ରାଜଧାନୀରେ ଗର୍ଜିଲା ପୁଲିସ ବନ୍ଧୁକ

ଭୁବନେଶ୍ୱର : ଗତ କିଛି ମାସ ହେଲା ରାଜଧାନୀରେ ଗର୍ଜୁଛି ଅପରାଧୀଙ୍କ ବନ୍ଧୁକ। ଲୁଟ୍‌, ଚୋରି ଓ ଛିନ୍‌ତାଇ ଭଳି କାଣ୍ଡ ଘଟାଇଲା ବେଳେ ଅପରାଧୀମାନେ ବେଧଡ଼କ ବନ୍ଧୁକ ଫୁଟାଉଛନ୍ତି। ବିଶେଷକରି ଗହଣା ଦୋକାନୀଙ୍କୁ ଟାର୍ଗେଟ୍‌ କରି ଡକାୟତମାନେ ଗୁଳି ଚାଳନା କରିବା ଘଟଣା ବାରମ୍ବାର ଘଟୁଛି। ନିକଟରେ ଇନ୍‌ଫୋଭ୍ୟାଲି ଥାନା ଅଧୀନ ଯାଁଳା ବଜାରରେ ଦୁଇ ଦୁଇ ଥର ଗୁଳିକାଣ୍ଡ ଘଟିଥିବା ବେଳେ ଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ବଜାରରେ ବି ଗୁଳି ଫୁଟିଥିଲା। ଫଳରେ ଗତ କିଛି ଦିନ ହେଲା ରାଜଧାନୀରେ କୋକୁଆଭୟ ଖେଳିଯାଇଛି। ତେବେ ଏଣିକି କମିସନରେଟ୍‌ ପୁଲିସ ପାଲଟା ଜବାବ ଦେବା ଆରମ୍ଭ କରିଛି। କମିସନରେଟ୍‌ ପୁଲିସର ବନ୍ଧୁକ ବି ଗର୍ଜିବା ଆରମ୍ଭ କରିଛି। ଗତକାଲି ରାତିରେ କମିସନରେଟ୍‌ ପୁଲିସର ଗୁଳିରେ ଘାଇଲା ହୋଇଛି କୁଖ୍ୟାତ ଡକାୟତ ଚକରା। ୩ ବର୍ଷ ହେଲା ପୁଲିସ ସହ ଲୁଚକାଳି ଖେଳି ରାଜଧାନୀରେ ଅପରାଧ ଘଟାଇ ଚାଲିଥିବା ଚକରା ପୁଲିସ ଗୁଳିମାଡ଼ ଖାଇଛି। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଚକରା ଗ୍ୟାଙ୍ଗ୍‌ ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ତାକୁ ଏନ୍‌କାଉଣ୍ଟର୍‌ କରି କାବୁ କରିଛି। ତା’ ଗ୍ୟାଙ୍ଗ୍‌ର ପ୍ରାୟ ୬ ଜଣ ଘଟଣାସ୍ଥଳରୁ ଖସି ଯାଇଥିଲେ ବି ପୁଲିସ ଚକରାକୁ କାବୁ କରି ଏକ ବଡ଼ ସଫଳତା ପାଇଛି।

ଚକରା ନାଁରେ ୨୫ରୁ ଊର୍ଦ୍ଧ୍ବ ମାମଲା, ୩ବର୍ଷ ହେଲା ଫେରାର୍ ଥିଲା
ଦୁର୍ଦ୍ଦାନ୍ତ ଡକାୟତ ଚକରା ଏକଦା କୁଖ୍ୟାତ ରବି ରାଓ ଗ୍ୟାଙ୍ଗ୍‌ର ପ୍ରମୁଖ ସଦସ୍ୟ ଥିଲା। କିନ୍ତୁ ପୂର୍ବରୁ ସେ ୨୦୧୩ରୁ ୨୦୧୫ ମସିହା ମଧ୍ୟରେ ବରମୁଣ୍ଡା ଅଞ୍ଚଳର କିଛି ଅସାମାଜିକ ଯୁବକଙ୍କୁ ନେଇ ଗ୍ୟାଙ୍ଗ୍‌ ଗଢ଼ିଥିଲା। ପରେ ରବି ରାଓ ସଂସ୍ପର୍ଶରେ ଆସି ଭୁବନେଶ୍ବର ସମେତ ଉପକଣ୍ଠ ଓ ଖଣି ଇଲାକାର ବୋମାମାଡ଼, ଗୁଳିକାଣ୍ଡ ଓ ସଶସ୍ତ୍ର ଡକାୟତି ଭଳି କାଣ୍ଡ ଭିଆଇଥିଲା। ରବି ରାଓ ଗିରଫ ହ‌େବା ପରେ ଚକରା ଏହି ଗ୍ୟାଙ୍ଗ୍ ସମ୍ଭାଳୁଥିଲା। ଗତ ୨୦୧୯ରେ ରବି ରାଓ ଗ୍ୟାଙ୍ଗ୍ ରାଜଧାନୀରେ ଲୁଟ୍ ଓ ଡକାୟତି କରି ଆତଙ୍କ ସୃଷ୍ଟି କରିଥିଲେ। ତେଣୁ କମିସନରେଟ୍ ପୁଲିସ ୨୦୧୯ ଅଗଷ୍ଟରେ ରବି ରାଓକୁ ଏନ୍‌କାଉଣ୍ଟର କରିବା ସହ ପରେ ପରେ ମାତ୍ର ୨୪ ଘଣ୍ଟା ଭିତରେ ବିବେକ ନାୟକ, ଅରୁଣ ମଲ୍ଲିକ, ସିପୁନ କବି, ହରେକୃଷ୍ଣ ସ୍ବାଇଁ ଭଳି କୁଖ୍ୟାତ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍ କଲା। ଏହା ସହିତ ଏହି ଗ୍ୟାଙ୍ଗ୍‌ର ୯ଜଣଙ୍କୁ ଗିରଫ କରାଯାଇଥିଲା। ମାତ୍ର କୁଖ୍ୟାତ ଚକରା ଏବଂ ତା’ର ୨ ସହଯୋଗୀ ତବୁ ଖାଁ ଓ ତିଵାରି ଖସିଯିବାରେ ସକ୍ଷମ ହୋଇଥିଲେ। ଏହା ପରେ ସେମାନେ ରାଜଧାନୀ ଛାଡ଼ି ଦେଇଥିଲେ। ସେହିଦିନରୁ ସେ କମିସନରେଟ୍‌ ପୁଲିସ ପାଇଁ ଫେରାର୍ ଥିଲା। କିନ୍ତୁ ଖୋର୍ଦ୍ଧା ଅଞ୍ଚଳରେ ତା’ର ନେଟ୍‌ୱାର୍କ କାମ କରୁଥିଲା। ପୁଲିସ ସୂଚନାନୁସାରେ ଚକରା ନାଁରେ କମିସନରେଟ୍ ପୁଲିସ ସମେତ, ଖୋର୍ଧା, ବାଲୁଗାଁ, ଜଙ୍କିଆ ଆଦି ଥାନାରେ ପ୍ରାୟ ୨୫ରୁ ଅଧିକ ମାମଲା ରହିଛି।

‌ଖୋର୍ଦ୍ଧା ଖଣି ଅଞ୍ଚଳରେ ସକ୍ରିୟ ଥିଲା ଚକରା ଗ୍ୟାଙ୍ଗ୍
୩ ବର୍ଷ ତଳେ ରାଜଧାନୀରେ ରବି ରାଓ ଗ୍ୟାଙ୍ଗ୍‌ର କିଛି ସଦସ୍ୟ ପୁଲିସ ଏନକାଉଣ୍ଟର୍‌ରେ ଘାଇଲା ହେବା ପରେ ଧୂର୍ତ୍ତ ଚକରା ଅଣ୍ଡରଗ୍ରାଉଣ୍ଡ୍ ହୋଇଯାଇଥିଲା। କିନ୍ତୁ ଖୋର୍ଦ୍ଧା ଅଞ୍ଚଳରେ ଖଣି ଓ କ୍ରସର୍ ଖୋଲିବା ତଥା ବ୍ୟାବସାୟିକ ଶତ୍ରୁତା ପାଇଁ ମାଲିକମାନେ ପୁଣି ଚକରାକୁ ଖୋଜିଥିଲେ। ତେଣୁ ଚକରା ପୁଣି ଗୋଷ୍ଠୀ ଗଢ଼ିଲା। ମାସିକ ଟଙ୍କା ଦେବା ସହ ବିଭିନ୍ନ ଖର୍ଚ୍ଚ ଉଠାଇବା, ନିଶା ଦେବା ଭଳି କାରନାମା ଦ୍ବାରା ନୂଆ ନୂଆ ସଦସ୍ୟଙ୍କୁ ଏକାଠି କରିଥିଲା। ଏଣେ ୩ ବର୍ଷ ବିତିଯାଇଥିବାରୁ ସେ ପୁଣି ରାଜଧାନୀକୁ ଟାର୍ଗେଟ୍‌ କରିଥିଲା। ଗତ ଫେବ୍ରୁଆରିରୁ ମେ’ ମାସ ମଧ୍ୟରେ ଲୁଟ୍, ଛିନ୍‌ତାଇ, ସୁନା ବ୍ୟବସାୟୀଙ୍କୁ ଆକ୍ରମଣ ଓ ଡକାୟତି ଭଳି ମାଳମାଳ ଅପରାଧ ମାମଲାରେ ତା’ର ସିଧାସଳଖ ହାତ ଥିବା ଜଣାପଡ଼ିଥିଲା। ତେଣୁ ସମସ୍ତ ଘଟଣାର ପର୍ଦ୍ଦାଫାସ୍ ପାଇଁ କମିସନରେଟ୍ ପୁଲିସ ଚକରାକୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ
କିଛି ଦିନ ହେଲା ରାଜଧାନୀରେ ଘନଘନ ଲୁଟ୍, ଛିନ୍‌ତାଇ ଭଳି ଘଟଣା କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। ଅବଶ୍ୟ ପୁଲିସ ଲାଗିପାଗି ବିଭିନ୍ନ କଟୁରି ଗ୍ୟାଙ୍ଗ୍‌ର ପ୍ରା‌ୟ ଲୁଟେରାଙ୍କୁ ଗିରଫ କରିଥିଲେ ବି ବନ୍ଧୁକଧାରୀ ଗ୍ୟାଙ୍ଗ୍‌କୁ ଠାବ କରିପାରିନଥିଲା। ଫଳରେ ରାଜଧାନୀରେ ଲୁଟ୍‌ ଓ ଛିନ୍‌ତାଇ ଥମିବା ନାଁ ଧରୁନଥିଲା। ଏମିତିକି ମଙ୍ଗଳବାର ରାତିରେ ବନ୍ଧୁକଧାରୀ ଏକ ଗ୍ୟାଙ୍ଗ୍‌ ନୂଆପଲ୍ଲୀ ଥାନା ଜୟଦେବବିହାର ଅଞ୍ଚଳରେ ଏକ କାଣ୍ଡ କରିବସିଲେ। ଦମ୍ପତିଙ୍କ ହାତରୁ ଛୁଆକୁ ଟାଣି ନେଇ ବନ୍ଧୁକ ମୁନରେ ବନ୍ଧକ ରଖି ମହିଳାଙ୍କଠାରୁ ଗହଣା ଲୁଟିନେଲେ। ଏହି ମାମଲାକୁ ଡିସିପି ପ୍ରତୀକ ସିଂ ଗୁରୁତ୍ବର ସହ ନେଇଥିଲେ ଓ ସ୍ପେସାଲ ସ୍କ୍ବାଡ୍‌କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୁଯୋଗକୁ ଚକରା ଗ୍ୟାଙ୍ଗ୍‌ ଠାବ ହୋଇଥିଲା ବରମୁଣ୍ଡା ଖେଳ ପଡ଼ିଆରେ। ପୁଲିସ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଦେଇନଥିଲା। ତୁରନ୍ତ ଆରମ୍ଭ ହୋଇଥିଲା ଅପରେସନ୍। ଘଟଣାସ୍ଥଳାରୁ ଫେରାର୍ ହୋଇଯାଇଥିବା ଅପରାଧୀମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର