ଆରମ୍ଭରୁ ଝୁଣ୍ଟିଲାଣି ପୁଲିସ, ଥାନା ଅଭିଯୋଗ ନ ଶୁଣିବାରୁ ପୁଲିସ କମିସନରଙ୍କ ଦ୍ବାରସ୍ଥ ହେଲେ ବୃଦ୍ଧ

ଯୁବକଙ୍କୁ ପିସିଆର ଭ୍ୟାନ କହିଲା ଗାଡ଼ି ଖରାପ, ସୁବିଧା ହେଲେ ଯିବୁ

ଭୁବନେଶ୍ବର : ଲକ୍‌ଡାଉନରେ ଥାନାକୁ ନ ଆସି ଘରେ ବସି କରି ହେବ ଅଭିଯୋଗ। ଅଭିଯୋଗକାରୀ ଥାନା ନ ଯାଇ ଫୋନ କଲେ ଡୋରଷ୍ଟେପ ଅଭିଯାନରେ ପୁଲିସ ଆସି ଅଭିଯୋଗପତ୍ର ଗ୍ରହଣ କରିବ। ଅନ୍ୟଟି ବରିଷ୍ଠ ନାଗରିକ ସମସ୍ୟାର ସମାଧାନ ପାଇଁ ହେଲ୍ପ ଲାଇନ ନମ୍ବର। କିନ୍ତୁ ଦୁଇଟି କ୍ଷେତ୍ରରେ ଆଜି ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ଘଟଣାରେ ଜଣେ ବରିଷ୍ଠ ନାଗରିକ ଥାନାରୁ ନିରାଶ ହେବା ପରେ ପୁଲିସ କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟଟି ହେଲା ମୋବାଇଲ ହଜିବା ଘଟଣାରେ ଜଣେ ଯୁବକ ଫୋନ କରିବା ପରେ ଉତ୍ତର ମିଳିଲା ପିସିଆର ଭ୍ୟାନ ଖରାପ ଅଛି। ସୁବିଧା ହେଲେ ଯିବୁ।

ମିଳିଥିବା ସୂଚନା ଅନୁସାରେ, ଲଷ୍ମୀସାଗର ଅଂଚଳର ଦୟାନିଧି ମହାପାତ୍ର(୭୭) ଦୁର୍ବୁତ୍ତଙ୍କ ମାଡ଼ରେ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବା ପୁଅ ପାଇଁ ନ୍ୟାୟ ମାଗୁଛନ୍ତି। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି, ହେଲେ ପୁଲିସ ଅଭିଯୋଗ ଶୁଣୁ ନଥିବାରୁ ବାଧ୍ୟ ହୋଇ ଆଜି ପୁଲିସ କମିସନର ଦ୍ବାରସ୍ଥ ହୋଇଛନ୍ତି।

ଅନ୍ୟ ଏକ ଘଟଣାରେ ଚନ୍ଦ୍ରଶେଖପୁର ଅଂଚଳର ମନୋଜ ସାହୁ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ତିନି ଦିନ ତଳେ ତାଙ୍କ ମୋବାଇଲକୁ ଜଣେ ବ୍ୟକ୍ତି ଜୋର ଜବରଦସ୍ତି ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି। ପ୍ରଥମେ ଚନ୍ଦ୍ରଶେଖରପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ପୁଲିସ କହିଲା ଘରକୁ ଯାଇ ଅଭିଯୋଗ ଆଣିବ। ଘରକୁ ଆସି ମନୋଜ ପୁଲିସକୁ ଫୋନ କରିଥିଲେ। ହେଲେ ସେପଟୁ ଉତ୍ତର ଆସିଲା ପିସିଆର ଗାଡ଼ି ଖରାପ ଅଛି। ସୁବିଧା ହେଲେ ପୁଲିସ ଯିବ। ମନୋଜ ଏହି ଫୋନ୍ ବାର୍ତ୍ତାଳାପର ଅଡିଓ ମଧ୍ୟ ରଖିଛନ୍ତି। ଏନେଇ କମିସନରେଟ ପୁଲିସର କୌଣସି ଅଧିକାରୀ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର