ଭୁଲ୍‌ ପରେ ଆପୋସ ସମାଧାନ : ସନ୍ଦିଗ୍ଧ ଯୁବତୀଙ୍କୁ ଠାବ କରିବାକୁ ଯାଇ ଖବରକାଗଜ ସଂପାଦକଙ୍କ ଘରେ ପଶିଲା ପୁଲିସ

ଚନ୍ଦ୍ରଶେଖରପୁର : ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ଠାବ କରିବାକୁ ଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍‌ଫୋସିଟି ଥାନା ‌ପୁଲିସ ଦୈନିକ ଖବରକାଗଜ ‘ନିତିଦିନ’ର ସଂପାଦକ ତଥା ସାହିତ୍ୟିକ ମନୋଜ ମହାପାତ୍ରଙ୍କ ପଟିଆ ଶିଶୁବିହାରସ୍ଥିତ ବାସଭବନରେ ପଶି ଖାନ୍ ତଲାସ୍ କରିଛି। ତେବେ ସେଠାରୁ କୌଣସି ତଥ୍ୟ ପାଇ ନଥିବା ବେଳେ ପୁଲିସର ଆଚରଣ ଶ୍ରୀ ମହାପାତ୍ର ଓ ତାଙ୍କ ପରିବାର ଲୋକଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବା ଅଭିଯୋଗ ହୋଇଛି। ପରେ ଡିସିପି ଅନୁପ ସାହୁଙ୍କ ମଧ୍ୟସ୍ଥତାରେ ଆଇଆଇସି ବିଶ୍ବଜିତ ମହାନ୍ତି ସକାଳେ ଶ୍ରୀ ମହାପାତ୍ରଙ୍କ ବାସଭବନରେ ପହଞ୍ଚି ରାତିର ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଆପୋସ ବୁଝାମଣା କରିଛନ୍ତି। ଅନ୍ୟପକ୍ଷରେ ଜଣେ ଖବରକାଗଜ ସଂପାଦକଙ୍କୁ ଏପରି ବ୍ୟବହାର କରିବା ଓ ବିନା ସର୍ଚ ୱାରେଣ୍ଟରେ ଘରେ ପଶି ତଲାସି ନେବା ଘଟଣା ଏବଂ ପରିବାର ଲୋକଙ୍କୁ ରାତି ଅଧରେ ମାନସିକ ଯନ୍ତ୍ରଣା ଦେବା ପ୍ରତିବାଦରେ କଳିଙ୍ଗ ସାମ୍ବାଦିକ ସଂଘର ପ୍ରାୟ ୫୦ ଜଣ କାର୍ଯ୍ୟରତ ସାମ୍ବାଦିକ ଆଜି ମଧ୍ୟାହ୍ନରେ ଇନ‌୍‌ଫୋସିଟି ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ଏପରି ଘଟଣାର ପୁନରାବୃତ୍ତି ନହେବା ପ୍ରତିଶ୍ରୁତି ପାଇବା ପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ।

ସୂଚନା ଅନୁଯାୟୀ, ଇନ୍‌ଫୋସିଟି ଥାନା ଅଧୀନରେ ରହୁଥିବା ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ଖୋଜିବାକୁ ଯାଇ ପୁଲିସ ମୋବାଇଲ୍ ଲୋକେସନ୍ ଟ୍ରାକ୍ କରି ଦୁଇଟି ଭ୍ୟାନ୍‌ରେ ପ୍ରାୟ ୮/୧୦ଜଣ ପୁଲିସ ଗତକାଲି ବିଳମ୍ବିତ ରାତିରେ ପଟିଆ ଶିଶୁବିହାରରେ ପହଞ୍ଚିଥିଲେ। ସେଠାରେ ଶ୍ରୀ ମହାପାତ୍ରଙ୍କ ଘରେ ପଶି ଏଠାରେ ବିଉଟି ପାର୍ଲର୍ ଓ ସ୍ପା’ ଚାଲିଥିବା କହି ତଲାସି କରିଥିଲେ। ତେବେ ପୁଲିସର ବ୍ୟବହାରରେ ଶ୍ରୀ ମହାପାତ୍ର ଓ ତାଙ୍କ ପରିବାର ଲୋକ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଭଦ୍ର ସମାଜରେ ରହୁଥିବା ଲୋକଙ୍କୁ ପୁଲିସ ଏପରି ରାତି ଅଧରେ ହଇରାଣ କରିବା ଓ ମାନସିକ ଯନ୍ତ୍ରଣା ଦେବା ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟପକ୍ଷରେ ଆଇଆଇସି ଶ୍ରୀ ମହାନ୍ତି ଅଭିଯୋଗକୁ ଖଣ୍ଡନ କରିବା ସହ ଶ୍ରୀ ମହାପାତ୍ର ଓ ତାଙ୍କ ପରିବାରକୁ କୌଣସିପ୍ରକାର ମାନସିକ ଆଘାତ ଦେଇ ନଥିବା କହିଛନ୍ତି। ଯେହେତୁ ଯୁବତୀଙ୍କ ‌ମୋବାଇଲ୍ ଲୋକେସନ୍ ଆଖପାଖ ଅଞ୍ଚଳରେ ଦେଖାଉଥିଲା, ତେଣୁ ସେ ସମସ୍ତଙ୍କ ଘର ଫାଟକ ବାଡ଼େଇ ଘଟଣାର ତଦନ୍ତ କରୁଥିଲେ। ଏହି ଘଟଣାରେ ଡିସିପି ଅନୁପ ସାହୁ ଓ କମିସନର୍ ସତ୍ୟଜିତ ମହାନ୍ତି ଦୁଃଖ ପ୍ରକାଶ କରି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। କଳିଙ୍ଗ ସାମ୍ବାଦିକ ସଂଘର କାର୍ଯ୍ୟରତ ସାମ୍ବାଦିକମାନେ କମିସନରେଟ୍ ପୁଲିସକୁ ସାକ୍ଷାତ କରି ପୁଲିସ ସାମ୍ବାଦିକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ଆଚରଣରେ ସୁଧାର ଆଣିବା ଦରକାର ବୋଲି ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର