ତିନି ସନ୍ତାନଙ୍କୁ ଧରି ପତ୍ନୀ ନିଖୋଜ, ମାମଲା ରୁଜୁ କରୁନି ପୁଲିସ

ଭୁବନେଶ୍ବର: ତିନି ସନ୍ତାନଙ୍କୁ ଧରି ନିଖୋଜ ହୋଇଯାଇଛି ପତ୍ନୀ। ନିଖୋଜ ହେବା ଘଟଣାକୁ ୨୪ ଦିନ ବିତିଲାଣି। ହେଲେ ପତ୍ନୀଙ୍କର ପତ୍ତା ନାହିଁ। ନା’ ଫୋନ୍‌ ଲାଗୁଛି ନା ଫେରୁଛନ୍ତି। ଏଣୁ ସ୍ବାମୀ ଓ ପରିବାରବର୍ଗଙ୍କ ମନକୁ ପାପ ଛୁଇଁଛି। ସେମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଏହି ଘଟଣାକୁ ପୁଲିସ ହାଲୁକା ଭାବେ ନେଇଛି। ମାମଲା କରି ପତ୍ନୀଙ୍କୁ ଖୋଜିବା ପରିବର୍ତ୍ତେ କାହା ସହିତ ପଳାଇଥିବ କହି ପୁଲିସ ପରିବାରଲୋକଙ୍କୁ ହତାଶ କରିଛି। ପତ୍ନୀ ବଦଳାଇଥିବା ନମ୍ବର ସ‌ମେତ ସନ୍ଦେହ କରାଯାଉଥିବା ଅନେକ ଆଶଙ୍କା‌ ବାବଦରେ ମଧ୍ୟ ପୁଲିସକୁ ଅବଗତ କରାଯାଇଛି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପତ୍ନୀ ତଥା ଅନ୍ୟ ସନ୍ତାନଙ୍କ ଜୀବନ ପ୍ରତି ବିପଦ ଥିବା ସ୍ବାମୀ ଆଶଙ୍କା କରିଛନ୍ତି। ଏଣୁ ତୁରନ୍ତ ଖୋଜି ଆଣିବା ପାଇଁ ପୁଲିସ ପାଖରେ ସ୍ବାମୀ ଗୁହାରି କରିଛନ୍ତି। ସମ୍ପୃକ୍ତ ସ୍ବାମୀ ହେଉଛନ୍ତି, କଟକ ଗୋବିନ୍ଦପୁର ଥାନା ଅଧୀନ ସାଇଲୋ ଝାରପଡ଼ା କୈବର୍ତ୍ତ୍ୟସାହିର ବିବୁନା ବେହେରା।

ତାଙ୍କ ଅଭିଯୋଗ ମୁତାବକ, ଗତ ୫ ତାରିଖଠାରୁ ତାଙ୍କର ପତ୍ନୀ ନିଖୋଜ ଅଛନ୍ତି। ପତ୍ନୀଙ୍କ ସହ ୧୫ ଓ ୧୩ବର୍ଷର ଦୁଇ ପୁଅ ଏବଂ ୧୧ବର୍ଷର ଝିଅ ରହିଛି। ପରିବାର ସହ କୌଣସି ଦିନ ମନୋମାଳିନ୍ୟ ହୋଇନାହିଁ, ବରଂ ଆରପିଏଫ୍‌ରେ ଚାକିରି କରିଥିବା ଜଣେ ନିକଟ ସମ୍ପର୍କୀୟ ତାଙ୍କୁ ଉଠାଇ ନେଇଥିବା ଆଶଙ୍କା କରାଯାଉଛି। ସେ ବ୍ୟବହାର କରୁଥିବା ମୋବାଇଲ ନମ୍ବର କାମ କରୁନଥିବା ବେଳେ ସମ୍ପୃକ୍ତ ମୋବାଇଲରେ ଅନ୍ୟ ନମ୍ବର ପଡ଼ିଛି। ଏହାଛଡ଼ା ସେ ଆହୁରି ତିନୋଟି ନମ୍ବର ବ୍ୟବହାର କରୁଥିବା ମଧ୍ୟ ସ୍ବାମୀ ସନ୍ଦେହ କରିଛନ୍ତି। ଏହି ନମ୍ବର ସବୁ ସେ ପୁଲିସକୁ ଜଣାଇଛନ୍ତି। ଏଗୁଡ଼ିକୁ ଟ୍ରାକ୍‌ କରି ପୁଲିସ ପତ୍ନୀଙ୍କୁ ଖୋଜିବା ପାଇଁ ସେ ନିବେଦନ କରିଛନ୍ତି। ଏ ନେଇ ମାମଲା ରୁଜୁ ହୋଇନଥିବା ବେଳେ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରାଯାଉଛି ବୋଲି ଗୋବିନ୍ଦପୁର ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର