ଡଙ୍ଗା ଭସାକୁ ଅଟକାଇ ପାରିଲାନି ପୁଲିସ୍‌: ଚାଲିଲା ଲୁଚକାଳି, ଭସା‌ଇଲେ ଡଙ୍ଗା

ଭୁବନେଶ୍ବର/ବାରଙ୍ଗ: କମିସନରେଟ୍‌ ପୁଲିସ ଥାନା ଅଞ୍ଚଳରେ ଡଙ୍ଗା ଭସାକୁ ବାରଣ କରାଯାଇଥିଲା। ଉଭୟ ବିଏମ୍‌ସି ଓ ପୁଲିସ ପକ୍ଷରୁ ବୋଇତ ବନ୍ଦାଣ ଉପରେ କଟକଣା ଜାରି କରାଯାଇଥିଲା। ଏମିତିକି ବିନ୍ଦୁସାଗର, ଦୟାନଦୀ ଘାଟ ସମେତ ରାଜଧାନୀର ବିଭିନ୍ନ ପୁଷ୍କରିଣୀରେ ପୁଲିସ ପହରା ଲାଗୁ କରାଯାଇଥିଲା। ତେଣୁ ଚଳିତ ବର୍ଷ ରାଜଧାନୀବାସୀ ଡଙ୍ଗା ଭସା ପର୍ବ ପାଳନ କରିବାରୁ ବଞ୍ଚିତ ହୋଇଥିଲେ। ମାତ୍ର ଉପକଣ୍ଠର ବହୁ ଗାଁରେ ପୁଲିସ ଡଙ୍ଗା ଭସାକୁ ଅଟକାଇ ପାରି ନଥିବା ଦେଖିବାକୁ ମିଳିଥିଲା। ବହୁ ଗାଁରେ ପୁଲିସ ଓ ଲୋକଙ୍କ ମଧ୍ୟରେ ଏକପ୍ରକାର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ସାଇରନ୍‌ ବଜାଇ ବଜାଇ ପୁଲିସ୍‌ ପିସିଆର୍‌ ଚାଲିଗଲା ପରେ ଲୋକେ ପୋଖରୀରେ ଡଙ୍ଗା ଭସାଇଥିଲେ। ପୋଖରୀ ସଂଲଗ୍ନ ମନ୍ଦିର ବନ୍ଦ ରହିଥିଲେ ମଧ୍ୟ ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ମନ୍ଦିର ବାହାରେ ଦୀପ ଜାଳିଥିଲେ ଓ ବାହାରୁ ଠାକୁର ଦର୍ଶନ କରିଥିଲେ।

ରାଜଧାନୀ ଉପକଣ୍ଠରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ପୂର୍ବରୁ ବୁଲି ବୁଲି ଡଙ୍ଗା ଭସା କଟକଣା ବାବଦରେ ସୂଚନା ଦେଇଥିଲା। ମାତ୍ର କର୍ମଚାରୀ ଅଭାବରୁ ବହୁ ସ୍ଥାନରେ ପୁଲିସ ବଳ ନି‌ୟୋଜିତ କରିନଥିଲା। ତେଣୁ ଏହି ମଉକାରେ ଲୋକେ ରାତି ଅଧରୁ ଉଠି ପୋଖରୀରେ ଡଙ୍ଗା ଭସାଇଥିଲେ। ଭୋର୍‌ ସମୟରେ ପୁଲିସ ଭ୍ୟାନ୍‌ ଗାଁ ଗାଁରେ ପୋଖରୀ କୂଳକୁ ଯାଇଥିଲେ ମଧ୍ୟ କୌଣସିଠାରେ ଅଟକି ରହିନଥିଲା। କେବଳ ସାଇରନ୍‌ ବଜାଇ ଫେରି ଆସୁଥିଲା। ତେଣୁ ଏହି ମଉକାରେ ଲୋକେ ପୁଲିସକୁ ଛକି ରହି ପୋଖରୀକୁ ଯାଉଥିଲେ ଓ ଡଙ୍ଗା ଭସାଇଥିଲେ। ବିଶେଷକରି ଚଳିତ ବର୍ଷ କେବଳ ଅଧିକ ସଂଖ୍ୟାରେ ମହିଳା ଓ ପିଲାମାନେ ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ମହିଳାମାନଙ୍କୁ ଅଟକାଇବା ସମ୍ଭବ ହୋଇନଥିଲା। ଦଳଦଳ ମହିଳାଙ୍କୁ ଦେଖି ପୁଲିସ ବହୁ ସ୍ଥାନରେ ଏଡ଼ାଇ ହୋଇ ରହୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ଲୋକଙ୍କ ଭାବାବେଗକୁ ଦେଖି ପୁଲିସ ପରୋକ୍ଷରେ ଡଙ୍ଗା ଭସା କଟକଣାକୁ ଗାଁ ଗଣ୍ଡାରେ କୋହଳ କରି ଦେଇଥିବା‌ ଚର୍ଚ୍ଚା ହେଉଛି। ପୁଲିସ ତା’ ଧର୍ମ କରିଛି ଓ ଲୋକେ ସେମାନଙ୍କ ଧର୍ମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ବାରଙ୍ଗ ଅଞ୍ଚଳରେ ବହୁ ଗାଁରେ ଲୋକେ ପାହାନ୍ତିଆ ପହରରୁ ଗାଁ ପୋଖରୀ, ପୁରୀ ମୁଖ୍ୟ କେନାଲ, ବୁଢା ନାଳ, ମହାନଦୀ, କାଠଯୋଡ଼ି ଓ କୁଆଖାଇ ନଦୀରେ ଡଙ୍ଗା ଭସାଇଥିଲେ। ପିସିଆର ଭ୍ୟାନ୍‌କୁ ଛକି ରହି ଲୋକେ ଡଙ୍ଗା ଭସାଇଥିଲେ। ପିସିଆର୍‌ ଭ୍ୟାନ୍‌ ଚାଲିଯିବା ପରେ ପରେ ମହିଳାମାନେ ହୁଳହୁଳି ପକାଇ ଡଙ୍ଗା ଭସାଇଥିଲେ। ଗାଁ ଦାଣ୍ଡରେ ଯୁବତୀ ଓ ମହିଳାମାନେ ମୁରୁଜ ଚିତା ପକାଇଥିଲେ। ବହୁ ସ୍ଥାନରେ ଖୋଳ, ଝାଞ୍ଜ ବଜାଇ ଲୋକେ ସଂକୀର୍ତ୍ତନ କରି କରି ଗାଁ ପରିକ୍ରମା କରିଥିଲେ।

ବୋଇତ ଭସାଉ ଭସାଉ ଭାସିଗଲେ ବୃଦ୍ଧା
ବାଲିଅନ୍ତା: ଆଜି ଭୋର୍‌ ସମୟରେ ଡଙ୍ଗା ଭସାଉ ଭସାଉ ଜଣେ ବୃଦ୍ଧା କୁଶଭଦ୍ରା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ବୃଦ୍ଧା ହେଲେ, ବାଲିଅନ୍ତା ଥାନା ଭିଙ୍ଗାରପୁର ପାଇକସାହିର କାଙ୍ଗାଳି ସାହୁଙ୍କ ପତ୍ନୀ ଶାନ୍ତି ସାହୁ(୭୦)। ଆଜି ଭୋର ସମୟରେ ଶାନ୍ତି କୁଶଭଦ୍ରା ନଦୀରେ ଗାଧୋଇବା ସହ ଡଙ୍ଗା ଭସାଇ ନିକଟସ୍ଥ ମନ୍ଦିରରେ ଠାକୁର ଦର୍ଶନ କରିବେ ବୋଲି ଘରୁ ଏକାକୀ ବାହାରି ଯାଇଥିଲେ। ତୁଠ ନିକଟରେ କଦଳୀ ପାଟୁକାରୁ ତିଆରି ଡଙ୍ଗାଟିକୁ ରଖି ସେ ପାଣି ଭିତରକୁ ପଶିଥିଲେ। ମାତ୍ର କୌଣସି କାରଣରୁ ଗୋଡ଼ ଖସିଯିବାରୁ ସେ ପାଣି ସୁଅକୁ ଚାଲି ଯାଇଥିଲେ ଓ ଭାସି ଯାଇଥିଲେ। ତୁଠରୁ ପ୍ରାୟ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଭାସି ଭାସି ସେ ଘାଟରେ ଲାଗିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା। ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକ ତାଙ୍କୁ ଖୋଜାଖୋଜି କରିଥିଲେ ଓ ନଦୀଘାଟରେ ପାଣିରେ ଭାସୁଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଠାବ କରିଥିଲେ।

ଖୋଲିଲାନି ମନ୍ଦିର, ବାହାରୁ ଦେବ ଦର୍ଶନ
ବାଲିପାଟଣା: କରୋନା କଟକଣା ଲାଗି ସ୍ଥାନୀୟ ଅଞ୍ଚଳରେ ମହା କାର୍ତ୍ତିକ ପୂର୍ଣ୍ଣମୀ ପାଳନ ଫିକା ପଡ଼ିଯାଇଛି। କଟକଣା ଡରରେ ବହୁ ମନ୍ଦିର ବନ୍ଦ ଥିବାରୁ ଲୋକେ ବାହାରୁ ଦର୍ଶନ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଲୋକମାନେ ବ୍ରାହ୍ମ ମୁହୂର୍ତରୁ ସ୍ନାନ ସାରି ଗାଁ ପୋଖରୀରେ ଓ ନଦୀରେ ଡ଼ଙ୍ଗା ଭସାଇଛନ୍ତି। ମାସ ସାରା ବ୍ରତ ରଖିଥିବା ମହିଳା ଏବଂ ହବିଷ୍ୟାଳିମାନେ ତୁଳସୀ ଚଉରାମୂଳେ କାର୍ତିକ ପୁରାଣ ପାଠ କରିଛନ୍ତି। କିନ୍ତୁ କଟକଣା ପାଇଁ କେତେକ ସ୍ଥାନରେ ମନ୍ଦିର ଫାଟକରେ ତାଲା ପଡ଼ିଥିବାରୁ ଲୋକମାନେ ଫାଟକ ବାହାରେ ଦୀପ ଜାଳି ମୁଣ୍ଡିଆ ମାରି ଘରକୁ ଫେରିଥିଲେ। ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବ, ସରାଟ ନୀଳକଣ୍ଠେଶ୍ବର ମହାଦେବ, ବିଶ୍ୱନାଥ ମହାଦେବ, ମୁକ୍ତେଶ୍ୱର ମହାଦେବ, ବାଲୁଙ୍କେଶ୍ୱର ମହାଦେବ, ବେଲେଶ୍ୱର ମହାଦେବ, ଐଶାନେଶ୍ୱର ମହାଦେବ, ବୁଧିକେଶ୍ୱର ମହାଦେବ ପ୍ରଭୃତି ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲେ ବି ଦେବ ଦର୍ଶନ ଭଲରେ ହୋଇପାରିନଥିଲା। ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଘନଘନ ପାଟ୍ରୋଲିଂ ଜାରି ରହିଥିବାରୁ ଲୋକମାନେ ଭଲରେ ଡଙ୍ଗା ଭସାଇ ପାରିନଥିଲେ କି ଦେବ ଦର୍ଶନ କରିପାରିନଥିଲେ। ତେବେ ମୁଖ୍ୟ ରାସ୍ତାରୁ ଦୂରରେ ଥିବା ବହୁ ଗ‌ାଁରେ ଲୋକେ ଗାଁ ପୋଖରୀରେ ଡଙ୍ଗା ଭସାଇବା ସହ ଗାଁ ମନ୍ଦିରରେ ଦେବ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର