ଫେଲ୍‌ ମାରିଲେ: ୧୪ ବର୍ଷ ବିତିଲା, ସଂଗୀତ ମହାବିଦ୍ୟାଳୟ ପ୍ରଫେସର ଦମ୍ପତି ହତ୍ୟା ମାମଲା

ଭୁବନେଶ୍ବର: ରାଜଧାନୀର ବହୁ ଚର୍ଚିତ ସଂଗୀତ ମହାବିଦ୍ୟାଳୟ ପ୍ରଫେସର ଦମ୍ପତି ବିଜୟ ତ୍ରିପାଠୀ ଓ ତାଙ୍କ ପତ୍ନୀ ଜୟଶ୍ରୀ ତ୍ରିପାଠୀ ହତ୍ୟା ଘଟଣାକୁ ୧୪ ବର୍ଷ ବିତିଗଲା। କିନ୍ତୁ ଏ ପର୍ଯ୍ୟନ୍ତ ସେହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ ହୋଇ ପାରିଲା ନାହିଁ। ପୁଲିସଠାରୁ ଆରମ୍ଭ କରି କ୍ରାଇମ ବ୍ରାଞ୍ଚ୍‌ର ବଛାବଛା ଅଫିସରମାନେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ମଧ୍ୟ ଫେଲ ମାରିଛନ୍ତି। ହତ୍ୟାକାରୀ ଏତେ ଚାଲାକ ଥିଲା ଯେ ପୁଲିସ ପାଇଁ କୌଣସି ସୁରାକ ବା ପ୍ରମାଣ ଛାଡ଼ି ଯାଇ ନ ଥିଲା। ପୁଲିସ ବୁଲି ବୁଲି ବାରମ୍ବାର ଗୋଟିଏ ସ୍ଥାନରେ ଅଟକି ଯାଉଥିଲା, କିନ୍ତୁ ଆଉ ଆଗକୁ ଯାଇ ପାରୁ ନ ଥିଲା, ଏବେ ମଧ୍ୟ ଯାଇ ପାରୁନାହିଁ। ଶେଷରେ କ୍ରା‌ଇମ ବ୍ରାଞ୍ଚ ସବୁ ଦିନ ପାଇଁ ଫାଇଲକୁ ପ୍ରମାଣ ଅଭାବରୁ ବନ୍ଦ କରି ଦେଇଛି। ତେବେ କେମିତି ଘଟିଥିଲା ଏହି ଚର୍ଚିତ ହତ୍ୟାକାଣ୍ଡ ? କେଉଁଠି ଅଟକି ଗଲା ପୁଲିସ ଓ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ? କ’ଣ ଥିଲା ସେଦିନ ସେହି ବୀଭତ୍ସ ହତ୍ୟାକାଣ୍ଡର ଦୃଶ୍ୟପଟ୍ଟ। ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ।

ଅଶୁଭ ୧୧:
୨୦୦୫ ମସିହା ଅଗଷ୍ଟ ମାସର ୧୧ ତାରିଖ ସକାଳ। ଲକ୍ଷ୍ମୀସାଗର ଥାନା ଅଧୀନ କଳ୍ପନା ଫ୍ଲାଟ-କ୍ବାର୍ଟର୍ସ ନମ୍ବର ଡି/୪। କ୍ବାର୍ଟର୍ସ ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପ୍ରଫେସର ତ୍ରିପାଠୀଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ କ୍ବାର୍ଟର୍ସରେ ପହଞ୍ଚି ଯାଇଥିଲେ। ପୁଲିସ ଘରର ତାଲା ଭାଙ୍ଗି ଚମକି ପଡ଼ିଥିଲା। ପ୍ରଫେସରଙ୍କ ବେକକୁ କେହି ଏକ ଧାରୁଆ ଅସ୍ତ୍ରରେ କାଟି ପକାଇଥିଲା। ପ୍ରଫେସର ମୁହଁ ତଳକୁ ମାଡ଼ି ହାରମୋନିୟମ୍‌ ଉପରେ ପଡ଼ିଥିଲେ। ପାଖରେ ଥିବା ଚା’ କପ୍‌। ପତ୍ନୀ ଜୟଶ୍ରୀଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଛୁରାଘାତ ଥିଲା। ଘର ଭିତରେ ରକ୍ତର ଧାର ଛୁଟୁଥିଲା। ଘରର ଆସବାବପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଘରର ଆଲମାରି ଓ ବାକ୍ସ ତାଲା ଭଙ୍ଗା ଯାଇଥିଲା। ଖଟ ବିଛଣାରେ ରକ୍ତଛିଟା। କ୍ବାର୍ଟର୍ସର ଭିତର ପଟ କାନ୍ଥରେ ମଧ୍ୟ ରକ୍ତର ପାପୁଲି ଦାଗ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖି ପୁଲିସ ମଧ୍ୟ ଭୟରେ ସଞ୍ଚରି ଉଠିଥିଲା। ଚାହୁଁ ଚାହିଁ କଥା ବିଜୁଳି ବେଗରେ ବ୍ୟାପୀ ଯାଇଥିଲା। ରାଜଧାନୀର ଏକାଧିକ ଥାନା ଇନ୍ସପେକ୍ଟର, ଡିଏସ୍‌ପି ଓ ଏସପି ସାଇଣ୍ଟିଫିକ୍ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର ସହଯୋଗରେ ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳକୁ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ, ସଂଗୀତ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଅନ୍ୟ ଲୋକଙ୍କ ସୁଅ ଛୁଟି ଥିଲା। ଶ୍ରୀଦେବୀ ଛକ ରାସ୍ତା ସେଦିନ ଜାମ୍‌ ହୋଇ ଯାଇଥିଲା। ପୁଲିସ ବାଧ୍ୟ ହୋଇ ଭିଡ଼ ହଟାଇବାକୁ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା।

ଫାଇଲ ବନ୍ଦ କରି ଦେଲା କ୍ରାଇମ୍‌ ବ୍ରାଞ୍ଚ

ବାରିପଦାରୁ ମିଳିଲା ପ୍ରଫେସରଙ୍କ ଫୋନ୍‌:
ଲକ୍ଷ୍ମୀସାଗର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ କୋଣରୁ ତଦନ୍ତ ଆରମ୍ଭ କରିଥିଲା। ଯେହେତୁ ଘରର ଆଲମାରି ଓ ବାକ୍ସର ତାଲା ଭଙ୍ଗା ଯାଇଥିଲା, ପୁଲିସ ସନ୍ଦେହ କରିଥିଲା ଡକାୟତି ବା ଲୁଟପାଟ ପାଇଁ ହିଁ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ମଧ୍ୟ ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିଲା। କୌଣସି ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ହତ୍ୟା କରାଯାଇଛି ଏବଂ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି ବୋଲି ଡାକ୍ତର ରିପୋର୍ଟ ପ୍ରଦାନ କରିଥିଲେ। ପୁଲିସ ଏହି ରିପୋର୍ଟ ପାଇବା ପରେ ଆହୁରି ସ୍ପଷ୍ଟ ହୋଇ ଯାଇଥିଲା କି, ଡକାୟତି ପାଇଁ ହିଁ ହତ୍ୟା କରାଯାଇଛି। ତେବେ ପ୍ରଫେସରଙ୍କ ମୋବାଇଲ୍ ଫୋନ୍ ଗାଏବ ଥିବାରୁ ପୁଲିସ ତାହା ଉପରେ ବେଶି ଫୋକସ୍‌ କରିଥିଲା। ଘଟଣାର ଠିକ ୪ ମାସ ପରେ ବାରିପଦାରୁ ପ୍ରଫେସର ବିଜୟଙ୍କ ମୋବାଇଲ୍ ଫୋନ୍‌ର ସନ୍ଧାନ ମିଳିଥିଲା।

ସନ୍ଦିଗ୍ଧର ଆତ୍ମହତ୍ୟା:
ମୋବାଇଲ୍‌ ଫୋନ୍ ଜବତ କରି ଖୋଳତାଡ଼ କରିବାବେଳେ ଖୋର୍ଧା ଗୁରୁଜଙ୍ଗ ଅଞ୍ଚଳର ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ହତ୍ୟାକାଣ୍ଡରେ‌ ସଂପୃକ୍ତି ନେଇ ପୁଲିସ ସନ୍ଦେହ କରିଥିଲା। ପୁଲିସ ତାଙ୍କୁ ଖୋର୍ଧା ଘରୁ ଉଠାଇ ଆଣି ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ଜେରା କରିଥିଲା। ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ପୁଣି ଥରେ ପୁଲିସ ତାଙ୍କୁ ଡକାଇଥିଲା ଥାନାକୁ। କିନ୍ତୁ ସେ ଆସି ନ ଥିଲେ। ପରଦିନ ବିଳମ୍ବିତ ରାତିରେ ଯେତେବେଳେ ପୁଲିସ ତାଙ୍କ ଘରେ ଚଢ଼ଉ କରିଥିଲା, ଲକ୍ଷ୍ମୀନାରାୟଣ ଘର ଭିତର ପଟୁ କବାଟ ବନ୍ଦ କରି ପଙ୍ଖାରେ ଝୁଲି ପଡ଼ିଥିଲେ। ଲକ୍ଷ୍ମୀ ନାରାୟଣ ଆତ୍ମହତ୍ୟା କରିବା ପରେ ପୁଲିସ ଅକଲ ଗୁଡୁମ ହୋଇ ଯାଇଥିଲା। ପୁଲିସ ମଧ୍ୟ ଅକଳରେ ପଡ଼ିଗଲା। ପୁଲିସ ଉପରେ ମୁଖ୍ୟାଳୟରୁ ପ୍ରବଳ ଚାପ ପଡ଼ିଲା। ଏଣେ ଲକ୍ଷ୍ମୀ ନାରାୟଣଙ୍କ ପରିବାର ଲୋକ ଅଭିଯୋଗ କଲେ ପୁଲିସ ମିଥ୍ୟା ମାମଲାରେ‌ ତାଙ୍କୁ ଯୋଡୁଛି। ଅଯଥାରେ ଥାନାକୁ ନେଇ ଅକଥନୀୟ ନିର୍ଯାତନା ଦେଉଛି। ପୁଲିସ ଉପରେ ଏଭଳି ଅଭିଯୋଗ ସାଙ୍ଗକୁ ହତ୍ୟାକାରୀଙ୍କୁ ଗିରଫ ଦାବିରେ ସଂଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ, ଜଳାପୋଡ଼ା, ଅଧ୍ୟାପକମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା, ଲକ୍ଷ୍ମୀସାଗର ଗ୍ରାମବାସୀଙ୍କ ପୁଲିସ ଉପରେ ଅସନ୍ତୋ‌ଷ ରାଜଧାନୀରେ ହଟଚମଟ ସୃଷ୍ଟି କରିଥିଲା। ଯାହାକି ଗଣାମାଧ୍ୟମର ଶିରୋନାମାରେ ଥିଲା।

କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦେଶ:
ପ୍ରଫେସର ଦମ୍ପତି ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା। ଶେଷରେ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତବେଳେ ଜଣାପଡ଼ିଥିଲା କି, ପ୍ରଫେସର ଖୋର୍ଧା ନିକଟରେ ଏକ ଜମି ବିକ୍ରୟ କରି ଘରେ ଟଙ୍କା ରଖିଥିଲେ। ସେହି ଟଙ୍କାକୁ ନେବା ପାଇଁ ତାଙ୍କୁ କେହି ଚିହ୍ନା ପରିଚିତ ଲୋକ ହିଁ ହତ୍ୟା କରିଛି। ଏଣେ ଆତ୍ମହତ୍ୟା କରିଥିବା ଲକ୍ଷ୍ମୀ ନାରାୟଣଙ୍କର ପ୍ରଫେସରଙ୍କ ସହିତ ପୂର୍ବରୁ ଚିହ୍ନା ପରିଚୟ ଥିବା କ୍ରାଇମ୍‌ ବ୍ରା‌ଞ୍ଚର ଅଧିକାରୀମାନେ ଜାଣିବାକୁ ପାଇଥିଲେ। ସେହିପରି ଖୋଳତାଡ଼ବେଳେ ଆହୁରି ଜଣାପଡ଼ିଥିଲା କି ଲକ୍ଷ୍ମୀନାରାୟଣଙ୍କ ଏକ ବ୍ୟବସାୟ ଥିଲା। ବ୍ୟବସାୟରେ କ୍ଷତି ହେବା ପରେ ସେ ପ୍ରଫେସରଙ୍କଠାରୁ ଟଙ୍କା ଧାର ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ପ୍ରଫେସରଙ୍କୁ ହତ୍ୟା କରି ଟଙ୍କା, ସୁନାଗହଣା ଆଦି ଲୁଟି ନେଇଥିଲେ ବୋଲି କଥା ଉଠିଥିଲା। କ୍ରାଇମ୍‌ ବ୍ରାଞ୍ଚ ଏସବୁ ତଥ୍ୟ ପାଇବାବେଳକୁ ଲକ୍ଷ୍ମୀନାରାୟଣ କିନ୍ତୁ ଆତ୍ମହତ୍ୟା କରି ସାରିଥିଲେ।

ଚାପରେ ଦବି ଗଲା କି ତଦନ୍ତ ! :
ଲକ୍ଷ୍ମୀନାରାୟଣ ଆତ୍ମହତ୍ୟା କରିବା ପରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଆଗକୁ ନେବା ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା। ଏହି ସମୟରେ ଆଉ ଏକ ସୁରାକ ମିଳିଥିଲା କି ଲକ୍ଷ୍ମୀନାରାୟଣ କୋଲକାତାରୁ ସୁପାରି କିଲର ଡକାଇ ହତ୍ୟା କରିଥିଲେ। ପୁଲିସ କୋଲକାତା ଯାଇଥିଲା ସୁପାରି କିଲରମାନଙ୍କୁ ଧରିବାକୁ। ଏହି ସମୟରେ ଗୁରଗାଁଓର ଜଣେ ଦୁର୍ଦାନ୍ତ ଅପରାଧୀ(ସୁପାରି କଲର) ଏହି ହତ୍ୟାକାଣ୍ଡ ଘଟାଇଥିବା କ୍ରାଇମ୍‌ ବ୍ରାଞ୍ଚ କୋଲକାତାରୁ ଖବର ପାଇଥିଲା। କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍ ଗୁରଗାଁଓ ଯାଇଥିଲା। ଯେଉଁ ଦୁର୍ଦାନ୍ତ ଅପରାଧୀଙ୍କୁ କ୍ରାଇମ୍‌ ବ୍ରାଞ୍ଚ ଖୋଜୁଥିଲା ସେ ଥିଲା ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ପୁଅ। କିନ୍ତୁ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଠାବ କରିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା। କାରଣ ସେହି ବ୍ୟାଙ୍କ ମ୍ୟାନେଜର ଜଣେ ଆଇପିଏସ୍‌ ଅଧିକାରୀଙ୍କ ଘରକୁ ଭଡ଼ାରେ ନେଇ ବ୍ୟାଙ୍କ ଚଳାଉଥିଲେ। ସେହି ଆଇପିଏସ୍‌ ଅଧିକାରୀଙ୍କୁ ପ୍ରଭାବିତ କରି ବ୍ୟାଙ୍କ ମ୍ୟାନେଜର ତାଙ୍କ ପୁଅକୁ ସୁରକ୍ଷା ଦେଇଥିଲେ। ଏପରିକି ଓଡ଼ିଶାର କ୍ରାଇମ୍‌ ବ୍ରାଞ୍ଚକୁ ସ୍ଥାନୀୟ ଥାନା ପୁଲିସ ମଧ୍ୟ ସହଯୋଗ କରି ନ ଥିଲା। ଏହାର ସୁଯୋଗ ନେଇ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ପୁଅ ଦେଶ ବାହାରକୁ ମଧ୍ୟ ପଠାଇ ଦେଇଥିବା ନେଇ ଚର୍ଚା ହୋଇଥିଲା। ଏହା ପରେ ପରେ କ୍ରାଇମ୍‌ ବ୍ରାଞ୍ଚର ସବୁ ତଦନ୍ତ ଶେଷ ହୋଇ ଯାଇଥିଲା। ଏହି ଘଟଣାକୁ ୧୪ ବର୍ଷ ବିତି ଗଲାଣି। କିନ୍ତୁ ଏଯାଏ ଏହି ରହସ୍ୟମୟ, ଚାଞ୍ଚଲ୍ୟ ଓ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଉପରୁ ପୁଲିସ କିମ୍ବା କ୍ରାଇମ୍‌ ବ୍ରାଞ୍ଚ କେହି ବି ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି।

କ’ଣ କୁହନ୍ତି କ୍ରାଇମ୍‌ ବ୍ରାଞ୍ଚ ଏଡିଜି:
ଏ ସମ୍ପର୍କରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହଛନ୍ତି, ଏହି ବହୁ ଚର୍ଚିତ ହତ୍ୟାକାଣ୍ଡରେ କୌଣସି ପ୍ରମାଣ ନ ମିଳିବାରୁ ଏହାକୁ ୨୦୧୧ ମସିହାରୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର