାଁରେ ପ୍ରତାରଣା ଓ ଠକେଇ ସହ ବ୍ୟବସାୟିକ ଠକେଇକୁ ମିଶାଇ ତା’ ନାଁରେ ୧୭ମାମଲା ରୁଜୁ ହୋଇଛି। ସେମାନଙ୍କ ସାକ୍ଷ୍ୟ ହିଁ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ବୋଲି ଆଇନଜୀବୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ପୁଲିସ ରମେଶଠାରୁ ସେମିତି କିଛି ତଥ୍ୟ ପ୍ରମାଣ ଆଦାୟ କରିପାରି ନଥିଲା। ତେଣୁ ମିଛଧରା ପରୀକ୍ଷା ଜରିଆରେ ସତ ଆଦାୟ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଏସ୍‌ଡିଜେଏମ୍‌ କୋର୍ଟରେ ଏଥିପାଇଁ ଆବେଦନ କରାଯାଇଥିଲା। ରମେଶ ମଧ୍ୟ ସହମତି ପ୍ରକାଶ କରିଥିଲା। ତେଣୁ କୋର୍ଟଙ୍କ ଅନୁମତିକ୍ରମେ ଆସନ୍ତା ୧୬ ତାରିଖରେ ରାଜ୍ୟ ଫୋରେନସିକ୍ ଲାବରେଟୋରିରେ ଏହି ପରୀକ୍ଷା କରାଯିବ।

ସମ୍ବନ୍ଧିତ ଖବର