ଆଇନ ମାନୁନାହାନ୍ତି ପୁଲିସ, ବିନା ହେଲ୍‌ମେଟ୍‌ରେ ବାବୁଙ୍କୁ ମାଫ୍‌

ଭୁବନେଶ୍ବର: ରାତି ପାହିଲେ କମିସନରେଟ୍‌ ପୁଲିସ ବିଭିନ୍ନ ଟ୍ରାଫିକ୍‌ ଛକଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ହେଲ୍‌ମେଟ୍‌ ଚେକିଂ କରୁଛି। ହେଲ୍‌ମେଟ୍ ଓ ସିଟ୍‌ବେଲ୍ଟ ପାଇଁ ନାଲ୍‌କୋ, ଏଜି ଭଳି କେତକ ଛକକୁ ‘ଜିରୋ ଟଲେରାନ୍ସ’ ଜୋନ୍‌ କରିଛି। ଏଥିପାଇଁ ସବୁଠି ଦଳ ଦଳ ପୁଲିସ ଜଗି ରହି ହେଲମେ୍‌ଟ ଓ ସିଟ୍‌ବେଲ୍ଟ ପିନ୍ଧି ନଥିବା ଚାଳକଙ୍କୁ ଚାହିଁ ରହିଛନ୍ତି। ନଜରରେ ଆସିବା ମାତ୍ରେ ସେମାନଙ୍କୁ ମାଡ଼ି ବସୁଛନ୍ତି। ଆଉ ପ୍ରତିଦିନ ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର‌ ଜରିମାନା। ଖାଲି ସେତିକି ନୁହେଁ, ବିଭିନ୍ନ ଛକ ଓ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ମଧ୍ୟ ବିନା ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ ପିନ୍ଧି ନଥିବା ଗାଡ଼ିକୁ ଚିହ୍ନଟ କରୁଛନ୍ତି। ଗାଡ଼ି ନମ୍ବରରୁ ଚାଳକଙ୍କ ଠିକଣା ଠାବ କରି ସିଧା ଘରକୁ ଜରିମାନା ପାଇଁ ନୋଟିସ୍‌ ପଠାଉଛନ୍ତି। ପୁଲିସର ଏଭଳି ଦକ୍ଷତାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ମାତ୍ର ଯେଉଁ ପୁଲିସ ଏତେ ଦକ୍ଷତାର ସହ କାମ କରୁଛି, ସେହି ପୁଲିସ ସେତେ ଦାୟିତ୍ବହୀନ କେମିତି ହୋଇପଡ଼ୁଛି?

ଗତ ୧୭ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଜଣେ ପୁଲିସ କନ‌୍‌ଷ୍ଟ‌େବଲ ଫର୍ଚ୍ୟୁନ୍‌ ଟାୱାର୍‌ ନିକଟ ପୁଲିସ ଭବନରେ ଥିବା ସାଇବର କ୍ରାଇମ୍‌ କର୍ମଶାଳାରେ ଯୋଗଦେବା ପାଇଁ ବିନା ହେଲ୍‌ମେଟ୍‌ରେ ମାଡ଼ି ଆସିଥିଲେ। ତାହା ପୁଣି ରଙ୍ଗ ରୁଟ୍‌ରେ ଫୁଟ୍‌ପାଥ ଉପରେ। ଯାହାର ଏକ ଫଟୋ ୧୮ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଦୁଃଖର ବିଷୟ କମିସନରେଟ୍‌ ପୁଲିସ ଉକ୍ତ ପୁଲିସ କନ୍‌ଷ୍ଟେବଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନାହିଁ। ହେଲ୍‌ମେଟ୍‌ ଓ ସିଟ୍‌ବେଲ୍‌ଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କ କ୍ଷେତ୍ରରେ ପୁଲିସ ଦୃଢ଼ତାର ସହିତ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏପରି ଆଇନକୁ ଦଳି ମକଚି ଦେଉଥିବା ପୁଲିସ ବାବୁଙ୍କ କ୍ଷେତ୍ରରେ ଏତେ କୋହଳ କାହିଁକି ବୋଲି ପ୍ରଶ୍ନ ଉଠିଛି। ଆଇନ ରକ୍ଷକ ହୋଇ ପୁଲିସ ଯଦି ନିୟମ ମାନୁନାହିଁ ଲୋକେ କାହିଁକି ମାନିବେ ବୋଲି ପ୍ରଶ୍ନ କରୁଛନ୍ତି। ଅନ୍ୟପଟେ ଆଇଆଇସି ପ୍ରମୋଦ ପଟ୍ଟନାୟକ କହିଛନ୍ତି ଯେ ବିନା ହେଲ୍‌ମେଟ୍‌ରେ ଯାଉଥିବା କନ୍‌ଷ୍ଟେବଲଙ୍କ ଫଟୋ ଖବରକାଗଜରେ ପ୍ରକାଶ ପାଇବା ପରେ ଆମେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ପୁଲିସ ଅଫିସରଙ୍କୁ ଦାୟିତ୍ବ ଦେଇଛୁ। ଚିହ୍ନଟ କରିବା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର